ଜାମ୍ମୁ: ୨ ଆତଙ୍କବାଦୀ ନିହତ

ଜାମ୍ମୁ: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲା ଅନ୍ତର୍ଗତ ଇମାମ ସାହିର କନିଗାମ୍ ଗାଁରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି।
ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଗୁଳିବିନିମୟ ଶନିବାର ମଧ୍ୟାହ୍ନ ସୁଦ୍ଧା ଜାରି ରହିଥିବା ଖବର ମିଳିଛି। କନିଗାମ୍ ଗାଁର ସମସ୍ତ ମୋବାଇଲ୍ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି।
ସୂଚନା ଅନୁସାରେ, ଆତଙ୍କବାଦୀମାନେ କନିଗାମ୍ ଗାଁରେ ଲୁଚି ରହିଥିବା ସେନା ପକ୍ଷକୁ ସୂଚନା ମିଳିଥିଲା। ତାପରେ ଶୁକ୍ରବାର ସନ୍ଧ୍ୟାରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।
ଆତଙ୍କବାଦୀମାନେ ଗାଁ ନିକଟରେ ଥିବା ଏକ ସେଓ ବଗିଚାରେ ଲୁଚି ରହିଥିଲେ। ଯବାନମାନେ ଏହା ଜାଣିବା ପରେ ଉକ୍ତ ଅଞ୍ଚଳକୁ ଘେରାଉ କରି ସିଲ୍ କରିଦେଇଥିଲେ। ଆତଙ୍କବାଦୀମାନେ ଫସିଯିବା ପରେ ସେନା ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଥିଲା।
ରାତିରେ ଆତଙ୍କବାଦୀମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଫଳ ହୋଇ ନ ଥିଲେ। ଉକ୍ତ ଆତଙ୍କବାଦୀମାନେ ସ୍ଥାନୀୟ ଅଲ୍ ବଦର ସଂଗଠନର ବୋଲି ଜଣାପଡ଼ିଛି। ଆଉ କିଛି ଆତଙ୍କବାଦୀ ସେଠାରେ ଲୁଚି ରହିଥିବାରୁ ଗୁଳିବିନିମୟ ଜାରି ରହିଥିବା ସୂଚନା ମିଳିଛି।
Comments are closed.