ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ କମିଟି ଗଠନ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପାଠ ପଢିଲେ ଉଚ୍ଚଶିକ୍ଷାରେ ମଳିବ ସଂରକ୍ଷଣ। ଉଚ୍ଚଶିକ୍ଷା ସଂରକ୍ଷଣ ପାଇଁ ଆଜି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି। ଅବସରପ୍ରାପ୍ତ ହାଇକୋର୍ଟ ଜଜ ଜଷ୍ଟିସ ଏ.କେ ମିଶ୍ରଙ୍କୁ କମିଟି ମୁଖ୍ୟଭାବେ ନିଯୁକ୍ତ କରାଯାଇଛି। ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଭିସି ଅଶୋକ କୁମାର ଦାସଙ୍କୁ କମିଟି ସଦସ୍ୟଭାବେ ନିଯୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏବେ ସରକାରୀ ହାଇସ୍କୁଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ମିଳିବ ସଂରକ୍ଷଣ। ଗତ ୨୮ ତାରିଖ ଦିନ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା। ଏହା ଆଗାମୀ ଶିକ୍ଷାବର୍ଷ ଠାରୁ ଲାଗୁ କରାଯିବ।
ଡାକ୍ତରୀ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସର୍ବଭାରତୀୟସ୍ତରରେ ନିଟ ଓ ଜେଇଇ ପରି ଏକକ ପରୀକ୍ଷା ପ୍ରବର୍ତିତ ହୋଇଛି। ତେବେ ସରକାରୀ ହାଇସ୍କୁଲ ଓ କଲେଜର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ସର୍ବଭାରତୀୟ ସ୍ତର ପ୍ରତିଯୋଗିତାମୂଳକ ପରୀକ୍ଷାରେ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ଗ୍ରାମାଞ୍ଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉନଥିବାରୁ ଏହିସବୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି।
ଏଥିସହ ସହରାଞ୍ଚଳରେ ତାଲିମ ନେବା ନିମନ୍ତେ ଅଧିକ ଅର୍ଥର ଆବଶ୍ୟକତା ଅଛି ଫଳରେ ଗ୍ରାମାଞ୍ଚଳ ଓ ସରକାରୀ ସ୍କୁଲ ପିଲାମାନେ ଏହି ସୁଯୋଗରୁ ବଞ୍ଚିତ ହେଉଛନ୍ତି। ତେଣୁ ସରକାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ଆତ୍ମବିଶ୍ୱାସ ଦୃଢ କରିବା ସହ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାର ଡାକ୍ତରୀ ଓ ଇଂଜିନିୟରିଂ କଲେଜମାନଙ୍କରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ କରିବାକୁ ନିଷ୍ପତି ନେଇଛନ୍ତି।