ଟ୍ରମ୍ପ ସମର୍ଥକଙ୍କ ଲଙ୍କାକାଣ୍ଡ, ୱାଶିଂଟନ୍ରେ କର୍ଫ୍ୟୁ ଜାରି

ଓ୍ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ନେଇ ଉତ୍ତେଜନା ଜାରି ରହିଛି। ପୁଣି ଥରେ ଟ୍ରମ୍ପ ସମର୍ଥକମାନେ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଆନ୍ଦୋଳନ କରିଛନ୍ତି। ଆମେରିକାର କ୍ୟାପିଟାଲ ବିଲ୍ଡିଂ ବାହାରେ ଏବଂ ହ୍ୱାଇଟ ହାଉସ ବାହାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ଏବଂ ପୁଲିସ ମଧ୍ୟରେ ହିଂସାକାଣ୍ଡ ଘଟିଛି।
କ୍ୟାପିଟାଲ ବିଲଡିଂ ପରିସରରେ ଆନ୍ଦୋଳନ ସମୟରେ ହୋଇଥିବା ଗୁଳିମାଡ଼ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ଓ୍ୱାସିଂଟନ ଡିସିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଏବେ କ୍ୟାପିଟାଲ ବିଲଡିଂ ପରିସରରେ ଆନ୍ଦୋଳନ ବନ୍ଦ ରହିଛି।
ଟ୍ରମ୍ପ ସମର୍ଥକମାନେ ପୋଲିସ ଉପରେ କିଛି ରସାୟନିକ ଦ୍ରବ୍ୟ ଫିଙ୍ଗିଛନ୍ତି। ଏଥିରେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି। ପୋଲିସ ମଧ୍ୟ ଏହାର ଜବାବ ଦେବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ଏସବୁ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସମର୍ଥକଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି।
ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। କ୍ୟାପିଟାଲ ବିଲଡିଂରେ ଦେଖାଯାଉଥିବା ହିଂସାକୁ କେବେ ସେ ଆକଳନ କରିନଥିଲେ। ଯେଉଁମାନେ ଏହି ନିୟମକୁ ଅବମାନନା କରୁଛନ୍ତି ସେମାନେ ଆଇନକୁ ମାନୁନଥିବା ଅଳ୍ପ କେତେକ ଲୋକ। କ୍ୟାପିଟାଲ ବିଲଡିଂ ବାହାରେ ଯାହା ଘଟିଛି ନିନ୍ଦନୀୟ। ଏହା ଦେଶଦ୍ରୋହ ସହିତ ସମାନ ବୋଲି ବିଡେନ କହିଛନ୍ତି।
ସୂଚନାଯୋଗ୍ୟ, ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ବିଜୟକୁ ପ୍ରମାଣ କରିବା ପାଇଁ ସାଂସଦମାନେ ସଂସଦର ମିଳିତ ଅଧିବେଶନ କ୍ୟାପିଟାଲ ବିଲ୍ଡିଂ ଭିତରେ କରିଥିଲେ। ଏହି ସମୟରେ ସୁରକ୍ଷା ଉଲ୍ଲଂଘନ ହୋଇଥିଲା ବୋଲି କ୍ୟାପିଟାଲ ପୁଲିସ କହିଥିଲା। ଏହାପରେ କ୍ୟାପିଟାଲ ବିଲ୍ଡିଂ ବାହାରେ ପୁଲିସ ଏବଂ ଟ୍ରମ୍ପ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ବିକ୍ଷୋଭକାରୀମାନେ ବ୍ୟାରିକେଡ ଭାଙ୍ଗି ଦେଇଥିଲେ। ଏହି ସମୟରେ ଏକ ସନ୍ଦିଗ୍ଧ ପ୍ୟାକେଟ ମିଳିଥିବା କ୍ୟାପିଟାଲ ପୁଲିସ କହିଛି।