Odisha Link
Bridging the Missing Links in Odisha

ଖୋଲିବ ବାର୍ ଓ ବିୟର ପାର୍ଲର

ଭୁବନେଶ୍ୱର: ଏଣିକି ଖୋଲିବ ବାର୍ ଓ ବିୟର ପାର୍ଲର। ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବାରୁ ରାଜ୍ୟ ସରକାର ଆଜି ସମସ୍ତ ରେଷ୍ଟୁରାଣ୍ଟ, ହୋଟେଲ, କ୍ଲବରେ ଥିବା ବାର ସମେତ ବିୟର ପାର୍ଲରକୁ ତତ୍କାଳ ପ୍ରଭାବରୁ ଖୋଲିବାକୁ ଅନୁମତି ଦେଇଛନ୍ତି। କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା କୌଣସି ବାର୍ କିମ୍ବା ବିୟର ପାର୍ଲର ଖୋଲିବାକୁ ଅନୁମତି ମିଳିବ ନାହିଁ। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୩ ଅନ୍ତର୍ଗତ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି।

ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶନାମା ଅନୁସାରେ, ଲାଇସେନ୍ସ ସର୍ତ୍ତାବଳୀରେ ଧାର୍ଯ୍ୟ ସମୟ ଅନୁସାରେ ଏଣିକି ‘ବାର’ଗୁଡ଼ିକ ଖୋଲା ରହିବ। ସମସ୍ତ ‘ଅନ୍ ’ସପ୍ ବା ବାରଗୁଡ଼ିକୁ ରାଜ୍ୟ ସରକାରଙ୍କ ଦ୍ୱାରା ୨୦୨୦ ଜୁନ୍ ୪ତାରିଖରେ ଜାରି କୋଭିଡ୍ ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ କୋଭିଡ୍ ଗାଇଡଲାଇନ୍ ଓ ଅନ୍ୟାନ୍ୟ ପ୍ରାବଧାନକୁ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି କୌଣସି ଲାଇସେନ୍ସଧାରୀ ଉଲ୍ଲଘଂନ କରନ୍ତି ତା’ହେଲେ ସ୍ଥାନୀୟ ଜିଲ୍ଲାପାଳମାନେ ସେହି ବାରକୁ ବନ୍ଦ କରିପାରିବେ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୦ ସେପ୍ଟେମ୍ବର ୭ତାରିଖରୁ ରାଜ୍ୟରେ ସମସ୍ତ ଆଇଏମଏଫଏଲ୍ ‘ଅଫ୍‌’ ଓ ‘ଅନ୍‌’ ସପ୍ ସମେତ ମଦର ହୋମ୍ ଡେଲିଭରୀକୁ ଅନୁମତି ଦେଇଥିଲେ। ମାତ୍ର ରେଷ୍ଟୁରାଣ୍ଟ, ହୋଟେଲ ଓ କ୍ଲବଗୁଡ଼ିକରେ ଥିବା ବାରକୁ ଖୋଲିବା ପାଇଁ ଅନୁମତି ମିଳିନଥିଲା।

Comments are closed.