ଭାଙ୍ଗିବ ଦୀର୍ଘବର୍ଷର ପରମ୍ପରା, ଛପା ହେବନି ବଜେଟ୍ ବହି

ନୂଆଦିଲ୍ଲୀ: ଆଉ କିଛିଟା ଦିନ ପରେ ଅନୁଷ୍ଠିତ ହେବ ବଜେଟ ଅଧିବେଶନ। ହେଲେ ଚଳିତ ଥର ପ୍ରଥମ ଥର ପାଇଁ ସଂସଦରେ ଆଗତ ହୋଇପାରେ ଇ-ବଜେଟ୍ । ଏଥିପାଇଁ ଚଳିତ ବର୍ଷ ବଜେଟ୍ ବହି ବା ଦଲିଲ ଛପା ହେବ ନାହିଁ। କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏଥିପାଇଁ ସଂସଦର ଉଭୟ ଗୃହରୁ ସରକାର ଅନୁମତି ଆଣିଛନ୍ତି। ୧୯୪୭ ପରେ ପ୍ରଥମ ଥର ଲାଗି ବଜେଟ୍ ସମ୍ପୂର୍ଣ୍ଣ କାଗଜବିହୀନ ରହିବ। ସାଂସଦମାନଙ୍କୁ ବଜେଟ୍ କାଗଜପତ୍ର ଇଲେକ୍ଟ୍ରୋନିକ୍ସ ମାଧ୍ୟମରେ ପଠାଯିବ। କମ୍ପ୍ୟୁଟର ଭାଷାରେ ତାହାକୁ ବଜେଟ୍ର ସଫ୍ଟ କପି କୁହାଯାଉଛି।
ଦେଶରେ ପ୍ରଥମ ଥର ଲାଗି ୧୯୪୭ ନଭେମ୍ବର ୨୬ରେ ବଜେଟ୍ ଉପସ୍ଥାପନ କରାଯାଇଥିଲା। ଏହା ପରଠାରୁ ପ୍ରତିବର୍ଷ ବଜେଟ୍ ବହିକୁ ଛପାଯାଇଥାଏ। ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ଗୋପନ ରହିଥାଏ। ନିର୍ଦ୍ଦିଷ୍ଟ ସଂଖ୍ୟକ ଅଧିକାରୀଙ୍କୁ ଅର୍ଥ ମନ୍ତ୍ରଣାଳୟରେ ଦୀର୍ଘଦିନ ଧରି ରହିବାକୁ ପଡ଼େ। ବାହ୍ୟ ଦୁନିଆ ସହ ସେମାନଙ୍କ ସବୁ ପ୍ରକାର ଯୋଗାଯୋଗକୁ ବିଚ୍ଛିନ୍ନ କରାଯାଇଥାଏ। ମାତ୍ର ଚଳିତ ବର୍ଷ କରୋନା ମହାମାରୀ ପ୍ରଭାବ ଯୋଗୁଁ ସରକାର ଏତେ ଲୋକଙ୍କୁ ନେଇ ବଜେଟ୍ ଛପାଇବାକୁ ଚାହୁନଥିବା ଖବର ପ୍ରକାଶ ପାଇଛି।
କେବଳ ବଜେଟ୍ ନୁହେଁ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଛପା ହେବ ନାହିଁ। କେବଳ ତାହାର ସଫ୍ଟ କପି ବଣ୍ଟନ କରାଯିବ। ଅର୍ଥ ମନ୍ତ୍ରଣାଳୟ ବେସ୍ମେଣ୍ଟ୍ରେ ନିଜସ୍ବ ଛାପାଖାନା ରହିଛି ଯେଉଁଠାରେ ବଜେଟ୍ ବହି ଛପାଯାଇଥାଏ। ବଜେଟ୍ ଉପସ୍ଥାପନ ହେବାର କିଛି ସପ୍ତାହ ପୂର୍ବରୁ ସେମାନଙ୍କୁ ସେହି ଗୋଟିଏ ସ୍ଥାନରେ ରଖାଯାଏ। ପ୍ରତିବର୍ଷ ଅର୍ଥମନ୍ତ୍ରୀ ଏକ ହାଲ୍ୱା କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଏହା ପରେ ବଜେଟ୍ ଛପା ପାଇଁ ଚୟନ କରାଯାଇଥିବା ଲୋକମାନଙ୍କୁ ବେସ୍ମେଣ୍ଟ୍ରେ ରଖାଯାଇଥାଏ। ସଂସଦରେ ବଜେଟ୍ ଉପସ୍ଥାପନ ହେବା ପରେ ସେମାନଙ୍କୁ ସେଠାରୁ ବାହାର କରାଯାଏ। ବଜେଟ୍ ବହିଗୁଡ଼ିକୁ ଟ୍ରକ୍ରେ ଲଦି ସଂସଦ ପରିସରକୁ ଅଣାଯାଏ। ସେଠାରେ ସନ୍ଧାନୀ କୁକରମାନଙ୍କ ଜରିଆରେ ସେଗୁଡ଼ିକୁ ଯାଞ୍ଚ କରାଯାଏ। ଚଳିତ ବର୍ଷ ସେହି ଦୃଶ୍ୟ ଦେଖିବାର ସୁଯୋଗ ମିଳିବ ନାହିଁ।