Odisha Link
Bridging the Missing Links in Odisha

Fact Check: ନୀଳମାଧବ ପଣ୍ଡାଙ୍କ ଓସ୍କାର ମିଛ

ଭୁବନେଶ୍ବର: କେବଳ ଓଡ଼ିଶାର ନୁହେଁ, ବର୍ତ୍ତମାନ ସମୟରେ ସର୍ବଭାରତୀୟ ସ୍ତରରେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା ଜଣେ ଚଳଚ୍ଚିତ୍ର ନିର୍ମାତା ଭାବେ ବେଶ୍‌ ପ୍ରସିଦ୍ଧ। ତାଙ୍କର ଭିନ୍ନ ଶୈଳୀର ସିନେମା ଓ ଏ ସଂକ୍ରାନ୍ତୀୟ ସଫଳତା ନେଇ ଓଡ଼ିଶାବାସୀ ଗର୍ବ ଅନୁଭବ କରନ୍ତି। ତାଙ୍କ ନିର୍ମିତ ସଦ୍ୟ ଓଡ଼ିଆ ଚଳଚ୍ଚିତ୍ର “କାଲିର ଅତୀତ” ସମ୍ମାନଜନକ ଓସ୍କାର ଦୌଡ଼ରେ ଥିବା ନେଇ ଦୁଇ ଦିନ ହେବ ରାଜ୍ୟର ଗଣମାଧ୍ୟମରେ ଜୋର୍‌ ଚର୍ଚ୍ଚା ହେଉଛି। କେତେକ ଜାତୀୟ ଗଣମାଧ୍ୟମ ମଧ୍ୟ ଏ ସମ୍ପର୍କିତ ଖବର ପରସିଛନ୍ତି। ଆଜି ସିନେମାଟିର ଟ୍ରେଲର୍‌ ମୁକ୍ତିଲାଭ କରିଥିବା ବେଳେ ଏହା ବ୍ୟତିକ୍ରମ ଓ ବିରଳ କାହାଣୀ ସମ୍ବଳିତ ଅନ୍ୟତମ ଓଡ଼ିଆ ଚଳଚ୍ଚିତ୍ର ହେବାର ଆଭାସ ମିଳୁଛି।

ତେବେ ଓସ୍କାର ଦୌଡ଼ରେ ଏ ଚଳଚ୍ଚିତ୍ର ସାମିଲ ହେବା ନେଇ ଯେଉଁ ତଥାକଥିତ ‘ଗୌରବମୟ ମୁହୂର୍ତ୍ତ’ର ପ୍ରଚାର ହେଉଛି ତାହା ଆଦୌ ସତ ନୁହେଁ। ଭାରତରୁ ଗୋଟିଏ ମାତ୍ର ସିନେମା ଲିଜୋ ଜୋସ୍‌ ପେଲିସେରୀଙ୍କ ନିର୍ଦ୍ଦେଶିତ ଜାଲିକାଟୁ (ମଲାୟଲମ୍) ୨୦୨୦-୨୧ ପାଇଁ ଓସ୍କାର ଅଫିସିଆଲ୍‌ ଏଣ୍ଟ୍ରି ହେବାର ଗୌରବ ଅର୍ଜନ କରିଥିଲା। ତେବେ ‘ଜାଲିକାଟୁ’ ମଧ୍ୟ ପରେ ତାଲିକାରୁ ବାଦ୍‌ ପଡ଼ିଛି।

ଓଡ଼ିଆ ସିନେମା ଓସ୍କାର ଦୌଡ଼ରେ ଥିବା ନେଇ ସ୍ବୟଂ ନୀଳମାଧବ ପଣ୍ଡା ପ୍ରଥମେ ୨୦୨୧ ଫେବ୍ରୁଆରୀ ୧୯ ତାରିଖରେ ସାମାଜିକ ଗଣମାଧ୍ୟମରେ ଘୋଷଣା କଲେ। ଟୁଇଟ୍‌ ଯୋଗେ ନୀଳମାଧବ ଲେଖିଥିଲେ ଯେ ‘କାଲିର ଅତୀତ’ ଜେନେରାଲ୍‌ ଏଣ୍ଟ୍ରୀ‌ କାଟେଗୋରୀରେ ଶ୍ରେଷ୍ଟ ସିନେମା, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ବହୁ ବିଭାଗରେ ଓସ୍କାର ଦୌଡ଼ରେ ସାମିଲ ହୋଇଛି।

ତେବେ ବେଶ୍‌ ଚାଲାଖିର ସହ ଲେଖାଯାଇଥିବା ଏ ଟୁଇଟ୍‌‌କୁ ଗଣମାଧ୍ୟମ ଓ ଟୁଇଟର ବ୍ୟବହାରକାରୀମାନେ ବୁଝି ନ ପାରି ନୀଳମାଧବଙ୍କ ଏ ଘୋଷଣାକୁ ‘ଗୌରବମୟ ମୁହୂର୍ତ୍ତ’ ବୋଲି ଉଲ୍ଲେଖ କରିବାକୁ ପଛାଇଲେନାହିଁ। ଏପରିକି ଓସ୍କାର ଦୌଡ଼ ତାଲିକା ମଧ୍ୟ ପ୍ରାୟ କେହି ପରଖିବାକୁ ଉଚିତ ମଣିଲେନାହିଁ।

ସତ କଥା ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ଅନୁସରଣ କରି ଓ ଏକ ନିିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେଇ ବିଶ୍ବର ଯେ କୌଣସି ସିନେମା ଓସ୍କାରର ଜେନେରାଲ କାଟେଗୋରୀରେ ନିଜକୁ ସାମିଲ କରିପାରିବେ। କେବଳ ‘କାଲିର ଅତୀତ’ ନୁହେଁ, ଏଭଳି ଏକାଧିକ ସିନେମା ଏ ତାଲିକାରେ ରହିଛି। ଏ ନେଇ ଆମେ ଓଡ଼ିଶାବାସୀ ଗର୍ବ କରିବାର କୌଣସି କାରଣ ନାହିଁ। ଜେନେରାଲ କାଟେଗୋରୀରେ ତାଲିକାଭୁକ୍ତ ହେବା ଅର୍ଥ ନୁହେଁ ଯେ ସିନେମାଟି ଓସ୍କାର କମିଟି ଦ୍ବାରା ଚୟନ କରାଯାଇଛି। ପ୍ରତିବର୍ଷ ବିଶ୍ବର ବହୁ ସିନେମା, କାଳେ ଓସ୍କାରରେ ସାମିଲ ହୋଇଯିବେ ଏଇ ସ୍ବପ୍ନ ନେଇ, ଜେନେରାଲ୍‌ କାଟେଗାରୀରେ ଆବେଦନ କରିଥାଆନ୍ତି। ତେବେ ସିନେମାଟିଏ ଅତ୍ୟନ୍ତ ଅସାଧାରଣ ବା ଗୁରୁତ୍ବପୂର୍ଣ୍ଣ ନ ହେଲେ ତାହାକୁ ଓସ୍କାର କମିଟି ଆଡ଼ ଆଖିରେ ଅନାଏନାହିଁ।

ଏ ବର୍ଷ ଅନ୍ୟ ବହୁ ସିନେମା ଭଳି ନୀଳମାଧବଙ୍କ ‘କାଲିର ଅତୀତ’ ମଧ୍ୟ ଏହି କାଟେଗୋରୀରେ କେବଳ ଆବେଦନ କରାଯାଇଛି। କିନ୍ତୁ ଗଣମାଧ୍ୟମ ଓ ଲୋକସମ୍ପର୍କ ସଂସ୍ଥା ସହଯୋଗରେ ଏବେ ଶୁଭେଚ୍ଛା, ପ୍ରଶଂସା ଓ ଉତ୍ସବର ଏଭଳି ପରିବେଶ ତିଆରି ହୋଇଛି ସତେ ଯେମିତି ‘କାଲିର ଅତୀତ’ ସତରେ ଓସ୍କାର କମିଟି ଦ୍ବାରା ଚୟନ ହୋଇ ପୁରସ୍କାର ଦୌଡ଼ରେ ସାମିଲ ହୋଇଯାଇଛି। ଓସ୍କାର କମିଟି ଯେଉଁ କ୍ଷୁଦ୍ରତାଲିକ ପ୍ରକାଶ କରିଛନ୍ତି, ଦୁର୍ଭାଗ୍ୟବଶତଃ ଆମର ଏହି ଓଡ଼ିଆ ଚଳଚ୍ଚିତ୍ରଟି ସେଥିରେ ସ୍ଥାନ ପାଇନାହିଁ। ଏଣୁ ‘ଗୌରବମୟ ମୁହୂର୍ତ୍ତ’ ବୋଲି ଯେଉଁ ପ୍ରଚାର ଚାଲିଛି ତାହା ଡାହା ମିଛ।

ଓସ୍କାର ଦୌଡ଼ରୁ ବାଦ ପଡ଼ୁ ପଛକେ, ‘କାଲିର ଅତୀତ’ର କାହାଣୀ ଓ ନିର୍ମାଣ ଶୈଳୀ ଗର୍ବକରିବା ଭଳି ହୋଇଥିବ ନିଶ୍ଚୟ। ଓଡ଼ିଶା ଉପକୂଳବର୍ତ୍ତୀ ଏକ ବିଧ୍ବଂସ ଗ୍ରାମ ଓ ଏହାର ଚରିତ୍ରଙ୍କୁ ନେଇ ଭିନ୍ନ ଧରଣର ଏ ସିନେମାଟି ପ୍ରାଗ୍‌ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ଲାଗି ନିମନ୍ତ୍ରଣ ପାଇଛି।

ନୀଳମାଧବଙ୍କ ପ୍ରଜ୍ଞା ଓ ଚଳଚ୍ଚିତ୍ର ନିର୍ମାଣ କଳା ପ୍ରତି ଆମର ଯଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ ରହିଛି। ଏ ବର୍ଷ ନ ହେଲା ନାହିଁ, ଭବିଷ୍ୟତରେ ସେ ନିଶ୍ଚୟ କେବେ ନା କେବେ ସତସତିକା ଓସ୍କାର ଦୌଡ଼ରେ ସାମିଲ ହେବେ, ଆମର ଏ ବିଶ୍ବାସ ରହିଛି।

Comments are closed.