ରାଉରକେଲା ମେଡିକାଲ କଲେଜ ପାଇଁ ରାଜନୀତି, ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ଖଣି ମନ୍ତ୍ରୀ

ଭୁବନେଶ୍ବର: ରାଉରକେଲାରେ ହେବାକୁ ଥିବା ମେଡିକାଲ କଲେଜ ପାଇଁ ରାଜନୀତି। ମେଡିକାଲ କଲେଜ କରାଯାଇନ ଯାଇ କେବଳ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବା ନେଇ ଆପତ୍ତି କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ।
ସୂଚନାଯୋଗ୍ୟ, ୨୦୧୫ ଏପ୍ରିଲ ୨ତାରିଖରେ ପ୍ରଧାନମନ୍ତ୍ରୀ ରାଉରକେଲା ଗସ୍ତ ସମୟରେ ଘୋଷଣା କରିଥିଲେ ଯେ ଇସ୍ପାତ ଜେନେରାଲ ହସ୍ପିଟାଲକୁ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେସିଆଲିଟି ହସ୍ପିଟାଲରେ ବିକଶିତ କରାଯିବ। ଏଥି ସହିତ ୨୦୧୫ରେ ତତ୍କାଳୀନ ଇସ୍ପାତ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ରାଉରକେଲା ସାଂସଦଙ୍କୁ ଆଶ୍ୱାସନା ଦେଇ କହିଥିଲେ ଅତିଶୀଘ୍ର ମେଡିକାଲ କାର୍ଯ୍ୟ ଆରମ୍ଭ କରାଯିବ। ମାତ୍ର ଏବେ କେବଳ ସୁପର ସ୍ପେସିଆଲିଟି ହସ୍ପିଟାଲ କରାଯାଇ, ଏହାର ଉଦଘାଟନୀ ଉତ୍ସବରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇଛି। ତେଣୁ ମେଡିକାଲ କଲେଜ କୁଆଡ଼େ ଗଲା ବୋଲି ପ୍ରଶ୍ନ କରି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ।
ସେ ଆହୁରି ମଧ୍ୟ କହିଛନ୍ତି, ରାଉରକେଲା ଓ ସୁନ୍ଦରଗଡ଼ ଏକ ଆଦିବାସୀବହୁଳ ଅଞ୍ଚଳ ଅଟେ। ଏହି ଅଞ୍ଚଳରୁ ବହୁ ପରିମାଣରେ ଲୁହାପଥର, ଖଣି, କୋଇଲା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପରିଶ୍ରମ ଦେଶର ଉନ୍ନତିରେ ସହାୟକ ହେଉଛି। ଆଜି ଯଦି ରାଉରକେଲା ଇସ୍ପାତ କାରଖାନା ଦେଶ ଓ ବିଦେଶରେ ସୁନାମ ଅର୍ଜନ କରିପାରିଛି। ଏଥିରେ ରାଉରକେଲା ଏବଂ ସୁନ୍ଦରଗଡ଼ବାସୀଙ୍କର ବହୁତ ଅବଦାନ ରହିଛି। ଆଇଜିଏଚ ଏକ ମେଡିକାଲ କଲେଜରେ ଉନ୍ନୀତ ହୋଇଥିଲେ ଆଖପାଖ ଅଞ୍ଚଳର ଲୋକମାନେ ବିଶେଷ ଉପକୃତ ହୋଇଥାନ୍ତେ। ପ୍ରତିଶ୍ରୁତି ପୂରଣ ନହେବାରୁ ସେହି ଅଞ୍ଚଳବାସୀ ଓ ବିଶେଷ କରି ସୁନ୍ଦରଗଡ଼ ଏବଂ ରାଉରକେଲାବାସୀ ନିରାଶ ଏବଂ ଦୁଃଖିତ।
ମେଡିକାଲ କଲେଜ ନ କରି ମାତ୍ର ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ହୋଇଥିବାରୁ ଲୋକେ ଅସନ୍ତୁଷ୍ଟ। ତେଣୁ ରାଉରକେଲା ଇସ୍ପାତ କାରଖାନାର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଅନ୍ତୁ, ଏହି ଘୋଷଣାକୁ ଗମ୍ଭୀରତାର ସହିତ ଗ୍ରହଣ କରି ମେଡିକାଲ କଲେଜର ନିର୍ମାଣ ଶୀଘ୍ର ପୂରଣ କରନ୍ତୁ ଏବଂ ଏହି ଆଦିବାସୀ ବହୁଳ ରାଉରକେଲା ଓ ସୁନ୍ଦରଗଡ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।