ସିରିଜ ବିଜୟ ପରେ ବିରାଟଙ୍କ ବଡ଼ ବୟାନ, କହିଲେ-ଆଗକୁ ବି ଓପନିଙ୍ଗ୍ କରିବି

ଅହମ୍ମଦାବାଦ: ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୫ମ ଟି-୨୦ମ୍ୟାଚରେ ହରାଇ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ। ଭାରତୀୟ ଟିମ୍ ୩-୨ରେ ଜିତି ସିରିଜ ହାତେଇବାରେ ସଫଳ ହୋଇଛି। ଟି-୨୦ ସିରିଜରେ ୨୩୧ ରନ କରିଥିବା ବିରାଟ କୋହଲିଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କାର ମିଳିଥିଲା। କୋହଲି ସିରିଜରେ ୩ଟି ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ।
ସିରିଜର ନିର୍ଣ୍ଣାୟକ ମ୍ୟାଚରେ ବଡ଼ ନିଷ୍ପତ୍ତି ନେଇଥିଲେ ବିରାଟ କୋହଲି। ୫ମ ଟି-୨୦ରେ ରୋହିତଙ୍କ ସହିତ ଇନିଂସ୍ ଓପନ କରିବାକୁ ଓହ୍ଲାଇଥିଲେ ବିରାଟ। ଆଉ ଦୁଇ ଖେଳାଳି ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ଖେଳାଳି ପ୍ରଥମ ଓ୍ବିକେଟରେ ୯୪ ରନର ପାର୍ଟନରଶିପ୍ କରିଥିଲେ। ମ୍ୟାଚ୍ ସହ ସିରିଜ ବିଜୟ ପରେ ବିରାଟ କହିଛନ୍ତି ଯେ, ରୋହିତଙ୍କ ସହ ଓପନିଂ ବ୍ୟାଟିଂ କରିବାରେ ମଜା ଆସିଗଲା।
ବିରାଟ ଆହୁରି କହିଛନ୍ତି ଯେ, ରୋହିତ ବହୁତ ଭଲ ଖେଳିଥିଲେ। ଆମେ ପୂର୍ବରୁ ନିଷ୍ପତ୍ତି କରିଥିଲୁ ଯେ ସକାରାତ୍ମକ ବ୍ୟାଟିଂ କରିବୁ। ରୋହିତଙ୍କ ଆଉଟ୍ ହେବାପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିନା କୌଣସି ଚାପରେ ରନ୍ କରି ଇଂଲଣ୍ଡ ଉପରେ ଚାପ ସୃଷ୍ଟି କରିଥିଲେ ବୋଲି ବିରାଟ କହିଛନ୍ତି। ଏଥିସହିତ ସେ ଆଗକୁ ଓପନିଂ ବ୍ୟାଟିଂ କରିବେ ବୋଲି କୋହଲି କହିଛନ୍ତି। ୨୦୨୧ ଆଇପିଏଲ ସିଜିନରେ ବିରାଟ ଇନିଂସ୍ ଓପନ କରିବେ ବୋଲି ମଧ୍ୟ କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ସେ ଆଗରୁ ବିଭିନ୍ନ କ୍ରମରେ ବ୍ୟାଟିଂ କରିଛନ୍ତି କିନ୍ତୁ ଏବେ ସେ ଅନୁଭବ କରିଛନ୍ତି ଯେ ତାଙ୍କ ଟିମରେ ମଜବୁତ ବ୍ୟାଟିଂ କ୍ରମ ଅଛି। ସେଥିପାଇଁ ସେ ରୋହିତ ଶର୍ମାଙ୍କ ସହ ଶୀର୍ଷରେ ବ୍ୟାଟିଂ କରିବାକୁ ଚାହିଁବେ ବୋଲି କହିଛନ୍ତି। ଅର୍ଥାତ ସେ ରୋହିତ ଶର୍ମାଙ୍କ ସହ ଓପନର ଭାବେ ଖେଳିବେ। ଏହି ପାର୍ଟନରସିପ ସେ ବିଶ୍ୱକପ ଯାଏଁ ଜାରି ରଖିବାକୁ ଚାହୁଁଛନ୍ତି ବୋଲି କୋହଲି କହିଛନ୍ତି।