Odisha Link
Bridging the Missing Links in Odisha

ଭୁବନେଶ୍ବରକୁ ରାଜଧାନୀର ମାନ୍ୟତା ମଳିଲା କିପରି ଜାଣନ୍ତୁ…

ଭୁବନେଶ୍ବର: ଆଜି ସ୍ମାର୍ଟ ସିଟି ରାଜଧାନୀ ଭୁବନେଶ୍ବରର ୭୩ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟ କଳାରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନିଜର ନୂଆ ପରିଚୟ ସୃଷ୍ଟି କରିଛି।

ଆସନ୍ତୁ ଜାଣିବା କିପରି ଭୁବନେଶ୍ବରକୁ ଓଡ଼ିଶାର ରାଜଧାନୀର ମାନ୍ୟତା ମଳିଲା….

୧୯୩୩ ମସିହାରେ ଓଡ଼ିଶା ପ୍ରଶାସନିକ କମିଟି ରାଜଧାନୀ ସ୍ଥାପନ ପାଇଁ କଟକସ୍ଥିତ ଚାଉଳିଆଗଞ୍ଜ ଅଞ୍ଚଳକୁ ବାଛି ପ୍ରସ୍ତାବିତ ରିପୋର୍ଟ ସରକାରଙ୍କୁ ଦେଇଥିଲେ। କିନ୍ତୁ କଟକର ଉଭୟ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ପ୍ରବାହିତ ହେଉଥିବାରୁ ଏଠାରେ ରାଜଧାନୀ ପ୍ରତିଷ୍ଠା କରିବା ସୁବିଧାଜନକ ହେବ ନାହିଁ ବୋଲି ବ୍ରିଟିସ ସରକାର ଅନୁଭବ କରିଥିଲେ। ଫଳରେ ଚାଉଳିଆଗଞ୍ଜ ପ୍ରସ୍ତାବ ବାତିଲ୍‌ କରାଯାଇଥିଲା।

ପରେ ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ନୂତନ ରାଜଧାନୀ ପ୍ରତିଷ୍ଠା ପାଇଁ ବ୍ରିଟିସ ସରକାର ଜୋନ୍‌ସ କମିଟି ଗଠନ କଲେ। ଜୋନ୍‌ସ କମିଟି ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟବର୍ତ୍ତୀ ରଙ୍ଗେଇଲୁଣ୍ତା ସମ୍ପର୍କରେ ବିଭିନ୍ନ ଗୋଷ୍ଠୀ ସହ ଆଲୋଚନା କରିବା ପରେ ୧୯୩୭ ମସିହାରେ ଅନ୍ୟ ଏକ କମିଟି ଓ ଉପଦେଷ୍ଟା ମଣ୍ତଳୀ ଗଠନ କରାଯାଇ ଅନୁଧ୍ୟାନ କରାଯାଇଥିଲା।

ଏହି ନୂତନ କମିଟି କିନ୍ତୁ ରଙ୍ଗେଇଲୁଣ୍ତାରେ ରାଜଧାନୀ ପ୍ରତିଷ୍ଠାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିଦେଇଥିଲା। ଏହାପରେ ସରକାର ଡ୍ୟାନ୍‌ କମିଟି ଗଠନ କଲେ। ଏହି କମିଟିର ପ୍ରସ୍ତାବରେ ଅନେକ ବାଧା ଦେଖାଦେବାରୁ ଏହାକୁ ମଧ୍ୟ ବାତିଲ୍‌ କରିଦିଆଗଲା। ପରେ କଟକ, ଚୌଦ୍ବାର ସମେତ ଅନୁଗୁଳ ଓ ଖୋର୍ଦ୍ଧାରେ ନୂତନ ରାଜଧାନୀ ପ୍ରତିଷ୍ଠା ନିମନ୍ତେ ପ୍ରସ୍ତାବ ଉଠିଥିଲା। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଯୋଜନା ବିଭାଗ ଏବ˚ ଏହି ବିଭାଗର ଉପଦେଷ୍ଟା ମଣ୍ତଳୀର ମିଳିତ ଉଦ୍ୟମରେ ଭୁବନେଶ୍ବର ଓ ମଞ୍ଚେଶ୍ବର ମଧୢବର୍ତ୍ତୀ ସ୍ଥାନକୁ ରାଜଧାନୀ ସ୍ଥାପନା ପାଇଁ ଉପଯୁକ୍ତ ସ୍ଥାନ ଭାବେ ଚୟନ କରାଗଲା।

ଶେଷରେ ସେତେବେଳର ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ବରରେ ରାଜଧାନୀ ହେବ ବୋଲି ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବଟି ତାଙ୍କ ମନ୍ତ୍ରିମଣ୍ତଳରେ ଏବ˚ ପରେ ପରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ୧୯୪୬ରେ ଜର୍ମାନୀ ସ୍ଥପତି ଓଟୋ.ଏଚ୍‌. କୋନିଗ୍‌ସବର୍ଗର ଭୁବନେଶ୍ବର ଆସି ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ପରେ ରାଜଧାନୀର ନକ୍ସା ପ୍ରସ୍ତୁତ କଲେ। ୧୯୪୮ ଏପ୍ରିଲ ୧୩ତାରିଖରେ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Leave A Reply

Your email address will not be published.