Odisha Link
Bridging the Missing Links in Odisha

କଥାଶିଳ୍ପୀ ମନୋଜ ଦାସଙ୍କ ପରଲୋକ

ତାଙ୍କ ମୃତ୍ୟୁରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ବିଶ୍ବ ସାହିତ୍ୟରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି ହୋଇଛି। ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ରାତି ପ୍ରାୟ ୮ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ପଣ୍ଡିଚେରୀ: ଭାରତୀୟ କଥା ସାହିତ୍ୟର ଅନ୍ୟତମ ଶିଖର ପୁରୁଷ, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଆ ଲେଖକ ଶ୍ରୀ ମନୋଜ ଦାସ ଆଉ ନାହାନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ଦୁରାରୋଗ୍ୟରେ ପୀଡ଼ିତ ପ୍ରାଧ୍ୟାପକ ଦାସଙ୍କର ଆଜି ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ବିଶ୍ବ ସାହିତ୍ୟରେ ଏକ ଅପୂରଣୀୟ କ୍ଷତ ସୃଷ୍ଟି ହୋଇଛି। ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ଅବସ୍ଥାରେ ଆଜି ରାତି ପ୍ରାୟ ୮ଟା ବେଳେ ତାଙ୍କର ମୃତ୍ୟୁ ହୋଇଛି।

ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ କାହାଣୀ ଓ ଉପନ୍ୟାସ ଲେଖି ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚିତି ପାଇଥିବା ଶ୍ରୀ ଦାସ ନିଜର ସ୍ବତନ୍ତ୍ର ଶୈଳୀ ଓ ଶବ୍ଦପ୍ରୟୋଗ ତଥା ଲାଳିତ୍ୟ ପାଇଁ ବେଶ୍‌ ପାଠକ ମହଲରେ ବେଶ୍‌ ପ୍ରସିଦ୍ଧ। ଭାରତୀୟ ସାହିତ୍ୟରେ ସାହିତ୍ୟରେ ସର୍ବୋଚ୍ଚ ସମ୍ମାନ ସାହିତ୍ୟ ଏକାଡେମୀ ଫେଲୋ, ସର୍ବୋଚ୍ଚ ପୁରସ୍କାର ସରସ୍ବତୀ ସମ୍ମାନ ସମେତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟର ସର୍ବୋଚ୍ଚ ସମ୍ମାନ ଅତିବଡ଼ୀ ପୁରସ୍କାର ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ ପ୍ରଭୃତି ବହୁ ପୁରସ୍କାର ଓ ସମ୍ମାନ ପାଇଥିଲେ ଶ୍ରୀ ଦାସ। ଉଭୟ ପଦ୍ମଶ୍ରୀ ଓ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ଶ୍ରୀ ଦାସ ସାହିତ୍ୟ ଛଡ଼ା ସିନେମା କ୍ଷେତ୍ରରେ ମଧ୍ୟ ନିଜର ଅବଦାନ ପାଇଁ ୨୦୦୧ ମସିହାରେ ଶ୍ରେଷ୍ଠ କହାଣୀକାର ଭାରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

୧୦ରୁ ଅଧିକ ଉପନ୍ୟାସ, ୧୫ରୁ ଅଧିକ ଗଳ୍ପ ସଂକଳନ, ୨ଟି କବିତା ସଂକଳନ, ୬ଟି ଭ୍ରମଣ ପୁସ୍ତକ ସମେତ ଜୀବନ ଓ ଦର୍ଶନ ଉପରେ ଓ ଶିଶୁମାନଙ୍କ ପାଇଁ ବହୁ ପୁସ୍ତକ ରଚନା କରିଛନ୍ତି ଶ୍ରୀ ଦାସ। ତାଙ୍କର ଲେଖା ସବୁ ଇଂରାଜୀ, ହିନ୍ଦୀ ସମେତ ପ୍ରାୟ ଭାରତୀୟ ଭାଷାରେ ଅନୂଦିତ ହୋଇଥିବା ବେଳେ ବହୁ ବିଦେଶୀ ଭାଷାରେ ଅନୂଦିତ ହୋଇଛି।

ଟାଇମ୍ସ ଅଫ୍‌ ଇଣ୍ଡିଆ, ଦ ହିନ୍ଦୁ, ଷ୍ଟେଟ୍‌ସମ୍ୟାନ୍‌ ଆଦି ଖବରକାଗଜରେ ନିଜର ସ୍ତମ୍ଭଗୁଡ଼ିକ ପାଇଁ ପ୍ରସିଦ୍ଧ ଶ୍ରୀ ଦାସ ‘ହେରିଟେଜ୍’ ଭଳି ଏକ ଲୋକପ୍ରିୟ ପତ୍ରିକା ମଧ୍ୟ ସଂପାଦନା କରୁଥିଲେ। ଏକଦା ପିଲାଙ୍କ ଠାରୁ ବଡ଼ ବିଭିନ୍ନ ବର୍ଗର ପାଠକଙ୍କ ପାଇଁ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶ ପାଉଥିବା ‘ଜହ୍ନମାମୁଁଁ’ ଥିଲା ମନୋଜ ଦାସଙ୍କ ମାନସ ସନ୍ତାନ।

ସିଂଗାପୁର ସରକାର ତାଙ୍କୁ ଲେଖକ-ପରାମର୍ଶଦାତା ଭାବେ (୧୯୮୩-୮୫) ନିଯୁକ୍ତ କରିଥିବା ବେଳେ ୧୯୯୯ରେ ସେ ଭାରତୀୟ ଲେଖକମାନଙ୍କ ନେତୃତ୍ବ ନେଇ ଚୀନ ଯାଇଥିଲେ। ବିଶିଷ୍ଟ ଇଂରାଜୀ ଲେଖକ ଗ୍ରାହାମ୍‌ ଗ୍ରୀନ୍‌ ମନୋଜ ଦାସଙ୍କ ସୃଜନରେ ଶତମୁଖ ହୋଇ ଏକଦା କହିଥିଲେ- ମନୋଜ ଦାସଙ୍କୁ ପଢ଼ିଲେ ବେଶ୍‌ ଆନନ୍ଦ ମିଳେ। ମୋ ଥାକରେ ସେ ଆର୍‌କେ ନାରାୟଣଙ୍କ ସହ ସ୍ଥାନ ପାଆନ୍ତି।

ବାଲେଶ୍ବରର ଶଙ୍ଖାରୀ ଗାଁରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ଜନ୍ମିତ ଶ୍ରୀ ଦାସ ୧୯୬୩ ମସିହାରେ ଓଡ଼ିଶା ଛାଡ଼ି ପଣ୍ଡିଚେରୀ ସ୍ଥିତ ଅରବିନ୍ଦ ଇଣ୍ଟନାସନାଲ ସେଣ୍ଟର ଫର୍‌ ଏଜୁକେସନ୍‌ରେ ଇଂରାଜୀ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ। ପରେ ସେ ଅରବିନ୍ଦ ଦର୍ଶନର ଜଣେ ପ୍ରମୁଖ ପ୍ରବକ୍ତା ଓ ବ୍ୟାଖ୍ୟାକାର ଭାବେ ଦେଶ ଓ ଦେଶ ବାହାରେ ବେଶ୍‌ ପରିଚିତି ପାଇଥିଲେ। ସାରା ଜୀବନ ସାହିତ୍ୟ, ଅଧ୍ୟାପନା ଓ ଅରବିନ୍ଦ ଦର୍ଶନ ପ୍ରଚାର ପାଇଁ ସମର୍ପିତ ଶ୍ରୀ ମନୋଜ ଦାସ ମଣିଷକୁ ଅଧ୍ୟାତ୍ମକୁ ଜୀବନ ସହ ଯୋଡ଼ିବାର ବାଟ ବତାଇଥିଲେ।

ତାଙ୍କ ମୃତ୍ୟୁରୋ ଓଡ଼ିଶା ସମେତ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଗତବର୍ଷ ଶ୍ରୀ ଦାସଙ୍କ ପତ୍ନୀ ପ୍ରତିଜ୍ଞା ଦେବୀଙ୍କର ଦେହାନ୍ତ ହୋଇଥିଲା। ଉଭୟେ ଆଶ୍ରମ ପାଇଁ ସାରାଜୀବନ ସମର୍ପିତ ଥିଲେ।

Leave A Reply

Your email address will not be published.