Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ଚାର୍ଲି ହେବ୍‌ଡ଼ୋ ବ୍ୟଙ୍ଗ

ବ୍ୟୁରୋ: ପୁଣି ଚର୍ଚ୍ଚାକୁ ଆସିଛି ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ଚାର‌ଳଇ ହେବ୍‌ଡ଼ୋ। ୨୦୧୫ରେ ଇସ୍‌ଲାମିକ୍‌ ଆତଙ୍କବାଦର ଶିକାର ହୋଇ ୧୨ ଜଣ ସାମ୍ବାଦିକଙ୍କୁ ହରାଇଥିବା ଏହି ପତ୍ରିକା ସେତେବେଳେ ମହମ୍ମଦଙ୍କ ବ୍ୟଙ୍ଗଚିତ୍ରକୁ ନେଇ ଚର୍ଚ୍ଚିତ ହୋଇଥିଲା। ଏଥର ଭାରତ ବାବଦରେ ବ୍ୟଙ୍ଗଚିତ୍ର ଆଙ୍କି ପୁଣି ଏହି ପତ୍ରିକା ଚର୍ଚ୍ଚାକୁ ଆସିଛି।

ସାପ୍ତାହିକ ଚାର୍ଲି ହେବ୍‌ଡ଼ୋର ଏପ୍ରିଲ ୨୮ ସଂଖ୍ୟାରେ ଭାରତର କୋଭିଡ୍‌ ସ୍ଥିତିକୁ ନେଇ ଏକ ବ୍ୟଙ୍ଗ ଛବି ଦେଖିବାକୁ ମିଳିଛି। ଛବିରେ ଅମ୍ଳଜାନ ପାଇଁ ଅପେକ୍ଷାରତ କୋଭିଡ୍‌ ରୋଗୀଙ୍କ ଦୁର୍ଦ୍ଦଶା ଦେଖାଇଥିବା ବେଳେ ଏହା ସହ ଏହି ପତ୍ରିକା ଲେଖିଛି- ଭାରତରେ ୩ କୋଟି ୩୦ ଲକ୍ଷ (୩୩ ମିଲିଅନ୍) ଦେବତା ଅଛନ୍ତି, ଅଥଚ ଜଣେ ବି ଅମ୍ଲଜାନ ପ୍ରସ୍ତୁତ କରିପାରୁନାହାନ୍ତି। ପତ୍ରିକା ପକ୍ଷରୁ ଗତ ମେ ୧୧ ତାରିଖରେ ଏହି ବ୍ୟଙ୍ଗ ଛବିଟିକୁ ସାମାଜିକ ଗଣମାଧ୍ୟମରେ ମଧ୍ୟ ଛଡ଼ାଯାଇଛି।

ହିନ୍ଦୁ ଦେବାଦେବୀଙ୍କୁ ଯୋଡ଼ି ଚାର୍ଲି ହେବ୍‌ଡ଼ୋର ଏଭଳି ବ୍ୟଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେହି କେହି ସଂଶୋଧନ କରି ଏହା ୩୩ କୋଟି ବା ୩୩୦ ମିଲିଅନ୍‌ ହେବ ବୋଲି ଲେଖିଥିବା ବେଳେ ଆଉ କେହି ଭାରତରେ ୩୩ କୋଟି ଦେବତା ଅର୍ଥ ୩୩ ଜଣ ବୋଲି ଉଲ୍ଲେଖ କରିଛନ୍ତି। କେହି କେହି ଏ ବ୍ୟଙ୍ଗଚିତ୍ରକୁ ସମର୍ଥନ ଦେଇଥିବା ବେଳେ ଆଉ କେତେକ ବିରୋଧ କରିଛନ୍ତି। ପୁଣି କେହି କେହି ଲେଖିଛନ୍ତି ଯେ ଏହି ବ୍ୟଙ୍ଗଚିତ୍ର ପାଇଁ ହିନ୍ଦୁମାନେ ଅବଶ୍ୟ ଚାର୍ଲି ହେବ୍‌ଡ଼ୋ କାର୍ଯ୍ୟାଳୟରେ ଆକ୍ରମଣ କରିବେ ନାହିଁ କିମ୍ବା କାହାର ଜୀବନ ନେବେନାହିଁ।

ସୂଚନାଯୋଗ୍ୟ, ୨୦୧୫ ଜାନୁଆରୀ ୭ ତାରିଖ ସକାଳେ ପ୍ୟାରିସ୍‌ରେ ଥିବା ଚାର୍ଲି ହେବ୍‌ଡ଼ୋ ମୁଖ୍ୟ କାର୍ଯ୍ୟାଳୟରେ ଇସ୍‌ଲାମ୍‌ ଆତଙ୍କବାଦୀ ଆଖିବୁଜା ଗୁୁଳିଚାଳନା କରିଥିଲେ। ଏଥିରେ ୧୨ ଜଣ କର୍ମଚାରୀ ପ୍ରାଣ ହାରାଇଥିଲେ। ପୂର୍ବରୁ ପତ୍ରିକାର ପ୍ରଚ୍ଛଦରେ ମହମ୍ମଦଙ୍କର ବ୍ୟଙ୍ଗଚିତ୍ର ଆଙ୍କିବା ହେତୁ ଏଭଳି ଆକ୍ରମଣ ହୋଇଥିଲା। ୨୦୨୦ରେ ସମାନ ବ୍ୟଙ୍ଗଛବିକୁ ପୁଣି ପ୍ରଚ୍ଛଦରେ ପ୍ରକାଶ କରି ଚର୍ଚାକୁ ଆସିଥିଲା ଏହି ପତ୍ରିକା। ଏଥିପାଇଁ ଦୁଇଜଣ କର୍ମଚାରୀଙ୍କୁ ଜଣେ ଅଜଣା ଆତତାୟୀ ଛୁରୀ ମାରି ଦରମରା କରିଥିଲେ। ପରେ ଆତତାୟୀ ଜଣକ ଜଣେ ପାକୀସ୍ତାନୀ ଶରଣାର୍ଥୀ ବୋଲି ଚିହ୍ନଟ ହୋଇଥିଲେ।

୧୯୭୦ ମସିହାରୁ ପ୍ରକାଶ ପାଇ ଆସୁଥିବା ଏହି ପତ୍ରିକାର ପ୍ରସାରଣ ସଂଖ୍ୟା ବର୍ତ୍ତମାନ ୫୫ ହଜାର। ଏ ଭିତରେ ବହୁବାର ନ୍ୟାୟିକ ମାମଲାରେ ଛନ୍ଦି ହୋଇଛି ଏହି ପତ୍ରିକା।

Leave A Reply

Your email address will not be published.