Odisha Link
Bridging the Missing Links in Odisha

ଆଜି ପବିତ୍ର ଅକ୍ଷୟ ତୃତୀୟା, ଜାଣନ୍ତୁ ଏହି ଦିନର ମହତ୍ତ୍ବ…

ଆଜିର ଦିନରେ ଅକ୍ଷି ମୁଠି ଅନୁକୂଳ କରାଯାଏ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା। ନାମକରଣ ଅନୁଯାୟୀ, ଆଜିର ଦିନରେ ମନୁଷ୍ୟ ସମାଜରେ ସୁଖ,ସମୃଦ୍ଧି ଓ ସୌଭାଗ୍ୟ ବୃଦ୍ଧି ହେଉ ଏବଂ ତାହା ଅକ୍ଷୟ ରହୁ ବୋଲି କାମନା କରାଯାଏ। ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ। ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ।

ଆଜିର ଦିନରେ ଅକ୍ଷି ମୁଠି ଅନୁକୂଳ କରାଯାଏ। ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି। ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ପୂଜା କରିଥାନ୍ତି। ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ। ଏବଂ ରଥଯାତ୍ରା ପାଇଁ ରଥକାଠର ଶୁଭ ଅନୁକୂଳ କରାଯାଏ।

ଆଜିର ଦିନରେ କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ ତଥା ଗୃହାରମ୍ଭ, ସୁନା ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁସାରେ, ଏହି ଦିନରେ ତ୍ରେତୟା ଯୁଗର ଆରମ୍ଭ ଏବଂ ମୁନୀ ବେଦବ୍ୟାସଙ୍କ ତତ୍ୱାବଧାନରେ ଗଜାନନ ଶ୍ରୀ ଗଣେଶ ଭାରତର ମହାନଗାଥା ତଥା ‘ମହାଭାରତ’ର ଲେଖା ଆରମ୍ଭ କରିଥିଲେ ବୋଲି ବିଶ୍ୱାସ ମଧ୍ୟ ରହିଛି।