Odisha Link
Bridging the Missing Links in Odisha

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା; ଚାଷୀଭାଇଙ୍କ ସମୃଦ୍ଧି ପାଇଁ କଲେ କାମନା

ଓଏଲ୍‌ ବ୍ୟୁରୋ: ଆଜି ପବିତ୍ର ଅକ୍ଷୟ ତୃତୀୟା ଓ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା। ଏହି ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଚାଷୀଭାଇଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉ। ଚଳିତବର୍ଷ ଭଲ ଫସଲ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆଣି ଦେଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାମନା କରିଛନ୍ତି।

ଓଡ଼ିଶାରେ ଅକ୍ଷୟ ତୃତୀୟା ଦିନଟିର ମାହାତ୍ମ୍ୟ ଆହୁରି ଅଧିକ। ବିଶେଷ କରି କୃଷି ପ୍ରାଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଆଜିର ଏହି ପବିତ୍ର ମୁହୂର୍ତ୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି। ବିଶେଷକରି ଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଏହି ପର୍ବ ପ୍ରତିଟି ଓଡ଼ିଆଙ୍କ ଆସ୍ଥାର ପ୍ରତୀକ ବୋଲି କୁହାଯାଏ।

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାକୁ ଅକ୍ଷୟ ତୃତୀୟା କୁହାଯାଏ। ଏହାକୁ ମଧ୍ୟ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ। କୃଷକମାନେ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ଏହାର ପାଳନ କରିଥାନ୍ତି। ଚାଷୀମାନେ କ୍ଷେତରେ ମୁଠାମୁଠା ବିହନ ବୁଣିଥାନ୍ତି, ଯାହାକୁ ଅଖିମୁଠି କହିଥାନ୍ତି। ଆଉ ଆଜିଠାରୁ ଚାଷ କାମ ଆରମ୍ଭ ହୋଇଥାଏ। ଆଜିର ଦିନରେ କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ ତଥା ଗୃହାରମ୍ଭ, ସୁନା ଗହଣା କିଣିବା, ନୂଆ କରି ବ୍ୟବସାୟ ଆରମ୍ଭ କରିବା ଆଦି ଏହି ଦିନରେ ଆରମ୍ଭ କଲେ ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶାସ୍ତ୍ର ଅନୁସାରେ, ଏହି ଦିନରେ ତ୍ରେତୟା ଯୁଗର ଆରମ୍ଭ ଏବଂ ମୁନୀ ବେଦବ୍ୟାସଙ୍କ ତତ୍ୱାବଧାନରେ ଗଜାନନ ଶ୍ରୀ ଗଣେଶ ଭାରତର ମହାନଗାଥା ତଥା ‘ମହାଭାରତ’ର ଲେଖା ଆରମ୍ଭ କରିଥିଲେ ବୋଲି ବିଶ୍ୱାସ ମଧ୍ୟ ରହିଛି।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହେବ। ବିଧି ଅନୁସାରେ, ଶ୍ରୀନଅର ରଥଖଳାରେ ତିନୋଟି ଧଉରା କାଠକୁ ପୂର୍ବରୁ ଶାସ୍ତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜାର୍ଚ୍ଚନା କରିବେ। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୂଙ୍କର ରଥ ନିର୍ମାଣ ପାଇଁ ଆଜ୍ଞାମାନ ଏକ ବିରାଟ ପଟୁଆରରେ ବିଜେ କରିବ। ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ତିନୋଟି ଆଜ୍ଞାମାଳକୁ ଧଉରା କାଠ ଉପରେ ରଖିବେ। ସେପଟେ ଚନ୍ଦନ ଠାକୁରମାନେ ବାହାର ଚନ୍ଦନଯାତ୍ରା ପାଇଁ ବିମାନ ବିଜେ କରି ବଡ଼ଦାଣ୍ଡକୁ ଆସିବେ। ଆଜ୍ଞାମାଳ ଆସିବା ପରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ ପରେ ରଥନିର୍ମାଣର ବିଧି ଆରମ୍ଭ ହେବ।

Leave A Reply

Your email address will not be published.