Odisha Link
Bridging the Missing Links in Odisha

କାଳିଆ: ୪୨ ଲକ୍ଷ ଚାଷୀ ପରିବାର ପାଇଲେ ୯୨୦ କୋଟି ଟଙ୍କା

ଭୁବନେଶ୍ବର: ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ଉପହାର ଦେଇଛି ରାଜ୍ୟ କୃଷି ବିଭାଗ। ଆସନ୍ତାକାଲି ପାରମ୍ପରିକ ଭାବେ ଚାଷୀ ଅକ୍ଷିମୁଠି ଅନୁକୂଳ କରି ଚଳିତ ବର୍ଷର ଚାଷକାର୍ଯ୍ୟ ଆରମ୍ଭ କରିବାକୁ ଥିବା ବେଳେ ଆଜି ରାଜ୍ୟର ପ୍ରାୟ ୪୨ ଲକ୍ଷ କୃଷକ ପରିବାରକୁ କାଳିଆ ଯୋଜନାର କିସ୍ତି ବାବଦରେ ୯୨୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟର କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପରିବାରଙ୍କୁ ଏହି କାଳିଆ ଯୋଜନାରେ ସାମିଲ କରାଯାଇଥିବା ବେଳେ ସମସ୍ତେ ଏହି ଯୋଜନ ର ସହାୟତା ପାଇ ଏହାକୁ ଚାଷ କାମରେ ତଥା ଜୀବନ ଜୀବିକାର ଉନ୍ନତିରେ ଲଗେଇବେ ବୋଲି ମୁଖ୍ୟମନ୍ତ୍ରୀ  ଆଶା ପ୍ରକାଶ କରିଛନ୍ତି।

ଚାଷୀଙ୍କ ବ୍ୟାଙ୍କ ଖାତାକୁ କାଳିଆ କିସ୍ତି ଯିବା ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,

ଚାଷୀଙ୍କ ପାଇଁ ସାରା ଦେଶରେ କାଳିଆ ଯୋଜନା ସବୁଠାରୁ ଭଲ ଯୋଜନା। ଏହି ଯୋଜନା ଚାଷୀ ମୁହଁ ରେ ହସ ଆଣିଛି। ଚାଷୀର ଋଣ ଭାର ଲାଘବରେ ମଧ୍ୟ ଏହା ସହାୟକ ହୋଇଛି।

ଚାଷୀ ଙ୍କ ତ୍ୟାଗର ଉଚ୍ଚ ପ୍ରଶସା କରି ମୁଖ୍ୟମନ୍ତ୍ରୀ କହିଥିଲେ,

ଚାଷୀ ଆମର ଗର୍ବ ଓ ଗୌରବ। ଦେଶ ଓ ସମାଜ ପାଇଁ  ଚାଷୀର ତ୍ଯାଗ ର ତୁଳନା ନାହିଁ। ଗତବର୍ଷ କୋଭିଡ଼ ସମୟରେ ଚାଷୀ ହି ଅର୍ଥନୀତି କୁ ସଜୀବନୀ ପରି ଶକ୍ତି ଦେଇଥିଲା। ତେଣୁ ଚାଷୀର ତ୍ୟାଗର ମୂଲ୍ୟ କେହି ଦେଇପାରିବ ନାହିଁ। ମୋ ରାଜ୍ୟର ଚାଷୀ ,ଭଲରେ ରହୁ। ତାର ରୋଜଗାର ବଢୁ ତା ପରିବାରରେ ସମୃଦ୍ଧି ଆସୁ । ଏଥିପାଇଁ ମୁଁ କାମ କରୁଛି ଓ କରିଚାଲିବି।

କୋଭିଡ଼ ସମ୍ପର୍କରେ ସଚେତନ କରି ମୁଖ୍ୟମନ୍ତ୍ରୀ କହିଥିଲେ,

ଏବେ ଆମେ କୋଭିଡ଼ ସକ୍ରମଣର ଦ୍ଵିତୀୟ ଲହର ର ସାମନା କରୁଛେ। ସକ୍ରମଣକୁ ନିୟନ୍ତ୍ରଣ କରିବାକୁ ଲକ୍ ଡାଉନ ଚାଲିଛି। କିନ୍ତୁ କୃଷି ଷେତ୍ର ପାଇଁ  କୌଣସି ଲକ୍ ଡାଉନ ନାହିଁ। ତେଣୁ ଚାଷୀ ଭାଇମାନେ

କୋଭିଡ଼ ନିୟମ ମାନି ଚାଷ କାମ ଜାରି ରଖିବା ସହିତ ସରକାର ଙ୍କ ବିଭିନ୍ନ କୃଷି ବିକାଶ ଯୋଜନା ର ସୁଯୋଗ  ମଧ୍ୟ ନେବା।

କାଳିଆ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କାଳିଆ ଯୋଜନା କୋଭିଡ଼ ସମୟରେ ଚାଷୀ ପରିବାର ପାଇଁ କିପରି ଉପାଦେୟ ସାବ୍ୟସ୍ତ ହୋଇପାରିଛି ତା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ, ମୁଖ୍ୟମନ୍ତ୍ରୀଙ୍କ କାର୍ଯାଳୟର ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.