Odisha Link
Bridging the Missing Links in Odisha

ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ଆଜି ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗତକାଲି ସର୍ବଦଳୀୟ ବୈଠକରେ ଘୋଷଣା କରିଥିବା କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସହିତ ରୋଗୀଙ୍କ ଅବସ୍ଥା ସଂପର୍କରେ ସମ୍ପର୍କୀୟଙ୍କୁ ସଠିକ ସୂଚନା ଦେବା ଏବଂ ଟିକାକରଣ କେନ୍ଦ୍ରମାନଙ୍କରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂକ୍ରମଣ କମିବା ମଧ୍ୟ ଆରମ୍ଭ କରିଛି । ରାଜ୍ୟରେ ପଜିଟିଭ ହାର ମଧ୍ୟ କମିଛି । ଏ ସବୁ ପାଇଁ ଲକ୍‌ଡାଉନ ଓ ଲୋକଙ୍କ ମଧ୍ୟରେ ସଚେତନତାକୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେଇଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସଂକ୍ରମଣ ହାରକୁ ସଂପୂର୍ଣ୍ଣ କମାଇବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ ଅବଧିକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି। ଲୋକଙ୍କ ସହଯୋଗ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ଯଦି ସମସ୍ତେ କୋଭିଡ ନିୟମ ମାନି ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲିବା ବନ୍ଦ କରିଦେବା, ତେବେ ଆମେ ନିଶ୍ଚୟ ଏହି ଲଢେଇ ଜିତିପାରିବା ।

ଅନ୍ୟପଟେ ରାଜ୍ୟର କୋଭିଡ ପରିସ୍ଥିତି ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର କହିଛନ୍ତି ଯେ, ସାରା ଦେଶରେ ବର୍ତ୍ତମାନ କୋଭିଡ ସଂକ୍ରମଣ କମିବାରେ ଲାଗିଛି। ଭାରତରେ ମଇ ୮ ତାରିଖରେ ଏହା ସର୍ବାଧିକ ୪,୧୪,୧୮୮ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୨,୬୩,୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଓଡିଶାରେ ମଧ୍ୟ ସଂକ୍ରମଣ କମିବାରେ ଲାଗିଛି। ଓଡିଶାରେ ସଂକ୍ରମଣ ମଇ ୧୩ ତାରିଖରେ ସର୍ବାଧିକ ହୋଇଥିଲା ଏବଂ ତା ପରଠାରୁ ଏହା କମିବାରେ ଲାଗିଛି ।

Leave A Reply

Your email address will not be published.