Odisha Link
Bridging the Missing Links in Odisha

ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଘୋଷଣା କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା କାୟା ମେଲାଇ ଥିବା ବେଳେ ଆଉ ଏକ ମହାମାରୀ ଦେଖିବାକୁ ମଳିଛି। ସାରା ଦେଶରେ ଏବେ ବ୍ଲାକ୍ ଫଙ୍ଗସ୍‌ ସଂକ୍ରମଣ ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ବ୍ଲାକ୍ ଫଙ୍ଗସ୍କୁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ମହାମାରୀ’ ଭାବେ ଘୋଷଣା କରାଯାଇ ଥିବା ବେଳେ ରାଜ୍ୟ ସରକାର ମଧ୍ୟ ବ୍ଲାକ୍ ଫଙ୍ଗସକୁ ‘ମହାମାରୀ’ ଘୋଷଣା କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ।

କରୋନା ସଂକ୍ରମିତଙ୍କ ଠାରେ ଏହି ରୋଗ ଦେଖିବାକୁ ମିଳୁଛି। ଏହି ରୋଗରେ ସଂକ୍ରମିତ ହେବା ପରେ ରୋଗୀଙ୍କର ଆଖି ନଷ୍ଟ ହୋଇଯାଉଛି। ଏହି ରୋଗରେ ପୀଡିତ ଜଣେ ବ୍ୟକ୍ତିଙ୍କର ଗତକାଲି ଦିଲ୍ଲୀ ମୂଲଚନ୍ଦ ହସ୍ପିଟାଲରେ ମୃତ୍ୟୁ ହୋଇଛି। ବ୍ଲାକ୍ ଫଙ୍ଗସ୍ ସଂକ୍ରାନ୍ତରେ ସବୁ ରାଜ୍ୟର ସଚିବ ଓ ଏନଏଚଏମ୍ ନିର୍ଦ୍ଦେଶକ ମାନଙ୍କୁ କେନ୍ଦ୍ର ପକ୍ଷରୁ ଚିଠି କରାଯାଇଛି। ଉକ୍ତ ଚିଠିରେ ବ୍ଲାକ୍ ଫଙ୍ଗସ୍କୁ ଏକ ମହାମାରୀ ଭାବେ ଦର୍ଶାଯାଇଛି। ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମିକୋସିସ୍ର ଚିକିତ୍ସା ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ଯେଉଁ ହସ୍ପିଟାଲରେ ସନ୍ଦିଗ୍ଧ ଓ ଏହା ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୁଅନ୍ତି ତେବେ ସେ ସମ୍ପର୍କରେ ସୁଚନା ଦେବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ସ୍ୱାସ୍ଥ୍ୟ ବିଭାଗକୁ ରୋଗୀଙ୍କ ବିସ୍ତୃତ ବିବରଣୀ ଜଣାଇବେ ସିଡିଏମଓ। ଏନେଇ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି।

ଡାଇବେଟିସ୍ ଓ କୋଭିଡ୍ରେ ଷ୍ଟେରଏଡ୍ ନେଉଥିବା ରୋଗୀ ବ୍ଲାକ୍ ଫଙ୍ଗସ୍ ଦ୍ୱାରା ସଂକ୍ରମିତ ହେଉଥିବା ବେଳେ ଅପରପକ୍ଷରେ ଆଖି, ସ୍ନାୟୁ ଓ ଦନ୍ତ ଚିକିତ୍ସକଙ୍କ ମିଳିତ ପ୍ରୟାସ ଆବଶ୍ୟକ ହୁଏ। ବିଶେଷ କରି ଏହି ସଂକ୍ରମଣ କୋଭିଡ୍ ରୁ ସୁସ୍ଥ ହେବା ପରେ ହୋଇଥାଏ।ପ୍ରଥମତଃ ରାଜସ୍ଥାନରେ ଏହାକୁ ମହାମାରୀ ଭାବେ ଘୋଷଣା କରାଯିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ଏହା ଏକ ମହାମାରୀ ବୋଲି ଘୋଷଣା କରିଛନ୍ତି।