ବ୍ଲାକ୍ ଫଙ୍ଗସ୍ ଆତଙ୍କ: ଭୁବନେଶ୍ୱରରୁ ଆଉ ୪ ରୋଗୀ ଚିହ୍ନଟ
ଭୁବନେଶ୍ୱରେ: ରାଜଧାନୀ ଭୁବନେଶ୍ୱରରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ। ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୪ ଜଣ ବ୍ଲାକ୍ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କେୟାର୍ ହସ୍ପିଟାଲରୁ ୪ ଜଣ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିବା ନେଇ ଡାକ୍ତର ମିତାଲି କର ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମୁଣ୍ଡ ବିନ୍ଧିବା, ଆଖି ଫୁଲିଯିବା, ଅନାନିଶ୍ୱାସୀ ଲାଗିବା, ଅଧା ମୁଁହ ଫୁଲିଯିବା ଲକ୍ଷଣ ସହ ଜର ମଧ୍ୟ ରହୁଛି। ଏହା ଛଡ଼ା ଏହି ରୋଗର ଆକ୍ରାନ୍ତ ରୋଗୀଙ୍କୁ ସବୁ କିଛି ଦୁଇ ଦୁଇଟି ଦେଖାଯିବାର ଲକ୍ଷଣ ରହୁଥିବା ଜଣାପଡ଼ିଛି।
ଗତକାଲି ସୋମବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରରୁ ଜଣେ ୭୧ ବର୍ଷ ବୟସ୍କ ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତ ୨୦ ତାରିଖରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣା ପଡିଛି।
ସାରା ଦେଶରେ କରୋନାର ଦ୍ରୁତ ସଂକ୍ରମଣ ଚିନ୍ତାର କାରଣ ପାଲଟିଥିବା ବେଳେ ବୋଝ ଉପରୁ ଲଳିତା ବିଡ଼ା ସାଜିଛି ବ୍ଲାକ୍ ଫଙ୍ଗସ ରୋଗ। କରୋନା ପରେ ଆତଙ୍କ ସୃଷ୍ଟି କରିଛି ‘ବ୍ଲାକ୍ ଫଙ୍ଗସ୍’। ଦେଶରେ ଅନେକ ଡାକ୍ତରଖାନାରୁ କରୋନା ରୋଗୀଙ୍କୁ ବ୍ଲାକ୍ ଫଙ୍ଗସ ରୋଗ ହୋଇଥିବା ମାମଲା ସାମ୍ନାକୁ ଆସୁଛି। ପ୍ରତି ଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଦେଶରୁ ଚିହ୍ନଟ ହେଉଛନ୍ତି।
ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଏବେ କିଛି ରାଜ୍ୟରେ କରୋନା ହେବାର ପର ପର୍ଯ୍ୟାୟରେ ଦେଖିବାକୁ ମିଳୁଛି। ତେବେ ଏହାକୁ ମୁକୋରମାଇକୋସିସ୍ ବୋଲି ମଧ୍ୟ କୁହାଯାଏ। ଏହି ବ୍ଲାକ୍ ଫଙ୍ଗସ୍ ଆମ ଶରୀରର ଚର୍ମ, ଫୁସଫୁସ୍ ଏବଂ ବ୍ରେନ୍ ଉପରେ ପ୍ରଭାବ ପକାଇଥାଏ। ତେବେ ଏନେଇ ଆଡଭାଇଜରୀ ଜାରି କରିଛନ୍ତି ଆଇସିଏମଆର୍। ଆଇସିଏମଆର୍ ପକ୍ଷରୁ କୁହାଯାଇଛି ଯେ ମଧୁମେହ ଏବଂ ଆଇସିୟୁରେ ଅଧିକ ଦିନ ରହୁଥିବା କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହା ବେଶି କ୍ଷତିଘଟାଏ।