Odisha Link
Bridging the Missing Links in Odisha

“ପୂର୍ବରୁ ମାଲକାନଗିରିରେ ଗୁଳି ଶବ୍ଦ ଶୁଭୁଥିଲା, ଏବେ ଶାନ୍ତି ଅଛି”

ଓଏଲ୍‌ ବ୍ୟୁରୋ: ମାଲକାନଗିରି ଜିଲ୍ଲା ଗସ୍ତରେ ବିଜୁ ଜନତା ଦଳର ଟାଣୁଆ ନେତା ଭି.କେ ପାଣ୍ଡିଆନ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଶ୍ରୀ ପାଣ୍ଡିଆନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିବା ପରଠୁ ନିରନ୍ତର ଭାବେ ପାଣ୍ଡିଆନ ବିଭିନ୍ନ ଅଞ୍ଚଳ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କୁ ପ୍ରଚାର କରୁଛନ୍ତି। ଆଜି ମାଲକାନଗିରିର କାଲିମେଳାରେ ଆୟୋଜିତ ଜନସଭାରେ ବଡ଼ ବଡ଼ ଯୋଜନା ମାଲକାନଗିରି ମାଟିରୁ ହିଁ ଆରମ୍ଭ ହୋଇଛି ବୋଲି ପାଣ୍ଡିଆନ ସମ୍ବୋଧିତ କହିଛନ୍ତି।

ଆଜି କାଲିମେଳାରେ ଆୟୋଜିତ ହୋଇଥିବା ଜନସଭାରେ ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି, କାଲିମେଳା ପ୍ରାର୍ଥୀ ମାନସ ମାଡକାମି, ମାଥିଲି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପାଇଁ ପ୍ରଚାର କରିଛନ୍ତି। ଏଥିସହିତ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିଛନ୍ତି ଭି କେ ପାଣ୍ଡିଆନ। ଏଥିସହିତ ଜନତାଙ୍କୁ ବିକାଶର ହିସାବ ଦେଇଛନ୍ତି ପାଣ୍ଡିଆନ। ସେ କହିଛନ୍ତି ଆଦିବାସୀ ଭାଇଭଉଣୀଙ୍କୁ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାକୁ ମଧ୍ୟ ବହୁତ ଭଲ ପାଆନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି, ପୂର୍ବରୁ ମାଲକାନଗିରିରେ ଗୁଳି ଶବ୍ଦ ଶୁଭୁଥିଲା। ଏବେ ଶାନ୍ତି ଅଛି। ପଡ଼ୋଶୀ ରାଜ୍ୟରେ ଡବଲ ଇଞ୍ଜିନ ଚାଲିଥିଲା। କିନ୍ତୁ ଶାନ୍ତି ନଥିଲା। ଦିନେ ଅଶାନ୍ତ ଥିବା କାଲିମେଳା ଏବେ ଶାନ୍ତି ଅଛି। ଏହା ହେଉଛି ନବୀନ ଇଞ୍ଜିନ। ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଆଗେଇ ପାରିଛି ମାଲକାନଗିରି। ଜିଲ୍ଲାର ବିକାଶ ପାଇଁ ବହୁ ଯୋଜନା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ରହିଛନ୍ତି ଆଦିବାସୀ ସମ୍ପ୍ରଦାୟ। ଆଦିବାସୀଙ୍କ ଶିକ୍ଷା, ସଂସ୍କୃତିର ରକ୍ଷଣାବେକ୍ଷଣାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କାଲିମେଳା ଗସ୍ତ ବେଳେ ଏଭଳି କହିଛନ୍ତି ପାଣ୍ଡିଆନ।

ଜନସଭାରେ ବିକାଶର ହିସାବ ଦେଇଛନ୍ତି ୫-ଟି ଅଧ୍ୟକ୍ଷ ପାଣ୍ଡିଆନ। ବଡ଼ ବଡ଼ ଯୋଜନା ମାଲକାନଗିରିରୁ ଆରମ୍ଭ ହୋଇଛି। କଳା, ସଂସ୍କୃତି ଓ ଭାଷାର ଉନ୍ନତି ପାଇଁ ଏସ୍‌ଡିସି ଗଠନ ହୋଇଛି। ଆଦିବାସୀଙ୍କ ୫୦ ହଜାର ମାମଲା ନବୀନ ସରକାର ପ୍ରତ୍ୟାହୃତ କରି ନେଇଛନ୍ତି। ଜନତାଙ୍କ ସବୁ ସମସ୍ୟାର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାସ୍ତାଘାଟ, ଜମି ପଟ୍ଟାରୁ ଆରମ୍ଭ କରି ବିଭିନ୍ନ ମନ୍ଦିର, ଆଶ୍ରମ ଓ ମସଜିଦର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପାଣ୍ଡିଆନ।

ସେ ଆହୁରି କହିଛନ୍ତି, ମାଲକାନଗିରିିର ବିକାଶ ପାଇଁ ରାଜ୍ୟ ସରକାର ୧୨୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମାଲିକେଶ୍ବର ମନ୍ଦିର ପାଇଁ ୨ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ହରିଶ୍ଚନ୍ଦ୍ର ଆଶ୍ରମ ପାଇଁ ଏକ କୋଟି ୨୮ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସେହିପରି ଭୈରବ ମନ୍ଦିର ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ମାରଲକାନଗିରିର ସାଇ ମନ୍ଦିର ପାଇଁ ୪୦ ଲକ୍ଷ ଓ ମସଜିଦ ଉନ୍ନତିକରଣ ପାଇଁ ୧୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା କହିଛନ୍ତି ପାଣ୍ଡିଆନ।

Leave A Reply

Your email address will not be published.