Odisha Link
Bridging the Missing Links in Odisha

ଆସୁଛି ଆଉ ଏକ ଲଘୁଚାପ, ୧୦ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ବର: ଘଡ଼ଘଡ଼ି ସହ ବର୍ଷା ପବନ ହେଲା। ଅଧଘଣ୍ଟାରେ ୩୦ ମିଲିମିଟର ବର୍ଷା ହେଲା ରାଜଧାନୀରେ। କେବଳ ରାଜଧାନୀ ନୁହେଁ ସୋମବାର ସନ୍ଧ୍ୟା ସୁଦ୍ଧା କଟକ, ସମ୍ବଲପୁର ଆଦି ସ୍ଥାନରେ ବର୍ଷା ସହିତ ପବନ ମଧ୍ୟ ହୋଇଛି। ରାତିରେ ରାଜ୍ୟରେ ଅନ୍ୟକିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ଏହା ହେଉଛି ପ୍ରାକ୍‌ ମୌସୁମୀ ବର୍ଷା। ଯାହା ମୌସୁମୀ ଆଗମନର ପୂର୍ବାଭାସ ଦେଇଚି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।

ରାଜ୍ୟରେ ପାଗ ଭଲ ରହିଛି। ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇ ସାରିଲାଣି ମଧ୍ୟ। ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ। ୧୧ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ମୌସୁମୀ ଆସିବା ପାଇଁ ସୁଗମ ହେବ। ଯଦି ସବୁକିଛି ଠିକ୍‌ ରୁହେ ତେବେ ୧୦ ତାରିଖ ବେଳକୁ ଓଡ଼ିଶାରେ ପହଁଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏଭଳି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ।

ସେ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଲାଗି ରହିବ। ମଙ୍ଗଳବାରଠାରୁ ବର୍ଷା କ୍ରମଶଃ ବଢ଼ିବ । ତେବେ ୧୦ ତାରିଖରୁ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ହେବ। ୧୧ ଏବଂ ୧୨ରେ ଆହୁରି ବେଶି ବର୍ଷିବ। ୧୪ ଯାଏଁ ବର୍ଷା ଲାଗି ରହିବ। ପ୍ରଥମେ ଉପକୂଳ ଓଡ଼ିଶା ଓ ପରେ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ବଢ଼ିବ।

ସମ୍ଭାବ୍ୟ ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ୧୧ ତାରିଖରୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ସତର୍କ କରାଇ ଦେଇଛି। ଯେଉଁମାନେ ଗଭୀର ସମୁଦ୍ରକୁ ଯାଇଛନ୍ତି, ସେମାନେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ଫେରି ଆସିବାକୁ କୁହାଯାଇଛି।

Leave A Reply

Your email address will not be published.