Odisha Link
Bridging the Missing Links in Odisha

ପ୍ରତିରକ୍ଷା ମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। କରୋନାର କରାଳ ରୂପରେ ବିଶ୍ବବାସୀ କଲବଲ ହେଉଥିବା ବେଳେ ଏବେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ନିଜେ ଆଜି ଅପରାହ୍ନରେ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ।

ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ, କରୋନା ପଜିଟିଭ ଚିହ୍ନଟ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ରହିଛି। ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ହୋମ କ୍ବାରାଣ୍ଟିନ୍‌ କରିଥିବା ନେଇ କହିଛନ୍ତି ଶ୍ରୀ ସିଂହ। ଗତ ଏକ ସପ୍ତାହ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନେ ନିଜକୁ ଆଇସୋଲେଟ କରିବା ସହ କରୋନା ଟେଷ୍ଟ କରାଇ ନେବାକୁ ସେ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ, ଭାରତରେ ଗତ କିଛି ହେଲା କରୋନା ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ରାଜନାଥ ସିଂହଙ୍କ ପୂର୍ବରୁ ରବିବାର ଦିନ କେନ୍ଦ୍ର ଇଲେକ୍‌ଟ୍ରୋନିକ ଓ ସୂଚନା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମେତ ଅନେକ ମନ୍ତ୍ରୀ ଆଉ ନେତା ମଧ୍ୟ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇସାରିଲେଣି।