Odisha Link
Bridging the Missing Links in Odisha

ଯେଉଁଠୁ ଆରମ୍ଭ ହୋଇଥିଲା ସତ୍ୟାଗ୍ରହ, ସେଇଠି ଭାଙ୍ଗିଦେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ଓଏଲ୍‌ ବ୍ୟୁରୋ: ଯେଉଁଠୁ ମହାତ୍ମା ଗାନ୍ଧୀ ଐତିହାସିକ ସତ୍ୟାଗ୍ରହ ଆରମ୍ଭ କରିଥିଲେ ସେଇଠି ତାଙ୍କର ପ୍ରତିମୂର୍ତ୍ତିକୁ କେହି ଅଜଣା ଅପରାଧୀ ଭାଙ୍ଗି ଦେଇଛନ୍ତି। ରବିବାର ରାତିରେ ବିହାରର ପୂର୍ବ ଚମ୍ପାରନ ଜିଲ୍ଲା ସଦର ମହକୁମା ମୋତିହାରିର ଚରଖା ପାର୍କରେ ଏଭଳି ଅଭାବନୀୟ ଘଟଣା ଘଟିଛି।

୧୯୧୭ ମସିହାରେ ମହାତ୍ମା ଗାନ୍ଧୀ ଏହିଠାରୁ ନିଜର ସତ୍ୟାଗ୍ରହ ଆରମ୍ଭ କରିଥିଲେ, ଯାହା ପରବର୍ତ୍ତୀ ସମୟରେ ଇଂରାଜ ସରକାର ବିରୋଧରେ ସାରା ଦେଶରେ ଏକ ଅସ୍ତ୍ର ଭାବରେ ବ୍ୟବହୃତ ହୋଇଥିଲା। ଏହି ଘଟଣାର ଶତବାର୍ଷିକୀ ପାଳନ ଅବସରରେ ୨୦୧୭ରେ ମୋତିହାରି ସହରର ଚରଖା ପାର୍କରେ ଗାନ୍ଧିଜୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।

ଗତକାଲି ସକାଳେ ସ୍ଥାନୀୟ ବାସିନ୍ଦା ପାର୍କ ଯାଇଥିବା ବେଳେ ମୂର୍ତ୍ତି ଭାଙ୍ଗି ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ ଏ ଘଟଣାରେ ନିଜଆଡ଼ୁ ମାମଲା ରୁଜୁ କରିଛି। କିଛି ବ୍ୟକ୍ତି ମିଳିତ ଭାବେ ମୂର୍ତ୍ତି ଭାଙ୍ଗିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ଧରିବାରେ ସଫଳ ହୋଇଛି ପୁଲିସ। ଅନ୍ୟମାନଙ୍କୁ ଖୋଜା ଚାଲିଛି।

ଭାଙ୍ଗି ଯାଇଥିବା ପ୍ରତିମୂର୍ତ୍ତି ସ୍ଥାନରେ ତୁରନ୍ତ ଏକ ନୂଆ ମୂର୍ତ୍ତି ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ବ ଚମ୍ପାରନ ଜିଲ୍ଲାପାଳ ଶୀର୍ଷତ୍‌ କପିଲ ଅଶୋକ। ଅପରାଧୀମାନଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ପୁଲିସ ଦଳ ଲାଗିଛନ୍ତି ବୋଲି ଜିଲ୍ଲା ପୁଲିସ ଅଧୀକ୍ଷକ ଡକ୍ଟର କୁମାର ଆଶିଷ ଗଣମାଧ୍ୟମକୁ କହିଛନ୍ତି।

Leave A Reply

Your email address will not be published.