Odisha Link
Bridging the Missing Links in Odisha

ଫୁଲୁଛି ମହାନଦୀ, ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩୦ ଗେଟ୍

ସମ୍ବଲପୁରରେ ହଜାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ

ଓଏଲ୍‌ ବ୍ୟୁରୋ: ଧିରେ ଧିରେ ଫୁଲୁଛି ମହାନଦୀ। ଏହାକୁ ନଜରରେ ରଖି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍। ୩ଟି ପର୍ଯ୍ୟାୟରେ ଆଜି ଖୋଲିଛି ୧୦ଟି ଗେଟ୍। ଜଳଭଣ୍ଡାରକୁ ୪ ଲକ୍ଷ ୬୬ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ପରିମାଣର ଜଳ ନିଷ୍କାସିତ ହେଉଛି। ହୀରାକୁଦର ଜଳସ୍ତର ରହିଛି ୬୧୭ ଦଶମିକ ୦୨ ଫୁଟ। ଜଳ ଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ।ପ୍ରବଳ ବର୍ଷା ଯୋଗୁଁ ଛତିଶଗଡ଼ ଉବୁଟୁବୁ ହେଉଥିବାରୁ ହୀରାକୁଦରେ ଆହୁରି ଅଧିକ ଗେଟ୍ ଖୋଲିପାରେ। ଆସନ୍ତା କାଲି ସକାଳ ୮ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୬ ଲକ୍ଷ କ୍ୟୁସେକ ପାଣି ଅତିକ୍ରମ କରିବ। ଏଥିପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ସତର୍କ କରାଯାଇଛି।

ଏସବୁ ମଧ୍ୟରେ ସମ୍ବଲପୁରରେ ହଜାରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ। ସେ ଆହୁରି କହିଛନ୍ତି, ଉପରମୁଣ୍ଡରେ ଯେଭଳି ବର୍ଷା ହେଉଛି ଅଧିକ ଗେଟ୍‌ ଖୋଲିପାରେ। ୧୦୦୫ ଲୋକଙ୍କୁ ସ୍ଥାନ୍ତାନ୍ତର କରାଯାଇଥିବା ବେଳେ ୭ଟି ରିଲିଫ୍‌ କ୍ୟାମ୍ପ ସକ୍ରିୟ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ସେ ଆହୁରି କହିଛନ୍ତି, ପମ୍ପିଂ ମାଧ୍ୟମରେ ସହରର ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ଚାଲିଛି। ସ୍ଥିତି ଉପରେ ନଜର ରଖିଛୁ। ଆଦୌ ଭୟଭୀତ ହୁଅନ୍ତୁନି।

ମହାନଦୀର ଜଳସ୍ତର ବଢ଼ିବା ପରେ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଆଉ ମହାନଦୀର ଅବବାହିକାରେ ଥିବା ୧୦ରୁ ଅଧିକ ଜିଲ୍ଲାରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି। ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ, ଅନୁଗୁଳ, କଟକ, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ଏହି ସବୁ ଜିଲ୍ଲାର ନଦୀ କୁଳିଆ ଅଞ୍ଚଳ ଓ ତଳି ଅଞ୍ଚଳରେ ବନ୍ୟା ପାଣି ପଶିବାର ଆଶଙ୍କା ସୃଷ୍ଟି ହୋଇଛି।

କେବଳ ମହାନଦୀ ନୁହେଁ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବଢ଼ି ବଢ଼ି ଚାଲିଛି। ବୈତରଣୀର ବିପଦ ସଂକେତ ୧୭ ଦଶମିକ ୮୩ ମିଟର ରହିଥିବାବେଳେ ଆଖୁଆପଦା ନିକଟରେ ଜଳସ୍ତର ୧୮ଦଶମିକ ୦୮ ମିଟର ଉପରେ ପ୍ରବାହିତ ହେଉଛି। ଯାହା ଫଳରେ ଭଦ୍ରକର ଧାମନଗର, ଭଣ୍ଡାରୀପୋଖରୀ ଓ ଯାଜପୁର ଜିଲ୍ଳାରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

Leave A Reply

Your email address will not be published.