Odisha Link
Bridging the Missing Links in Odisha

ରାଜଭବନରୁ ୭ ଚନ୍ଦନ ଗଛ ଚୋରି

ରାଜ୍ୟପାଳଙ୍କ ପ୍ରମୁଖ ସଚିବଙ୍କ ବାସଭବନ ଭିତରୁ ଗୋଟିଏ ଗଛ ଚୋରି ହୋଇଛି

ଭୁବନେଶ୍ବର: ଭୁବନେଶ୍ବର କେନ୍ଦ୍ର ସ୍ଥଳରେ ଅବସ୍ଥିତ ରାଜ୍ୟର ସର୍ବୋଚ୍ଚ କ୍ଷମତା କେନ୍ଦ୍ର ରାଜ୍ୟପାଳଙ୍କ ବାସଭବନ ପରିସରରୁ ୭ଟି ବହୁମୂଲ୍ୟ ଚନ୍ଦନ ଗଛ ଚୋରି ହୋଇଥିବା ସୂଚନା ମିଳିଛି। ବିଶେଷଜ୍ଞଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଯଦି ପାକଳ ଗଛ ହୋଇଥାଏ ତେବେ ୭ଟି ଚନ୍ଦନ ଗଛର ବଜାର ମୂଲ୍ୟ ପ୍ରାୟ ୧.୫ କୋଟି ଟଙ୍କା ହେବ। ରାଜଭବନ ପରିସରରୁ ଚନ୍ଦନ ଗଛ ଚୋରି ହେବା ନେଇ ଗତକାଲି କ୍ୟାପିଟାଲ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।

ରାଜଭବନ ପରିସରରୁ ୩ଟି ଚନ୍ଦନ ଗଛ ଚୋରି ହେବା ନେଇ ପୁଲିସରେ ଅଭିଯୋଗ ହୋଇଥିଲେ ହେଁ ଅସଲରେ ୭ଟି ଚୋରି ହୋଇଛି ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟପାଳ ଓଡ଼ିଶାରେ ଅନୁପସ୍ଥିତ ଥିବା ସମୟରେ ରାଜ୍ୟର ସବୁଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ଥିବା ଅଞ୍ଚଳରୁ ଚନ୍ଦନ ଚୋରି ହେବା ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜଭବନର ବିଭିନ୍ନ ସ୍ଥାନରୁ ଚନ୍ଦନ ଗଛ କଟା ଯାଇଥିବା ବେଳେ ସମାନ ପରିସର ଭିତରେ ଥିବା ରାଜ୍ୟପାଳଙ୍କର ପ୍ରମୁଖ ଶାସନ ସଚିବଙ୍କ ବାସଭବନରୁ ମଧ୍ୟ ଗୋଟିଏ ଗଛ ଉଭାନ ହୋଇଯାଇଛି।

ଅକ୍ଟୋବର ୨୦ ତାରିଖଠାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ହରିଆଣା ଗସ୍ତରେ ଯାଇଛନ୍ତି ଏବଂ ସେ ନଭେମ୍ବର ୫ ତାରିଖରେ ଓଡ଼ିଶା ଫେରିବେ। ତାଙ୍କ ଅନୁପସ୍ଥିତିରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି।

ପୂର୍ବରୁ ଭାଲୁ ମୁଣ୍ଡିଆ ନାମରେ ଖ୍ୟାତ ପାହାଡ଼ିଆ ଓ ଜଙ୍ଗଲି ଅଞ୍ଚଳରେ ରାଜଭବନ ପ୍ରତିଷ୍ଠା ହୋଇଥିଲା। ଏଠାରେ ଶତାଧିକ ଚନ୍ଦନ ଗଛ ସମେତ ବହୁ ମୂଲ୍ୟବାନ ଗଛ ରହିଛି। ଏବେ ପ୍ରଥମ ଥର ପାଇଁ ଚନ୍ଦନ ଗଛ ଚୋରି ହୋଇଛି ନା ନିୟମିତ ଭାବରେ ଏଭଳି ହୋଇଆସୁଛି ତାହା ତଦନ୍ତ ସାପେକ୍ଷ। ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବାସଭବନ ଭିତରୁ ଚନ୍ଦନ ଗଛ ଚୋରି ହୋଇଯିବା ତତୋଧିକ ପରିତାପର ବିଷୟ। ତେବେ ସୂଚନା ଅନୁସାରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସେଠାରେ ରହୁନାହାନ୍ତି। ସେ ଅନ୍ୟତ୍ର ରହନ୍ତି ଓ ରାଜଭବନ ପରିସରରେ ଥିବା ତାଙ୍କର ବାସଭବନରେ ରାଜଭବନ ଚିକିତ୍ସାଳୟର ଡାକ୍ତର ରହୁଛନ୍ତି।

ଗୋଟିଏ ପାକଳ ଚନ୍ଦନ ଗଛରୁ ପ୍ରାୟ ୧୦୦ କେଜି ଚନ୍ଦନ କାଠ ମିଳିଥାଏ ଏବଂ କେଜି ପିଛା ପ୍ରାୟ ୨୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଅନୁରୂପ ଭାବେ ଗୋଟିଏ ଚନ୍ଦନ ଗଛର ମଞ୍ଜରୁ ପ୍ରାୟ ଏକ ଲିଟର ଚନ୍ଦନ ତେଲ ବାହାରିଥାଏ ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା। ଏହା ଚନ୍ଦନ ବାସ୍ନା ଭାବରେ ବିଭିନ୍ନ ତୈଳ ସହ ମିଶ୍ରଣ ହୋଇ ବିକ୍ରି ହୋଇଥାଏ।

Leave A Reply

Your email address will not be published.