Odisha Link
Bridging the Missing Links in Odisha

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଆୟୋଜନ ନେଇ ଅନିଶ୍ଚିତତା

୨୦୨୩ ଜାନୁଆରୀରେ ହେବାକୁ ଥିବା ହକି ବିଶ୍ବକପ୍‌ ପାଇଁ ସମାନ ପଡ଼ିଆରେ ଡଟ୍‌ ଫେଷ୍ଟ୍‌ ହେବାକୁ ଥିବାରୁ ଏବଂ ଆୟୋଜକମାନେ ଏକ ମାସ ଆଗରୁ ପଡ଼ିଆ ଚାହୁଥିବାରୁ ପୁସ୍ତକମେଳା ପାଇଁ ପଡ଼ିଆ ଦିଆଯାଇପାରିବନାହିଁ ବୋଲି ଇଡ୍‌କୋ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବର: ସରକାରୀ ସ୍ତରରେ ଆୟୋଜିତ ପୁସ୍ତକମେଳା “ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ଅକ୍ଷର”ର ଚତୁର୍ଥ ସଂସ୍କରଣ ଡିସେମ୍ବର ମାସରେ ହେବାକୁ ଥିବାବେଳେ ଏହାର ଆୟୋଜନ ନେଇ ପୁଣି ଅନିଶ୍ଚିତତା ଦେଖାଯାଇଛି। ପୂର୍ବରୁ ଲଗାତାର ଭାବେ ଦୁଇଥର ପୁସ୍ତକମେଳା ବନ୍ଦ ହୋଇଥିବା ବେଳେ ଏଥର ଯଦି ପୁଣି ବନ୍ଦହେଲେ ଲେଖକ, ପାଠକ, ପ୍ରକାଶକ ଓ ବୁଦ୍ଧିଜୀବୀ ମହଲରେ ବ୍ୟାପକ ଅସନ୍ତୋଷ ଦେଖାଦେବ।

ଅଗାମୀ ଡିସେମ୍ବର ୯ରୁ ୧୮ ତାରିଖ ଯାଏଁ ୧୦ ଦିନ ଧରି ୪ର୍ଥ ରାଜ୍ୟ ପୁସ୍ତକମେଳା ହେବ ବୋଲି ସଂସ୍କୃତି ବିଭାଗ ନିଷ୍ପତି ନେଇଥିଲେ। ଏ ନେଇ ମେଳା ଆୟୋଜନ କମିଟି ପକ୍ଷରୁ ପ୍ରକାଶକମାନଙ୍କୁ ସୂଚନା ଦିଆଯାଇଥିଲା ଓ ଇତି ମଧ୍ୟରେ ପ୍ରାୟ ୨୦୦ରୁ ଅଧିକ ଷ୍ଟଲ ବୁକ୍‌ ହୋଇସାରିଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ପୁସ୍ତକମେଳା ହେବା ନେଇ ସ୍ଥିର ହୋଇଥିଲା। ତେବେ ୨୦୨୩ ଜାନୁଆରୀରେ ହେବାକୁ ଥିବା ହକି ବିଶ୍ବକପ୍‌ ପାଇଁ ସମାନ ପଡ଼ିଆରେ ଡଟ୍‌ ଫେଷ୍ଟ୍‌ ହେବାକୁ ଥିବାରୁ ଏବଂ ଆୟୋଜକମାନେ ଏକ ମାସ ଆଗରୁ ପଡ଼ିଆ ଚାହୁଥିବାରୁ ପୁସ୍ତକମେଳା ପାଇଁ ପଡ଼ିଆ ଦିଆଯାଇପାରିବନାହିଁ ବୋଲି ଇଡ୍‌କୋ କର୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ଭୁବନେଶ୍ବରରେ ୧୯୮୫ ମସିହାରେ ପ୍ରଥମେ ଭୁବନେଶ୍ବର ପୁସ୍ତକମେଳା, ପରେପରେ ରାଜଧାନୀ ପୁସ୍ତକମେଳା, କଳିଙ୍ଗ ପୁସ୍ତକମେଳା ଓ ଏକାମ୍ର ପୁସ୍ତକମେଳା ନାମରେ ବର୍ଷତମାମ ଭିନ୍ନ ଭିନ୍ନ ସମୟରେ ଚାରିଗୋଟି ମେଳା ହେଉଥିଲା। ୨୦୧୯ରେ ସରକାରଙ୍କ ନିଷ୍ପତି କ୍ରମେ ଏହି ଚାରି ମେଳାକୁ ବିଲୀନ କରି ସରକାରୀ ଉଦ୍ୟମରେ ବର୍ଷରେ ଗୋଟିଏ ପୁସ୍ତକମେଳା ଆୟୋଜନ କରାଯିବାର ନିଷ୍ପତ୍ତି ହୋଇଥିଲା। ସେହିବର୍ଷ ପ୍ରଦର୍ଶନୀ ପଡ଼ିଆରେ “ପ୍ରଥମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ – ଅକ୍ଷର” ଆୟୋଜିତ ହୋଇଥିଲା। ପ୍ରଥମ ବର୍ଷ ପୁସ୍ତକ ଆୟୋଜନ ଦାୟିତ୍ବ କଟକର ଏକ ଅନୁଷ୍ଠାନ ଓଡ଼ିଶା ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘକୁ ଦିଆଯାଇଥିବାବେଳେ ୨୦୨୦ରେ “ଦ୍ବିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ -ଅକ୍ଷର” ଆୟୋଜନ ଦାୟିତ୍ବ ଭୁବନେଶ୍ବର ପୁସ୍ତକମେଳା କମିଟିକୁ ଦିଆଗଲା। ଏହି କମିଟି ସହ କଳିଙ୍ଗ ପୁସ୍ତକମେଳା, ଏକାମ୍ର ପୁସ୍ତକମେଳା ଓ ଓଡ଼ିଶା ପ୍ରକାଶକ ଓ ପୁସ୍ତକ ବିକ୍ରେତା ସଂଘ ମଧ୍ୟ ଆୟୋଜନ ଦାୟିତ୍ବରେ ରହିଲେ।

ସରକାରୀ ପୁସ୍ତକମେଳା ପ୍ରଥମ ଓ ଦ୍ବିତୀୟ ବର୍ଷ ଆଶାନୁରୂପ ସଫଳ ହୋଇ ନଥିଲେ ହେଁ ୨୦୨୧ରେ ପୁଣି ତୃତୀୟ ଥର ମେଳା ଆୟୋଜନ ପାଇଁ ସରକାର ଅଣ୍ଟା ଭିଡ଼ିଲେ। ସେବର୍ଷ ସବୁ ଘୋଷଣା ସରିଥିବାବେଳା ମେଳାର ମାତ୍ର ୪ ଦିନ ପୂର୍ବରୁ ଏହାକୁ ବନ୍ଦ ଘୋଷଣା କରିଥିଲେ ରାଜ୍ୟ ସରକାର। ପୁନର୍ବାର ୨୦୨୨ ଏପ୍ରିଲ ମାସରେ ମେଳା ଆୟୋଜନ ପାଇଁ ପୁଣି ସରକାର ଘୋଷଣା କରିଥିଲେ। ଏ ସମୟରେ ଅନ୍ୟ ମେଳା ହେଉଥିବାବେଳେ ଅତ୍ୟଧିକ ରୌଦ୍ରତାପ ଦର୍ଶାଇ ପୁଣି ସରକାର ଏହାକୁ ବାତିଲ କରିଥିଲେ। ଆସନ୍ତା ମାସରେ ପୁଣିଥରେ ମେଳା ଆୟୋଜନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ପଡ଼ିଆ ବାତିଲ ହେବାରୁ ଏବେ ମେଳା ଆୟୋଜନ ନେଇ ସନ୍ଦେହ ଉପୁଜିଛି। ତୃତୀୟ ରାଜ୍ୟ ପୁସ୍ତକମେଳା ଆଦୌ ହୋଇପାରି ନଥିବା ବେଳେ ଚତୁର୍ଥ ମେଳା ୭ ମାସ ତଳେ ବାତିଲ ହୋଇଥିଲା। ଆଗାମୀ ମାସରେ ଏହାର ଆୟୋଜନ ନେଇ ପ୍ରସ୍ତୁତି ଉପରେ ପୁଣି ପ୍ରଶ୍ନବାଚୀ ସୃଷ୍ଟିହୋଇଛି।

ସରକାର ମେଳା ବାତିଲ କରିବେ ନା ଭୁବନେଶ୍ବରର ଅନ୍ୟ କୌଣସି ପଡ଼ିଆରେ ତାହା ଆୟୋଜନ କରିବେ ସେ ନେଇ ଏଯାଏଁ କିଛି ନିଷ୍ପତ୍ତି ହୋଇନାହିଁ। ଗଣମାଧ୍ୟମକୁ ସୂଚନା ଦେଇ ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ କହିଛନ୍ତି ଯେ ଏଯାଏଁ ମେଳା ପାଇଁ ପଡ଼ିଆ ନମିଳିବା ନେଇ ସରକାରୀ ଭାବେ କୌଣସି ସୂଚନା ତାଙ୍କୁ ମିଳିନାହିଁ। ଅନ୍ୟ ସ୍ଥାନରେ ମେଳା ହେବ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଦାସ କହିଥିଲେ ଯେ ଯେହେତୁ ଏହା ପ୍ରଦର୍ଶନୀ ପଡ଼ିଆରେ ହୋଇଆସୁଛି, ସ୍ଥାନ ପରିବର୍ତ୍ତନ ହେଲେ ଲୋକଙ୍କୁ ଜାଣିବାରେ ଅସୁବିଧା ଉପୁଜିପାରେ।

ଅନ୍ୟ ପକ୍ଷେ ମେଳା ଆୟୋଜନ କମିଟିର ସଦସ୍ୟ ତଥା ରାଜଧାନୀ ପୁସ୍ତକମେଳା କମିଟି ସଂପାଦକ ଉପେନ୍ଦ୍ର କୁମାର ଜେନାଙ୍କୁ ଏ ସଂକ୍ରାନ୍ତରେ ପଚାରିବାରୁ ସେ କହିଛନ୍ତି, ଅନ୍ୟ ସ୍ଥାନକୁ ଘୁଞ୍ଚାଇବା ନେଇ ଆଲୋଚନା ଚାଲିଛି।

କଥାଶିଳ୍ପୀ ତଥା ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା କହଛନ୍ତି ଯେ ପୁସ୍ତକମେଳା ପାଇଁ ସରକାରଙ୍କର ଆଗ୍ରହ ଥିଲେ ହେଁ ସଂସ୍କୃତି ନିର୍ଦ୍ଦେଶାଳୟର ଅପାରଗତା ଓ ଅନ୍ୟ ବିଭାଗ ସହ ସମନ୍ୱୟ ଅଭାବରୁ ବହି ମେଳା ବାରମ୍ବାର ବନ୍ଦ ହେଉଛି। ମେଳା ହେଉ ବୋଲି ସରକାରଙ୍କର ଆଗ୍ରହ ଅଛି। କିନ୍ତୁ ଅନ୍ୟ ବିଭାଗ ସହ ସମନ୍ବୟର ଅଭାବ ଯୋଗୁଁ ଅଥବା ଜାଣିଶୁଣି ସଂସ୍କୃତି ନିର୍ଦେଶାଳୟ ଦୁଇ ବର୍ଷ ହେଲା ମେଳା ବାତିଲ କରୁଛି। ମେଳା ବାତିଲ ହେବା ସତ୍ବେ ସରକାରୀ ତହବିଲରୁ ଦୁଇବର୍ଷ ହେବ ଟଙ୍କା ଖର୍ଚ ହୋଇଚାଲିଛି। ମେଳା ବନ୍ଦ ଆଳରେ କେତେବେଳେ ସରକାରଙ୍କୁ ଦୋଷ ଦେଇ ତ କେତେବେଳେ ପ୍ରକାଶକଙ୍କ ମୁଣ୍ଡରେ ଅଠାବୋଳି କିଏ ଏ ଟଙ୍କା ଲୁଟୁଛି ତାହାର ତଦନ୍ତ ହେବା ଜରୁରୀ। ବିଶ୍ୱ କପ୍ ହକି ବାବଦରେ ବର୍ଷେ ଆଗରୁ ଜଣା ଥିଲେ ହେଁ ସଂସ୍କୃତି ନିର୍ଦ୍ଦେଶାଳୟ କାହିଁକି ସମାନ ସମୟରେ ମେଳା କରିବାକୁ ନିଷ୍ପତ୍ତି ନେଇଥିଲେ ଜଣାନ୍ତୁ। ଭୁବନେଶ୍ୱରର ପ୍ରକାଶକମାନଙ୍କୁ ଜାଣିଜାଣି ମେଳା ଆୟୋଜନ କାର୍ଯ୍ୟକ୍ରମରୁ ଦୂରେଇ ରଖୁଛି ନିର୍ଦ୍ଦେଶାଳୟ। ଏଥର ମେଳା ପାଇଁ ତୁରନ୍ତ ସ୍ଥାନ ଓ ସମୟ ନିରୂପଣ କରାଯିବା ସହ ଭୁବନେଶ୍ବରର ପ୍ରକାଶକମାନଙ୍କୁ ମେଳା ଆୟୋଜନ ସମ୍ପର୍କିତ ବୈଠକରେ ସାମିଲ କରାଯାଉ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସୂଚନାଯୋଗ୍ୟ, କଳିଙ୍ଗ ପୁସ୍ତକମେଳା କମିଟି ସରକାରୀ ମେଳା ଆୟୋଜନରେ ପ୍ରଥମେ ସାମିଲ ଥିଲେ ହେଁ ଚଳିତ ବର୍ଷ ସେଥିରୁ ଓହରି ଆସି ପୁଣି ଏକକ ଉଦ୍ୟମରେ ସଫଳତାର ସହ ଅକ୍ଟୋବର ୨୮ରୁ ନଭେମ୍ବର ୬ ପର୍ଯ୍ୟନ୍ତ ୨୫ତମ କଳିଙ୍ଗ ପୁସ୍ତକ ମେଳା ଆୟୋଜନ କରିଥିଲେ।

Leave A Reply

Your email address will not be published.