Odisha Link
Bridging the Missing Links in Odisha

ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ ଏକାଡେମୀ ପୁରସ୍କାର

ପାଠକୀୟ ଶ୍ରଦ୍ଧା ଜଣେ ଲେଖକ ପାଇଁ ବଡ଼ ପୁରସ୍କାର। ତେବେ ଆନୁଷ୍ଠାନିକ ସ୍ବୀକୃତି ଲେଖକକୁ ପ୍ରେରଣା ଦେଇଥାଏ: ଗାୟତ୍ରୀବାଳା ପଣ୍ଡା

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କର କବିତା ସଂକଳନ ‘ଦୟାନଦୀ’ ପାଇଁ ଡ. ପଣ୍ଡାଙ୍କୁ ଏହି ପୁରସ୍କାର ମିଳିବ। ବହିଟିକୁ ପ୍ରକାଶକ କରିଛନ୍ତି ପକ୍ଷୀଘର ପ୍ରକାଶନୀ।

ପୁରସ୍କାର ଘୋଷଣା ପରେ ଡ. ପଣ୍ଡା ଓଡ଼ିଶା ଲିଙ୍କ୍‌‌କୁ ନିଜର ପ୍ରତିକ୍ରିୟ ଦେଇ କହିଛନ୍ତି ଯେ ଜଣେ ଲେଖକଙ୍କ ପାଇଁ ପାଠକୀୟ ଶ୍ରଦ୍ଧା ସବୁଠୁ ବଡ଼ ପୁରସ୍କାର। ତେବେ ଆନୁଷ୍ଠାନିକ ସ୍ବୀକୃତି ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି। ଏ ଅବସରରେ ଏଥର ପୁରସ୍କାର ଚୟନ କମିଟିର ସଦସ୍ୟ, ପ୍ରକାଶକ ଓ ତାଙ୍କୁ ଭଲପାଉଥିବା ପାଠକମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଏ ପୁରସ୍କାର ତାଙ୍କର ବ୍ୟକ୍ତିଗତ ପ୍ରାପ୍ୟ ନୁହେଁ, ବରଂ ବିଶାଳ ଓ ଦୀର୍ଘ ଓଡ଼ିଆ ସାହିତ୍ୟ ପରମ୍ପରାକୁ ଏହା ଏକ ସ୍ବୀକୃତି ବୋଲି ଡ. ପଣ୍ଡା କହିଛନ୍ତି।

‘ଦୟାନଦୀ’ କବିତା ସଂକଳନ ଡ. ପଣ୍ଡାଙ୍କର ଅନ୍ୟତମ ପ୍ରସିଦ୍ଧ କବିତା ସଂକଳନ ହୋଇଥିବାବେଳେ ନିକଟରେ ଏହାର ହିନ୍ଦୀ ଅନୁବାଦ ରାଜକମଲ ପ୍ରକାଶନୀ ଦ୍ବାରା ପ୍ରକାଶ ପାଇ ତାଙ୍କୁ ଜାତୀୟ ସ୍ତରରେ ଅଧିକ ପରିଚିତି ଦେଇଛି।

୧୯୭୭ ମସିହାରେ ଜନ୍ମିତ ଗାୟତ୍ରୀବାଳା ସାମ୍ବାଦିକତାକୁ ପ୍ରଥମେ ନିଜର ବୃତ୍ତି କରିଥିଲେ ବି ପିଲାଟିବେଳୁ କବିତାରେ ବ୍ରତୀ ଥିଲେ। କବିତା ଭିନ୍ନ ସେ ଗଳ୍ପ ଓ ଉପନ୍ୟାସ ମଧ୍ୟ ଲେଖିଛନ୍ତି। ଏକଦା ‘ଅନ୍ୟା’ ନାମରେ ଏକ ପ୍ରସିଦ୍ଧ ସାହିତ୍ୟ ପତ୍ରିକାର ସଂପାଦନା କରୁଥିବା ଡ. ପଣ୍ଡାଙ୍କର ଆହତ ପ୍ରତିଶ୍ରୁତି (୨୦୦୧), ଅସ୍ପଷ୍ଟ ଈଶ୍ବର (୨୦୦୨), ଅଣାୟତ (୨୦୦୬), ଗାଁ (୨୦୦୮), ଯେତିକି ଦିଶୁଛି ଆକାଶ (୨୦୧୧), ଆଖି ନାଇଁ କାନ ନାଇଁ (୨୦୧୩), ଏ ରାତିର ଯେତେ ତାରା (୨୦୧୪), ବାଘ (୨୦୧୫), ଦୟାନଦୀ (୨୦୧୭), ମହେଞ୍ଜୋଦାରୋ (୨୦୧୮), ନିର୍ବାଚିତ କବିତା (୨୦୧୯) ଓ ପ୍ରାର୍ଥନାର ଶବ୍ଦପରି (୨୦୨୨) ପ୍ରମୁଖ କବିତା ସଂକଳନ ପ୍ରକାଶ ପାଇସାରିଛି। ସେହିପରି ବିସର୍ଜନ (୨୦୧୫), ନିଜକୁ ନେଇ ସତ ଗପ (୨୦୧୯) ନାମରେ ତାଙ୍କର ଦୁଇଟି ଗଳ୍ପ ସଂକଳନ ଥିବାବେଳେ ମମି ଯାହା ଜାଣେନାହିଁ (୨୦୧୬) ଶୀର୍ଷକ ଏକ ଉପନ୍ୟାସ ମଧ୍ୟ ରହିଛି। ଇଂରାଜୀରେ ଅନୁଦିତ ହୋଇ ତାଙ୍କର କବିତା ସଂକଳନ ଗ୍ରାଣ୍ଡ୍‌ମା ଆଣ୍ଡ ଅଦର୍‌ ପୋଏମ୍ସ (୨୦୧୮) ଓ ଗଳ୍ପ ସଂକଳନ ମାଇଁ ଟ୍ରୁଥ୍ ମାଇଁ ଷ୍ଟୋରୀ (୨୦୨୨) ପ୍ରକାଶ ପାଇଛି। ହିନ୍ଦୀରେ ଅନୁଦିତ ହୋଇ ତାଙ୍କର ଚାରିଗୋଟି କବିତା ପୁସ୍ତକ ଧୂପ୍‌ କୋ ରଙ୍ଗ୍‌ (୨୦୦୬), ଖୋ ଜାତି ହେ ଲଡ୍‌‌କୀୟାଁ (୨୦୧୭), କହନେ କୋ କୁଛ୍‌ ନହିଁ ହୋତା (୨୦୨୨) ଓ ଦୟାନଦୀ (୨୦୨୨) ପ୍ରକାଶ ପାଇଛି।

ଜଣେ ଛାତ୍ରୀ ଭାବରେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ସ୍ବର୍ଣପଦକ ପାଇଥିବା ଡ. ପଣ୍ଡା ନିଜର ସାହିତ୍ୟ ସାଧନା ପାଇଁ ରାଷ୍ଟ୍ରପତି ଭବନରେ ଏକମାସ ବ୍ୟାପୀ ରାଇଟର୍ସ ଇନ୍‌ ରେସିଡେନ୍ସ କାର୍ଯ୍ୟକ୍ରମରେ ଭାଗ ନେବାର ବିରଳ ସୁଯୋଗ ପାଇଥିଲେ। ୨୦୧୧ ମସିହାରେ ପ୍ରଥମ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର, ୨୦୦୦ରେ ରାଜ୍ୟ ଯୁବ ପୁରସ୍କାର (କବିତା ପାଇଁ), ୨୦୦୩ରେ କାଦମ୍ବିନୀ କବିତା ସମ୍ମାନ, ୨୦୧୧ରେ ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ, ୨୦୧୫ରେ ଦୀପକ ମିଶ୍ର କବିତା ସମ୍ମାନ ସମେତ ୨୦ରୁ ଅଧିକ ଅନୁଷ୍ଠାନରୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି ଡ. ପଣ୍ଡା।

ଓଡ଼ିଶା ଲିଙ୍କ୍‌ ପରିବାର ପକ୍ଷରୁ କବିଙ୍କୁ ଅଶେଷ ଅଭିନନ୍ଦନ।

Leave A Reply

Your email address will not be published.