Odisha Link
Bridging the Missing Links in Odisha

ଓଡ଼ିଶା ବୁଲି ଆସିଥିବା ୨ ରୁଷୀୟ ପର୍ଯ୍ୟଟକ ମୃତ

ଓଡ଼ିଶା ହୋଟେଲ୍‌‌ରେ ଦୁଇଦିନ ଅନ୍ତରରେ ଦୁଇ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଛି

ଭୁବନେଶ୍ବର: ରୁଷ୍‌‌ର ରାଷ୍ଟ୍ରପତି ଭ୍ଲାଦମିର ପୁତିନଙ୍କ କଡ଼ା ବିରୋଧୀ ତଥା ସମାଲୋଚକ ଭାବେ ଜଣାଶୁଣା ପାଭେଲ ଆଣ୍ଟଭଙ୍କ(୬୫)ର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ନିଜର ଜନ୍ମଦିନ ପାଳନ ପାଇଁ ରୁଷର ଏହି ସାଂସଦ ବନ୍ଧୁମାନଙ୍କ ସହ ଓଡ଼ିଶା ଆସି ରାୟଗଡ଼ାର ଏକ ଘରୋଇ ହୋଟେଲରେ ରହୁଥିଲେ। ଶନିବାର ଦିନ ହୋଟେଲ ସ୍ବିମିଂ ପୁଲରୁ ତାଙ୍କର ରକ୍ତାକ୍ତ ଶବ ଉଦ୍ଧାର କରିଛି ସ୍ଥାନୀୟ ପୁଲସ। ସେ ହୋଟେଲ ଝର୍କାରୁ ଖସି ପଡ଼ିଛନ୍ତି ବୋଲି କୋଲାକାତାରେ ଥିବା ରୁଷୀୟ କନ୍ସୁଲ ଜେନେରାଲ ଆଲେକ୍ସି ଇଦାମକିନ ଗଣମାଧ୍ୟମକୁ କହିଛନ୍ତି।

ଘଟଣାର ତିନି ଦିନ ପୁର୍ବରୁ (୨୨ ଡିସେମ୍ବର) ପାଭେଲଙ୍କ ସହ ଆସିଥିବା ତାଙ୍କର ବନ୍ଧୁ ଭ୍ଲାଦମିର ବିନ୍ଦେନଭ (୬୧)ଙ୍କର ହୃଦଘାତରେ ସମାନ ହୋଟେଲ ଭିତରେ ମୃତ୍ୟୁ ହୋଇଥିଲା। ମୃତ୍ୟୁବେଳେ ତାଙ୍କ ପାଖରେ କେତୋଟି ଖାଲି ମଦ ବୋତଲ ପଡ଼ିଥିଲା। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଡିସେମ୍ବର ୨୧ରେ ପାଭେଲ ଓ ବିନ୍ଦେନଭଙ୍କୁ ମିଶାଇ ମୋଟ ୪ ଜଣ ରୁଷୀୟ ନାଗରିକ ରାୟଗଡ଼ାର ଏହି ହୋଟେଲରେ ଚେକ୍‌ ଇନ୍‌ କରିଥିଲେ। ସେମାନଙ୍କ ସହ ଟୁର ଗାଇଡ୍‌ ଜିତେନ୍ଦ୍ର ସିଂହ ମଧ୍ୟ ସମାନ ହୋଟେଲରେ ରହୁଥିଲେ।

ନିଜ ବନ୍ଧୁଙ୍କ ମୃତ୍ୟୁରେ ପାଭେଲ୍‌ ମାନସିକ ଅବସାଦ ଭିତରେ ଥିଲେ ଓ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଅନୁମାନ କରୁଛି। ଘଟଣାର ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ ପାଭେଲ ଆଣ୍ଟଭ ରୁଷର ଅନ୍ୟତମ ଧନୀ ସାଂସଦ ଭାବେ ଜଣାଶୁଣା। ତେବେ ସେ ରାଷ୍ଟ୍ରପତି ପୁତିନଙ୍କୁ ସମାଲୋଚନା କରି ଚର୍ଚାକୁ ଆସିଥିଲେ। ୟୁକ୍ରେନ୍‌ ଆକ୍ରମଣ ବାବଦରେ ସେ ନିରନ୍ତର ପୁତିନଙ୍କୁ ନିନ୍ଦା କରି ଆସୁଥିଲେ ଓ ଏହାକୁ କଡ଼ା ସମାଲୋଚନା କରି ଆଲେକ ଲେଖିଥିଲେ। ରୁଷ୍‌‌ର ୟୁକ୍ରେନ୍‌ ଆକ୍ରମଣକୁ ସେ ‘ଆତଙ୍କବାଦ’ ବୋଲି ଅଭିହିତ କରି ନିଜ ଦେଶରେ ବିବାଦୀୟ ହୋଇଥିଲେ। ଅବଶ୍ୟ ପରେ ସେ ଏଥିପାଇଁ କ୍ଷମାପ୍ରାର୍ଥନା କରିଥିଲେ। ନିଜର ମତ ପରିବର୍ତନ କରି ପରେ ସେ ପୁତିନଙ୍କୁ ସମର୍ଥନ କରୁଥିବା କହିଥିଲେ।