Odisha Link
Bridging the Missing Links in Odisha

ମ୍ୟାଚ୍‌ ଜିତିବ ଯିଏ, ସିରିଜ ହାତେଇବ ସିଏ

ଓଏଲ୍‌ ବ୍ୟୁରୋ: ଆଜି ସନ୍ଧ୍ୟାରେ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜର ଅନ୍ତିମ ମ୍ୟାଚ୍‌ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ। ରାଜକୋଟରେ ଏହି ହାଇଭୋଲଟେଜ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚର ଅଳ୍ପକେ ହାରିବା ପରେ ଦ୍ୱିତୀୟ ମ୍ୟାଚ ଜିତି ଏସିଆ କପ୍‌ ବିଜେତା ଶ୍ରୀଲଙ୍କା ଟିମ୍ ଭାରତୀୟ ଦଳକୁ କଡ଼ା ଆହ୍ୱାନ ଦେଇଛି। ୧-୧ରେ ସିିରିଜ ବରାବର ସ୍ଥିତି ଥିବା ବେଳେ ଆଜିର ମ୍ୟାଚ ଯିଏ ଜିତିବ ସିଏ ସିରିଜ ହାତେଇବ।

ଟିମ୍‌ ଇଣ୍ଡିଆ ପାଇଁ ଚିନ୍ତା କାରଣ ହେଉଛି ଡେଥ୍‌ ଓଭର ବୋଲିଂ ।ପ୍ରଥମ ମ୍ୟାଚ୍‌ରେ ହର୍ଷଲ ପଟେଲ୍ ଓ ଦ୍ବିତୀୟରେ ଅର୍ଶଦୀପ ସିଂହ ପ୍ରଭାବହୀନ ରହିଥିବାରୁ ଏହି ଚିନ୍ତା ବଢ଼ିଛି। ୬ ମାସ ତଳେ ପଦାର୍ପଣ କରିଥିବା ଅର୍ଶଦୀପ ଭାରତୀୟ ପେସ୍ ବାହିନୀର ନେତୃତ୍ବ ନେବେ ବୋଲି କୁହାଯାଉଥିଲେ ମଧ୍ୟ ଗୁରୁବାର ୨ ଓଭର ଭିତରେ ୫ଟି ନୋ ବଲ୍ ବୋଲିଂ କରିବା ସହ ମୋଟ ୩୭ ରନ୍‌ ବ୍ୟୟ କରିଥିଲେ। ପୁଣେରେ ମଧ୍ୟ ଭାରତର ଶୀର୍ଷକ୍ରମ ବ୍ୟାଟିଂ ବିଫଳତା ପଦାରେ ପଡ଼ିଥିଲା। ତେବେ ଅକ୍ଷର ପଟେଲ୍‌ଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଦଳ ପାଇଁ ସକାରାତ୍ମକ ଦିଗ ନେଇ ଆସିଛି।

ଅନ୍ୟପଟେ ଘରୋଇ ମାଟିରେ ଭାରତ ବିଗତ ୩ ବର୍ଷ ଧରି ଲଗାତାର ୧୧ ଶୃଙ୍ଖଳା ଜିତିଥିବା ବେଳେ ଶନିବାର ଏହି ଧାରାକୁ ବଜାୟ ରଖିବ ନା ନାହିଁ ତାହା ଜଣାପଡ଼ିବ। ଶେଷ ଥର ପାଇଁ ୨୦୧୯ରେ ଘରୋଇ ମାଟିରେ ଭାରତକୁ ଅଷ୍ଟ୍ରେଲିଆ ୨-୦ରେ ହରାଇଥିଲା। ଶନିବାର ଶ୍ରୀଲଙ୍କା ଜିତିଲେ ଭାରତରେ ମଧ୍ୟ ପ୍ରଥମ ଥର ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିବାର ଗୌରବ ପାଇବ।

ଭାରତ ସମ୍ଭାବ୍ୟ ଏକାଦଶ : ଈଶାନ କିଶନ, ଶୁବମନ ଗିଲ୍‌, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ୍‌, ଶିବମ ମାଭି, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ଶ୍ରୀଲଙ୍କା ସମ୍ଭାବ୍ୟ ଏକାଦଶ : ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ସାଦିରା ସମରବିକ୍ରମା/ଭାନୁକା ରାଜପକ୍ଷ, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍‌ଣା, କାସୁନ ରଜିଥା, ଦିଲସାନ୍‌ ମଧୁଶଙ୍କା।