Odisha Link
Bridging the Missing Links in Odisha

ସର୍ବ ଭାରତୀୟ ପର୍ବ ମକର ସଂକ୍ରାନ୍ତି

ସ୍ନାନ ଦାନ କରିବା ସହ ଭଗବାନ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନା କରିବାର ନିୟମ ରହିଛି

ଓଏଲ୍‌ ବ୍ୟୁରୋ : ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାଳନ ହେବାକୁ ଯାଉଛି ମକର ସଂକ୍ରାନ୍ତି। ଏହି ମହତ୍ତ୍ୱପୂର୍ଣ୍ଣ ପର୍ବ ଚଳିତ ବର୍ଷ ଜାନୁଆରୀରେ ପାଳନ ହେବ। ମକର ସଂକ୍ରାନ୍ତିକୁ ଏକ ସର୍ବ ଭାରତୀୟ ପର୍ବ ବୋଲି କୁହାଯାଏ। ଏହି ପର୍ବକୁ ସମସ୍ତେ ଉତ୍ସାହର ସହିତ ପାଳନ କରନ୍ତି। ଭାରତ ବାହାରେ ରୋମାନ ଓ ଇହୁଦୀମାନେ ମଧ୍ୟ ଏହିପର୍ବ ପାଳନ କରନ୍ତି।

ଭାରତର ବିଭିନ୍ନ ଅଞ୍ଚଳ ଅପେକ୍ଷା ଦକ୍ଷିଣ ଭାରତରେ ଏହା ସବୁଠାରୁ ବଡ଼ ପର୍ବ ହୋଇଥିବାବେଳେ ଦକ୍ଷିଣରେ ଏହାକୁ ପୋଙ୍ଗଲ ବୋଲି କହନ୍ତି। ଏହିଦିନ ସ୍ନାନ ଦାନ କରିବା ସହ ଭଗବାନ ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନା କରିବାର ନିୟମ ରହିଛି। ହିନ୍ଦୁ ଧର୍ମ ଅନୁଯାୟୀ ଏହି ପର୍ବରେ ଦାନ ଧର୍ମ କଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ।

ଓଡ଼ିଶାର ଉତ୍ତରାଞ୍ଚଳରେ, ବିଶେଷତଃ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଆଦିବାସୀମାନଙ୍କର ମକରଯାତ୍ରା ଏକ ପ୍ରଧାନ ପର୍ବ। ଏହି ଅଞ୍ଚଳରେ ବସ ବାସ କରୁ ଥିବା କୁଡୁମୀ ସମ୍ପ୍ରଦାୟର ଲୋକେ ଏହି ପର୍ବକୁ ଟୁସୁ ପରବ ରୂପେ ପାଳନ କରିଥା’ନ୍ତି। ମକର ସଂକ୍ରାନ୍ତିକୁ (Khichdi festival) କେତେକ ସ୍ଥାନରେ ଖିଚିଡି ପର୍ବ ବୋଲି କୁହାଯାଇଥାଏ। ଏହି ଦିନ ଖିଚିଡି ଦାନ କରିବାର ବିଶେଷ ଗୁରୁତ୍ୱ ମଧ୍ୟ ରହିଛି।

ଧାର୍ମିକ ଗ୍ରନ୍ଥଗୁଡ଼ିକରେ, ମକର ସଂକ୍ରାନ୍ତି ତିଲ ବୋଲି କୁହାଯାଏ। ଏହି ଦିନ ରାଶି ମଞ୍ଜି ବା ରାଶି ଲଡୁ ଦାନ କରିବାର ଏକ ବିଶେଷ ମହତ୍ତ୍ବ ଅଛି। ଏହି ଦିନ ରାଶି ଲଡୁ ଦାନ କରିବା ସହିତ ଭଗବାନ ବିଷ୍ଣୁ, ସୂର୍ଯ୍ୟ ଭଗବାନ ଏବଂ ଶନି ଦେବଙ୍କୁ ରାଶି ଲଡୁ ସହିତ ପୂଜା କରିବାର ଏକ ପ୍ରଥା ମଧ୍ୟ ରହିଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ଦିନ ଦାନ ଧର୍ମ କଲେ ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ତେବେ ଦାନର ବିଶେଷ ମହତ୍ତ୍ୱ ହିନ୍ଦୁ ଧର୍ମରେ ବ୍ୟାଖ୍ୟା କରାଯାଇଛି। ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରୁଥିବାବେଳେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇ ମକର ରାଶିକୁ ଆସନ୍ତି। ଏହି ଦିନ ସୂର୍ଯ୍ୟ ଉତ୍ତରଦିଗକୁ ଯାତ୍ରା କରି ଛଅ ମାସ ଅବସ୍ଥାନ କରୁଥିବାରୁ ବିବାହ, ବ୍ରତ, ଯଜ୍ଞାନୁଷ୍ଠାନ,ଗୃହ, ଦେବାଳୟ ପ୍ରତିଷ୍ଠା ଆଦି ସମସ୍ତ ଶୁଭକର୍ମ ଅନୁଷ୍ଠିତ ହୁଏ।

ମକର ସଂକ୍ରାନ୍ତି ବେଳକୁ ଓଡ଼ିଶାରେ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହଦେବତାଙ୍କୁ ଓ ଧାନଖଳାରେ ଭୋଗ ଲଗାଯାଏ। ଯେଉଁ ଭୋଗ ‘ମକର ଚାଉଳ’ ଭାବେ ପରିଚିତ।

ମକର ସଂକ୍ରାନ୍ତି ଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ (ପତଳା ସୂତାର ଜାଲିକନା) ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଥାଏ। ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିଥାଏ। ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ଶେଷ ହୁଏ। ଦାନ ଧର୍ମ କଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ କରାଯାଏ।

Leave A Reply

Your email address will not be published.