Odisha Link
Bridging the Missing Links in Odisha

ଆଜିଠୁ ଖଣ୍ଡଗିରି ମେଳା

ଚଳିତ ମେଳାରେ କୌଣସି ଯାତ୍ରା ପାର୍ଟି ଅଶ୍ଲୀଳ ନୃତ୍ୟ ପରିବେଷଣ ସହ ବିବାଦୀୟ ଟାଇଟେଲ ରଖିପାରବେ ନାହିଁ

ଓଏଲ୍ ବ୍ୟୁରୋ : ଦୁଇ ବର୍ଷ ପରେ ବିନା କୋଭିଡ କଟକଣାରେ ଆଜିଠୁ ଆରମ୍ଭ ହୋଇଛି ଖଣ୍ଡଗିରି ମେଳା। ଖଣ୍ଡଗିରି ଓ ଉଦୟଗିରିରେ ଜମିଲାଣି ସାଧୁସନ୍ଥଙ୍କ ଭିଡ। ଆଜିଠୁ ଆରମ୍ଭ ହୋଇ ୯ ଦିନ ଧରି ଚାଲିବାକୁ ଥିବା ଏହି ମେଳା ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସାଧୁସନ୍ଥମାନେ ହୋମଜଜ୍ଞ, ଜପତପ, ପୂଜାର୍ଚ୍ଚନା କରିବେ ଖଣ୍ଡଗିରି ମେଳାରେ। ଏହି ମେଳା ପାଇଁ ବିଭିନ୍ନ ରାଜ୍ୟରୁ ଶତାଧିକ ବାବା ଆସି ଏଠାରେ ପହଞ୍ଚି ସାରିଛନ୍ତି। ଦୁଇ ବର୍ଷ ପରେ କଟକଣାମୁକ୍ତ ମେଳାର ଆୟୋଜନ ହେଉଥିବାରୁ ପ୍ରବଳ ଭିଡ ଆଶଙ୍କା କରାଯାଇଛି। ଖଣ୍ଡଗିରି ମେଳା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜଣା ପଡିଛି।

ସୂଚନା ଅନୁସାରେ, ଆଜିଠୁ ଖଣ୍ଡଗିରି ମେଳା ଆରମ୍ଭ ହୋଇଥିବାବେଳେ ୩୦ ତାରିଖରୁ ଆରମ୍ଭ ହେବ ଯାତ୍ରା। ତେବେ କରୋନା କଟକଣାମୁକ୍ତ ଏହି ଖଣ୍ଡଗିରି ମେଳାରେ ଯାତ୍ରାକୁ ନେଇ ନିୟମ ହୋଇଥିବା ଜଣା ପଡିଛି। ଯାତ୍ରା ପେଣ୍ଡାଲ ଆୟୋଜକ କମିଟିର ସମସ୍ତ ଅଫିସର, ସଦସ୍ୟ ଓ ସ୍ୱେଚ୍ଛସେବୀ ସଂପୂର୍ଣ୍ଣ କୋଭିଡ୍ ଟିକା ନେଇଥିବେ। ଯାତ୍ରାରେ ନିୟୋଜିତ ବ୍ୟକ୍ତି ମାସ୍କ ପିନ୍ଧିବା ପାଇଁ ନିୟମ କଡାକଡ଼ି ହୋଇଥିବା ଜଣା ପଡିଥିଲା। ପ୍ରତି ଯାତ୍ରା ପେଣ୍ଡାଲର ପ୍ରବେଶ ପଥରେ ଆୟୋଜକ କମିଟି ପକ୍ଷରୁ ଦର୍ଶକଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଥିଲା।

ଅନ୍ୟପକ୍ଷେ, ଖଣ୍ଡଗିରି ମେଳାରେ ୫ଟି ଯାତ୍ରାପାର୍ଟି ପେଣ୍ଡାଲରେ ଯାତ୍ରା ପରିବେଷଣ ପାଇଁ ଅନୁମତି ଦିଆଯାଇଛି। ଚଳିତ ମେଳାରେ କୌଣସି ଯାତ୍ରା ପାର୍ଟି ଅଶ୍ଲୀଳ ନୃତ୍ୟ ପରିବେଷଣ ସହ ବିବାଦୀୟ ଟାଇଟେଲ ରଖିପାରବେ ନାହିଁ ବୋଲି ଜଣା ପଡିଛି। କୌଣସି ବର୍ଗଙ୍କୁ ଆଘାତ ଦେବା ପରି ନାଟକ ପରିବେଷଣ କରିବାରେ କଟକଣା ଲାଗିଥିବା ସୂଚନା ମିଳିଛି।

Leave A Reply

Your email address will not be published.