Odisha Link
Bridging the Missing Links in Odisha

ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୬ ଜୀବନ, ୩୦ ଆହତ

ଓଏଲ୍‌ ବ୍ୟୁରୋ: ଅକ୍ସିଜେନ୍ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ। ଏଥିରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ବାଂଲାଦେଶର ଚଟଗାଁଓର ସୀତାକୁଣ୍ଡ ଉପଜିଲ୍ଲାର କଦମ ରସୁଲ ଅଞ୍ଚଳରେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସେହି ଅଞ୍ଚଳର ଲୋକ ଘର ବାହାରକୁ ଚାଲି ଆସିଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଶନିବାର ଅପରାହ୍ନରେ ଘଟିଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘଟଣାସ୍ଥଳ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା କୋଠାଗୁଡ଼ିକ ମଧ୍ୟ ଦୋହଲି ଯାଇଥିଲା। ସେହିପରି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅକ୍ସିଜେନ୍ ପ୍ଲାଣ୍ଟର ଜିନିଷ ଗୁଡ଼ିକ ଅନେକ କିଲୋମିଟର ଦୂରରେ ଛିଟିକି ପଡ଼ିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ୬ ମୃତକଙ୍କ ମଧ୍ୟରୁ ୫ ଜଣ ହେଉଛନ୍ତି ଅକ୍ସିଜେନ୍‌ ପ୍ଲାଣ୍ଟର କର୍ମଚାରୀ ଓ ଅନ୍ୟଜଣେ ବ୍ୟବସାୟୀ। ଉକ୍ତ ବ୍ୟବସାୟୀଙ୍କ ଦୋକାନ ଅକ୍ସିଜେନ୍‌ ପ୍ଲାଣ୍ଟଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିଲା।ସେ ଦୋକାନରେ ବସିଥିବା ବେଳେ ବିସ୍ଫୋରଣରେ ଅକ୍ସିଜେନ୍ ପ୍ଲାଣ୍ଟରୁ ଉଡ଼ି ଆସିଥିବା ଏକ ଶକ୍ତ ଧାତୁ ତାଙ୍କ ଉପରେ ପଡ଼ି ଯାଇଥିଲା ଓ ସେ ସେହିଠାରେ ହିଁ ପ୍ରାଣ ହରାଇଥିଲେ।

ବିସ୍ଫୋରଣ ପରେ ଅକ୍ସିଜେନ୍ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ୯ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ଘଣ୍ଟେରୁ ଅଧିକ ସମୟ ଲାଗିଥିଲା।

Leave A Reply

Your email address will not be published.