Odisha Link
Bridging the Missing Links in Odisha

ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷା, ନୋଡାଲ ସେଣ୍ଟରକୁ ଗଲା ପ୍ରଶ୍ନପତ୍ର

ଓଏଲ୍‌ ବ୍ୟୁରୋ: ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ସମେଟିଭ ଆସେସମେଣ୍ଟ ପରୀକ୍ଷା ଆରମ୍ଭ ହୋଇ ୨୦ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତବର୍ଷ ରାଜ୍ୟର ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୪୧ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମାର ପିଲାମାନେ ମଧ୍ୟ ସାମିଲ ଅଛନ୍ତି।

ପରୀକ୍ଷାର ସୁପରିଚାଳନା ଲାଗି ୨୨ଟି ପୁଲିସ ଥାନାକୁ ମିଶାଇ ମୋଟ ୩୧୬ଟି ନୋଡାଲ ସେଣ୍ଟର ହୋଇଛି। ସ୍କୁଲସ୍ତରରେ ଭିତ୍ତିଭୂମି ନ ଥିବାରୁ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଓ ମାଲକାନଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା‌ ଶେଷ ହେବା ପରେ ୫୬ଟି କେନ୍ଦ୍ରରେ ଉତ୍ତର ଖାତା ମୂଲ୍ୟାୟନ କରିବାକୁ ନିଷ୍ପତ୍ତି ହୋଇଛି।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଏସପି, ଜିଳ୍ଲା ଶିକ୍ଷା ଅଧିକାରୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ତ୍ରୁଟିଶୂନ୍ୟ ମାଟ୍ରିକ ପରୀକ୍ଷା ପରିଚାଳନା କରିବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି।

ଶ୍ନପତ୍ର ଓ ଉତ୍ତର ଖାତା ରହୁଥିବା ଷ୍ଟ୍ରଙ୍ଗ୍‌ ରୁମରେ ୨୪ ଘଣ୍ଟିଆ କଡ଼ା ସୁରକ୍ଷା, ପରୀକ୍ଷା କେନ୍ଦ୍ରରେ ସୁରକ୍ଷା କର୍ମୀ ମୁତୟନ, ବିଦ୍ୟୁତ ଓ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.