Odisha Link
Bridging the Missing Links in Odisha

ଓଏଏସ୍ ସ୍ତରରେ ଅଦଳବଦଳ: ୧୪ ପଦାଧିକାରୀଙ୍କ ବଦଳି ନେଇ ବିଜ୍ଞପ୍ତି ଜାରି

ଓଏଲ୍ ବ୍ୟୁରୋ: ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ। ୧୪ ପଦାଧିକାରୀଙ୍କ ବଦଳି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମହେଶ କୁମାର ଚୌଧୁରୀଙ୍କୁ ଏମଏସ.ଏମଇ ବିଭାଗର ଅତିରିକ୍ତ ଦାଇତ୍ୱ ମିଳିଛି। ପୂର୍ବରୁ ମହେଶ କୁମାର ଚୌଧୁରୀ ବ୍ରହ୍ମପୁରର ଅତିରିକ୍ତ କମିଶନର ଭାବେ ଦାଇତ୍ୱ ନିର୍ବାହ କରୁଥିଲେ। ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ(ବିଡିଏ) ଯୁଗ୍ମ କମିଶନର(ଇଷ୍ଟେଟ) ଶ୍ୱେତ କୁମାର ଦାଶଙ୍କୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଯୁଗ୍ମ କମିଶନର ଭାବେ ବଦଳି ହୋଇଛି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଗତ କିଛିମାସ ତଳେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଓଏଏସ୍ ଲଗ୍ନଜିତ୍ ରାଉତଙ୍କୁ ଏବେ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ଶ୍ରୀ ରାଉତ ପାରାଦୀପ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ।

ସେହିପରି କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କ ପୂର୍ବ ବଦଳିକୁ ବାତିଲ କରି ତାଙ୍କୁ ଜଗତସିଂହପୁର ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି। କନ୍ଧମାଳ ଉପଜିଲ୍ଲାପାଳ ଶେଷଦେବ ମିଶ୍ରଙ୍କୁ ଢେଙ୍କାନାଳ-କେନ୍ଦୁଝର ବନ୍ଦୋବସ୍ତ ଅଧିକାରୀ ଭାବେ ବଦଳି ହୋଇଛି। ବାଙ୍କି ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନାଙ୍କୁ ବିଡିଏରେ ଓଏସଡି ଭାବେ ବଦଳି ହୋଇଛି।

ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟଙ୍କ ପୂର୍ବବଦଳିକୁ ବାତିଲ କରି ତାଙ୍କୁ କନ୍ଧମାଳ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀଙ୍କୁ ଭଞ୍ଜନଗର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କୁ ଗଞ୍ଜାମ ଆର.ଆଇ.ସି ଜେନେରାଲ ମ୍ୟାନେଜର, ରାମଚନ୍ଦ୍ର ସୋରେନଙ୍କ ପୂର୍ବ ବଦଳିକୁ ବାତିଲ କରି ଆନନ୍ଦପୁର ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ରବିନ୍ଦ୍ର କୁମାର ପ୍ରଧାନଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ସୀମକ୍ଷା ନାୟକଙ୍କୁ ସମ୍ବଲପୁର-କଳାହାଣ୍ଡି ବନ୍ଦୋବସ୍ତ ଅଧିକାରୀ ଏବଂ ଗାୟତ୍ରୀଦତ୍ତ ନାୟକଙ୍କୁ ଆସିକା ସମବାୟ ଚିନି ଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି ହୋଇଛି।

Leave A Reply

Your email address will not be published.