Odisha Link
Bridging the Missing Links in Odisha

ଜଣାପଡ଼ିଲା ବିହାର ରେଳ ଦୁର୍ଘଟଣାର ମୂଳ କାରଣ

ଓଏଲ୍‌ ବ୍ୟୁରୋ: ବିହାର ବକ୍ସର ଜିଲ୍ଲାରେ ଟ୍ରେନ୍‌ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ବୁଧବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରୁ ଗୁହ୍ବାଟିର କାମାକ୍ଷା ଷ୍ଟେଶନ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ୯.୩୫ରେ ରଘୁନାଥପୁର ରେଳ ଷ୍ଟେଶନରେ ଦୁର୍ଘଟଣା ହୋଇଥିଲା। ଯାହାଫଳରେ ଟ୍ରେନ୍‌ର ୨୧ଟି ବଗି ଲାଇନ୍‌ଚ୍ୟୁତ ହୋଇପଡ଼ିଥିଲା। ଆଉ ଏପର୍ଯ୍ୟନ୍ତ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ଜଣ ଆହତ ହୋଇଥିବା ସୂଚନା ରହିଛି।

ବିହାର ରଘୁନାଥପୁର ଷ୍ଟେସନ ନିକଟରେ ଟ୍ରେନ୍ ଲାଇନଚ୍ୟୁତ ଘଟଣାରେ ରେଳ ବିଭାଗ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି। ଟ୍ରାକ୍‌ରେ ତ୍ରୁଟି ଯୋଗୁଁ ଲାଇନଚ୍ୟୁତ ହୋଇଥିବା ସୂଚନା ରହିଛି। ଘଟଣା ପାଇଁ ଇଞ୍ଜିନିୟରିଂ ବିଭାଗକୁ ରେଳ ବିଭାଗ ଦାୟୀ କରିଛି। ଦୁର୍ଘଟଣାରେ ରେଳବାଇର ପ୍ରାୟ ୫୨ କୋଟି କ୍ଷତି ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି।

ଅନ୍ୟପଟେ, ଦୁର୍ଘଟଣା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ପହଞ୍ଚି ପୁନରୁଦ୍ଧାର କାର୍ଯ୍ୟ ଏବଂ ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଛନ୍ତି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ବର୍ତ୍ତମାନ ମେଡିକାଲରେ ଚାଲିଛି। ପାଖାପାଖୀ ୨୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଯାହାଫଳରେ ତାଙ୍କୁ ପାଟନା ଏମ୍ସରେ ଚିକିତ୍ସା କରାଯାଉଛି। ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି। ବକ୍ସର ଜିଲ୍ଲାପାଳ ଅଂଶୁଲ ଅଗ୍ରଓ୍ବାଲ କହିଛନ୍ତି, ଗୁରୁତର ଆହତଙ୍କୁ ପାଟନା ଏମ୍ସ ପଠାଯାଇଛି। ଆଉ ଅନ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା ନିକଟସ୍ଥ ମେଡିକାଲରେ କରାଯାଉଛି।

ଗତକାଲି ଦୁର୍ଘଟଣା ଖବର ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଉଦ୍ଧାରକାରୀ ଦଳ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସେପଟେ ରେଳ ବିଭାଗ ତରଫରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ପାଟନା ଜଙ୍କସନ୍‌ ପାଇଁ 9771449971, ଦାନାପୁର 8905697493, ଆରା ପାଇଁ 8306182542 ନମ୍ବର ଜାରି କରିଛି ରେଳ ବିଭାଗ।

Leave A Reply

Your email address will not be published.