ମହାରାଷ୍ଟ୍ର: ବଢ଼ୁଛି ବୈଠକ

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ। ହେଲେ ସରକାର ଗଢ଼ିବା ନେଇ ଆଶାବାଦୀ ଅଛି ଶିବସେନା। ଆଜି ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରେ କଂଗ୍ରେସ କମିଟି ନେତାଙ୍କୁ ସାକ୍ଷାତ କରିଛନ୍ତି। ସର୍ବନିମ୍ନ ଦାବି ନେଇ ସେନା-କଂଗ୍ରେସ ମଧ୍ୟରେ ଆଲୋଚନା ଚାଲିଛି।
ଅପରପକ୍ଷେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତ ୨ ଦିନ ପରେ ଲୀଳାବତି ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି। ମେଡିକାଲରୁ ଫେରିବା ପରେ ଶିବସେନାରୁ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସଞ୍ଜୟ ପୁଣିଥରେ ଦୋହରାଇଛନ୍ତି। ଆଜି ସକାଳେ ମେଡିକାଲରେ ଭର୍ତ୍ତି ହୋଇଥିବା ସଞ୍ଜୟ ରାୱତଙ୍କୁ କଂଗ୍ରେସ ନେତା ଭେଟିଥିଲେ । ଲୀଳାବତି ହସ୍ପିଟାଲରେ ସଞ୍ଜୟଙ୍କୁ ଭେଟି କଂଗ୍ରେସ ନେତା ଅଶୋକ ଚୌହାନ, ବାଲାସାହେବ ଥୋରାଟ, ମାନିକରାଓ ଠାକରେ ପ୍ରମୁଖ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।
ଅନ୍ୟପଟେ ରାଜନୈତିକ ହଲଚଲ ଲାଗି ରହିଥିବା ବେଳେ ସପ୍ତାହେ ହେଲାଣି ଜୟପୁର ରିସୋର୍ଟରେ ନଜରବନ୍ଦୀ ଥିବା କଂଗ୍ରେସର ସମସ୍ତ ୪୪ ବିଧାୟକ ଆଜି ମୁମ୍ବାଇ ଫେରିଛନ୍ତି। କିଛି ବିଧାୟକଙ୍କ ମତ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ସେମାନେ କାହା ହାତ ବି ଧରିପାରିବେ।
ସେପଟେ ବୈଠକ ପରେ ଏନସିପି ୫ରୁ ୬ ଜଣ ନେତାଙ୍କୁ ନେଇ ଏକ କମିଟି ଗଠନ କରିଛି। ଏହି କମିଟି ଆଗାମୀ ରଣନୀତି ଉପରେ କାମ କରିବ। ଶିବସେନା ସହ କମିଟି ଆଲୋଚନା କରିବା ସହ ସରକାର ଗଠନ ନେଇ ପଦକ୍ଷେପ ନେବ ବୋଲି ଏନସିପି ନେତା ଅଜିତ୍ ପାୱାର କହିଛନ୍ତି। ଏଥିସହିତ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି।
ବିଜେପି ନେତା ରାଣେ ମଧ୍ୟ ବିଜେପି ସରକାର ଗଠନ କରିବ ବୋଲି ଗଣମାଧ୍ୟମରେ କହିଛନ୍ତି । ଯାହା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ ଆଣିଛି ।