କରୋନା: ଭୁବନେଶ୍ବରରେ ୩୦ ସକ୍ରିୟ, ୨ଟି ପରିବାରରେ ୨୮ ଜଣ

ଭୁବନେଶ୍ବର: ଓଡ଼ିଶାରେ ଏଯାବତ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରେ ୩୨ ଜଣ ଠାବ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୩୦ ଜଣ ସକ୍ରିୟ ରୋଗୀ ଅଛନ୍ତି। ତେବେ ଏହି ୩୦ ଜରଭ୍କ ମଧ୍ୟରୁ ୨୮ ଜଣ ଦୁଇଟି ପରିବାର ମଧ୍ୟରେ ସୀମିତ।
ଗତ ସପ୍ତାହରେ ଶହୀନ ନଗର ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଯାହାର ଦିଲ୍ଲୀ ଯାତ୍ରା ଇତିହାସ ରହିଛି। ଅନୁରୂପ ଭାବେ ଗତକାଲି କପିଳପ୍ରସାଦରେ ଆଉ ଜଣେ ଆକ୍ରାନ୍ତ ମିଳିଥିଲେ ଯିଏ ଗତ ମାସରେ ଅଷ୍ଟ୍ରେଲିଆରୁ ଫେରିଥିଲେ।
ବାକି ୨୮ ଜଣଙ୍କ ମଧ୍ୟରୁ ସୂର୍ଯ୍ୟନଗରରୁ ଗୋଟିଏ ପରିବାରରୁ (ଓ ତାଙ୍କର ଭଡ଼ାଟିଆଙ୍କୁ ମିଶାଇ) ୧୦ ଜଣ ସଂକ୍ରମିତ ହୋଇଥିବା ବେଳେ ବିମାଖାଲରୁ ଗୋଟିଏ ପରିବାରରୁ ୧୮ ଜଣ ସଂକ୍ରମିତ ମିଳିଛନ୍ତି।
ଭୁବନେଶ୍ବରବାସୀ ଭୟ ନକରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ରୋଗୀମାନେ ନିର୍ଦ୍ଦିଷ୍ଟ କେତୋଟି ପରିବାରର ହୋଇଥିବାରୁ ଏହା ନିୟନ୍ତ୍ରଣାଧୀନ ବୋଲି ସରକାର ଆଶ୍ବାସନା ଦେଇଛନ୍ତି। ରୋଗୀ ଠାବ ହୋଇଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି। ଅନ୍ୟପଟେ ସହରରେ କଟକଣା କଡ଼ାକଡ଼ି କରାଯାଇଛି।
ଭୁବନେଶ୍ବର ବାହାରେ ୭ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି; ଜଣେ ପୁରୀରେ, ଜଣେ କଟକରେ, ଜଣେ କଳାହାଣ୍ଡିରେ, ଜଣେ ଯାହପୁରରେ ଓ ୩ ଜଣ ଭଦ୍ରକରେ ପଜିଟିଭ୍ ମିଳିଛନ୍ତି।