କମିବ ରିଭର୍ସ ରେପୋ ରେଟ୍: ଶକ୍ତିକାନ୍ତ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। ଏହାରି ମଧ୍ୟରେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଦେଶର ଅର୍ଥବ୍ୟବସ୍ଥା ଉପରେ ନଜର ରଖାଯାଇଥିବା ସେ କହିଛନ୍ତି। ଆହୁରି ମଧ୍ୟ ଏହି ସଙ୍କଟ ପାଇଁ ଦେଶର ଜିଡିପି ହ୍ରାସ ପାଇବ କିନ୍ତୁ ପରେ ଏହା ବୃଦ୍ଧି ପାଇବ ବୋଲି ସେ ସୂଚନା ଦେଇଛନ୍ତି।
ଏକ ବଡ ଘୋଷଣା କ୍ରମେ ରିଭର୍ସ ରେପୋ ରେଟରେ ୦.୨୫ ପ୍ରତିଶତ ହ୍ରାସ କରାଯିବ। ଏହାସହ ଏବେ ଏହା ୩.୭୫ ପ୍ରତିଶତ ହୋଇଯାଇଛି। ନାବାର୍ଡ, ଏନଏଚବି ଓ ଏସଆଇଡିବିଆଇ ପାଇଁ ଆରବିଆଇ ବଡ ପ୍ୟାକେଜ ଘୋଷଣା କରିଛି। ଏହି ତିନୋଟି ସଂସ୍ଥାକୁ ରେପୋ ରେଟ୍ ଉପରେ ଋଣ ମିଳିବ। ଏନଏଚବିକୁ ୧୦ ହଜାର କୋଟି ଓ ନାବାର୍ଡକୁ ୨୫ ହଜାର କୋଟି ଟଙ୍କା ମିଳିବ ।ଏହାସହ ବଜାରରେ କ୍ୟାସ ସଙ୍କଟକୁ ପ୍ରତିହତ କରିବା ପାଇଁ ବ୍ୟାଙ୍କ ୫୦ ହଜାର କୋଟିର ଅତିରିକ୍ତ ଆର୍ଥିକ ସାହାଯ୍ୟ କରିବ। ବଜାରରେ ଏହି ଅର୍ଥକୁ ନିବେଶ କରାଯିବ। ଏଥିପାଇଁ ଟିଏଲଟିଆରଓ ଘୋଷଣା କରାଯାଇଛି ବୋଲି ସେ କହିଛନ୍ତି।
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, କରୋନା ସଙ୍କଟ ମଧ୍ୟରେ ସମସ୍ତ ପରିସ୍ଥିତି ଉପରେ ନଜର ରଖାଯାଇଛି। ଆବଶ୍ୟକୀୟ ନିଷ୍ପତ୍ତି ନିଆଯାଇଛି। ୧୫୦ରୁ ଅଧିକ ଅଧିକାରୀ କ୍ୱାରେଣ୍ଟାଇନ ହୋଇ ମଧ୍ୟ କାମ କରୁଛନ୍ତି। ପରିସ୍ଥିତିର ମୁକାବିଲା କରୁଛନ୍ତି। ଆଇଏମଏଫ ବିଶ୍ୱରେ ସବୁଠାରୁ ବଡ ମାନ୍ଦାବସ୍ଥା ନେଇ ଅନୁମାନ ଲଗାଇଥିଲା। ଯାହା ଏକ ସତର୍କ ସୂଚନା ବୋଲି ସେ କହିଛନ୍ତି।
ଅନେକ ଦେଶର ଆମଦାନୀ, ରପ୍ତାନୀ ଉପରେ ପ୍ରଭାବ ପଡିଛି। ତେବ ଭାରତର ଜିଡିପି ୧.୯ ପ୍ରତିଶତ ବୃଦ୍ଧି ପାଇବ। ଜି୨୦ ଦେଶ ମଧ୍ୟରେ ଏହା ସବୁଠାରୁ ଭଲ। ସାରା ବିଶ୍ୱରେ ୯ ଟ୍ରିଲିୟନ ଡଲାରର କ୍ଷତି ହେବା ନେଇ ଆଶଙ୍କା କରିଛନ୍ତି ଶକ୍ତିକାନ୍ତ ଦାସ। ଏହା ମଧ୍ୟରେ ଦେଶରେ କୃଷି ଶିଳ୍ପ ଭଲ କାରବାର କରୁଛି । ଭାରତ ପାଖରେ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ମହଜୁଦ ଅଛି ବୋଲି ଶ୍ରୀ ଦାସ କହିଛନ୍ତି।