Odisha Link
Bridging the Missing Links in Odisha

ଭଦ୍ରକରେ ଖୋଲିବ ବହି ଦୋକାନ ଓ ଢାବା

ଭଦ୍ରକ: ଭଦ୍ରକ ବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର। ଜିଲ୍ଲାର ବହି ଦୋକାନ, ଫ୍ୟାନ୍ ଦୋକାନ, ମୋବାଇଲ୍ ରିଚାର୍ଜ ଦୋକାନ ଓ ରାଜପଥ କଡ଼ ଢାବା ଖୋଲିବ। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ତେବେ ବାସୁଦେବପୁର ଓ ଭଣ୍ଡାରୀପୋଖରୀ ବ୍ଲକ୍‌ରେ ଏସବୁ ବନ୍ଦ ରହିବ।

ଜିଲ୍ଲାର ବାକି ସବୁ ସ୍ଥାନରେ ବହି ଦୋକାନ ପ୍ରତିଦିନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ବିଦ୍ୟୁତ ଚାଳିତ ଫ୍ୟାନ ବିକ୍ରି ହେଉଥିବା ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ। ମୋବାଇଲ ରିଚାର୍ଜ ଦୋକାନ ସକାଳ ୬ଟାରୁ ଦିନ ୧ଟା ଯାଏ ଖୋଲିବ। ଏଥିସହ ଲୋକେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ହେଲେ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷିତ ଅଞ୍ଚଳରେ ମୋବାଇଲ ରିଚାର୍ଜ ଦୋକାନ ଖୋଲିବ ନାହିଁ। ତେଣୁ ଅନଲାଇନ ରିଚାର୍ଜ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ କହିଛନ୍ତି। ଏଥିସହ ଜାତୀୟ ରାଜପଥ କଡ଼ରେ ଅର୍ଥାତ୍ ରାଣୀତାଲରୁ ଆଖୁଆପଦା ଯାଏ ଢାବା ଖୋଲା ରହିବ। ସେଠାରେ ଲୋକଙ୍କୁ କେବଳ ଖାଦ୍ୟ ପାର୍ସଲ୍ କରି ନେଇଯିବାକୁ ଅନୁମତି ମିଳିଛି। ଲୋକେ ଢାବାରେ ବସି ଖାଇ ପାରିବେ ନାହିଁ। ଢାବାରେ ଲୋକଙ୍କୁ ଶୌଚାଳୟ ସୁବିଧା ଯୋଗାଇ ଦେବାକୁ ମଧ୍ୟ କୁହାଯାଇଛି।

ଭଦ୍ରକ ଜିଲ୍ଲାରୁ ୧୧ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାସୁଦେବପୁରରୁ ୬, ଭଦ୍ରକରୁ ୩ ଏବଂ ଭଣ୍ଡାରୀପୋଖରୀରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ୧୧ଟି ପଞ୍ଚାୟତର ୪୪ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ରେ ରଖାଯାଇଛି।