Odisha Link
Bridging the Missing Links in Odisha

ଆକାଶ ପାଠକଙ୍କ ବାହାଘରରେ ଖର୍ଚ୍ଚ ହୋଇଥାନ୍ତା କେତେ କୋଟି, ଜାଣନ୍ତୁ…

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ ଏସଆଇଟି। ଏହି ରିମାଣ୍ଡ ସମୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି।

ଅଭୟକାନ୍ତ ପୁଅ ଆକାଶ ପାଠକଙ୍କ ବାହାଘର ଆସନ୍ତା ଡିସେମ୍ବର ମାସ ୧୫ ତାରିଖରେ ହୋଇଥାନ୍ତା। ଏଥିପାଇଁ ୧୦ କୋଟି ଟଙ୍କାର ଏକ ବିଗ୍ ବଜେଟ୍ ପ୍ରସ୍ତୁତ କରାଯାଇଥିଲା। ଯାହାକୁ ନେଇ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଚାଲିଛି।

ଏହାଛଡ଼ା ପୁଅ ପାଠପଢ଼ାରେ ୨୦ ଲକ୍ଷ, ଝିଅର ପାଠପଢ଼ା ବାବଦରେ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୪ ମସିହାରେ ଅଭୟକାନ୍ତଙ୍କ ଠାରୁ ଆକାଶଙ୍କ ଆକାଉଣ୍ଟକୁ ୩୮ ଲକ୍ଷ ଟଙ୍କା ଆସିଥିଲା। ଝିଅ ବାହାଘର କରିବା ପାଇଁ ଏପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି ୬୦ ଲକ୍ଷ ଟଙ୍କା। ଅଭୟକାନ୍ତଙ୍କ ସମୟରେ ୩ ବର୍ଷରେ ବନୀକରଣରେ ଖର୍ଚ୍ଚ ହୋଇ ୬୦୦ କୋଟି ଟଙ୍କା। ଏହାସହ ଅଭୟକାନ୍ତଙ୍କ ବିହାରର ପାଟଣା ସହ ସମ୍ପର୍କୀୟଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି।

ଗତକାଲି ଜେରା ବେଳେ ଆକାଶ ଟାଟା ମୋଟର୍ସରେ ଚାକିରି କରି ନ ଥିବା ନେଇ ସ୍ୱୀକାର କରିଥିଲେ ମଧ୍ୟ ଆଜି କୋର୍ଟରେ ନିଜର କଥା ବଦଳାଇଥିଲେ। ମୁଁ ଟାଟାରେ ଚାକିିରି କରୁଥିଲି, ଏବେ କମ୍ପାନି ମୋତେ ସାହାଯ୍ୟ କରୁନାହିଁ। ଆମ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ବାହାରକୁ ଆସିବା ପରେ ସବୁ ପ୍ରମାଣ ଦେବି ବୋଲି କହିଥିଲେ ଆକାଶ।

୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପାଠକ ବାପ-ପୁଅଙ୍କୁ ଭୁବନେଶ୍ବର କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ହେବା ପରେ ଏବେ ଦୁହିଁଙ୍କୁ ଜେଲ ପଠାଯାଇଛି। ତେବେ ଅଧିକ ତଥ୍ୟ ପାଇଁ ଭିଜିଲାନ୍ସ ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ ପିଟରଙ୍କୁ ଅଜଣା ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

Comments are closed.