ଛିଡ଼ୁନି ବିଜେଡି ଗଣିତ- ଚିଲିକା, ଖୋର୍ଦ୍ଧା, ବେଗୁନିଆରେ ବଦଳିବେ ପ୍ରାର୍ଥୀ

ଭୁବନେଶ୍ବର: ବିଧାନସଭା ନିର୍ବାଚନ ଲାଗି ଆଜି ବିଜୁ ଜନତା ଦଳର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଖୋର୍ଦ୍ଧା, ଚିଲିକା ଓ ବୋଲଗଡ଼-ବେଗୁନିଆ ଲାଗି ପ୍ରାର୍ଥୀ ଏଯାଏଁ ଘୋଷଣା ହୋଇନାହିଁ।
ଏହି ତିନି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆଭାସ ମିଳୁଥିବା ବେଳେ କିଏ ପ୍ରାର୍ଥୀ ହେବ ଓ ଟିକେଟ ପାଉନଥିବା ବ୍ୟକ୍ତିଙ୍କୁ କିଭଳି ଥଇଥାନ କରାଯିବ ତାହା ଏବେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ବିଜେପି ଛାଡ଼ି ନିକଟରେ ବିଜେଡିରେ ଯୋଗଦେଇଥିବା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଜିତୁ ମିତ୍ର ଏଠାରୁ ପୁଣି ବିଜେଡି ପ୍ରାର୍ଥୀ ହେବାର ଅଭାସ ମିଳୁଛି। ତେବେ ବର୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କ ଥଇଥାନ ନେଇ ଦଳୀୟ ଗଣିତ ଛିଡ଼ୁନାହିଁ। ରାଜେନ୍ଦ୍ର ଅଥବା ତାଙ୍କ ପତ୍ନୀଙ୍କୁ ବେଗୁନିଆ ଆସନରୁ ପ୍ରାର୍ଥୀ କରିବାକୁ ଦଳ ଆଗ୍ରହ ପ୍ରକାଶ କରୁଥିବା ବେଳେ ଆସନ ଛାଡ଼ିବାକୁ ନାରାଜ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଏପରିକି ଟିକେଟ ନମିଳିଲେ ସ୍ବାଧୀନ ଭାବେ ଲଢ଼ିବା ପାଇଁ ବି ପ୍ରଶାନ୍ତ ଇସାରା ଦେଇଛନ୍ତି।
ଚିଲିକା ପାଇଁ ବିଜେଡିର ସାଧାରଣ ସଂପାଦକ ମାନସ ମଙ୍ଗରାଜ ପ୍ରମୁଖ ଦାବିଦାର ଥିଲେ ହେଁ ପରବର୍ତ୍ତୀ ସମୟରେ ସେ ଟିକେଟ ଦୌଡ଼ରୁ ଓହରି ଯାଇଛନ୍ତି। ନିର୍ବାଚନ ଲଢ଼ିବେ ନାହିଁ ବରଂ ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି ମାନସ। ଅନ୍ୟପଟେ ଏହି ଆସନ ପାଇଁ ପୂର୍ବତନ ବିଧାୟକ ରଘୁନାଥ ସାହୁ ଆଶାୟୀ ଅଛନ୍ତି। ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର, ଭୁବନେଶ୍ବର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଏପରିକି ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନା ମଧ୍ୟ ଚିଲିକା ପ୍ରାର୍ଥୀ ଦୌଡ଼ରେ ରହିଛି।