Odisha Link
Bridging the Missing Links in Odisha

ଖଣ୍ଡପଡ଼ା ଅଙ୍କ ଛିଣ୍ଡୁନି, ଅକଳରେ ବିଜେଡି କର୍ମୀ

ନୟାଗଡ଼: ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡି ଟିକେଟ୍‌ ବଣ୍ଟନକୁ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳୁ ନଥିବା ବେଳେ ସ୍ଥାନୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ମଉଳିବାରେ ଲାଗିଛି। ଭିନ୍ନ ଭିନ୍ନ ଆଶାୟୀଙ୍କ ସମର୍ଥକମାନେ ଦଳ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଅପେକ୍ଷା କରି ବସିଥିବା ବେଳେ ନେତାମାନଙ୍କୁ ନେଇ ଭୁବନେଶ୍ବରରେ ଜାରିରହିଛି ହାଇଡ୍ରାମା।

ବିଜେଡି ପକ୍ଷରୁ ଖଣ୍ଡପଡ଼ାରେ ଦୁଇଜଣ ପ୍ରମୁଖ ଦାବିଦାର ଥିବାବେଳେ ଆଉ ତିନିଜଣ ଆଶାୟୀ ମଧ୍ୟ ଟିକେଟ୍‌ ସ୍ବପ୍ନ ଦେଖୁଛନ୍ତି। ବର୍ତ୍ତମାନର ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ମଧ୍ୟରେ ଟିକେଟ୍‌ କାହାକୁ ଦିଆଯିବ ଦଳ ସ୍ଥିର କରିପାରୁନାହିଁ। ବିଗତ ନିର୍ବାଚନରେ ପ୍ରାୟ ସମାନ ଭୋଟ ପାଇଥିବା ଏହି ଦୁଇନେତାଙ୍କର ଖଣ୍ଡପଡ଼ାରେ ଭୋଟଭାଗ ସମାନ ରହିଛି ବୋଲି ଦଳ ଧରିନେଇଛି।

ଆମ ଓଡ଼ିଶା ଛାଡ଼ି ନିକଟରେ ବିଜେଡିରେ ମିଶିଥିବା ସୌମ୍ୟରଂଜନଙ୍କୁ ଦଳ ରାଜ୍ୟସଭାକୁ ପଠାଇଛି। ତେବେ ୨୦୦୯ ଓ ୨୦୧୪ରେ ଲଗାତାର ଦୁଇଥର ଖଣ୍ଡପଡ଼ାରୁ ବିଧାୟକ ପ୍ରାର୍ଥୀ ଭାବେ ପରାଜୟ ବରଣ କରିଥିବା ସୌମ୍ୟରଂଜନ ଏଥର ବିଜେଡି ଟିକେଟରେ ନିଜର ବିଜୟ ସ୍ବପ୍ନ ଚରିତାର୍ଥ କରିବାକୁ ଚାହୁଛନ୍ତି। ତେବେ ଦଳ ତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଆଗ୍ରହୀ ଅଛି। କଟକରେ ବିଜେପି ପକ୍ଷରୁ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ଲଢ଼େଇ କରୁଥିବା ବେଳେ ବିଜେଡି ତାଙ୍କ ବିପକ୍ଷରେ ସୌମ୍ୟରଂଜନଙ୍କୁ ଯୋଗ୍ୟ ଭାବୁଛି। ଏ ନେଇ ତାଙ୍କୁ ଦଳପକ୍ଷରୁ ବାରମ୍ବାର ମନେଇବା ପାଇଁ ଚେଷ୍ଟା ଚାଲିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ସଂଧ୍ୟାରେ ସଚିବାଳୟ ତୃତୀୟ ମହଲାରେ ଦଳ ମୁଖିଆ ସୌମ୍ୟରଂଜନଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପୁଣି ଆଜି ସକାଳେ ନବୀନ ନିବାସରେ ଉଭୟ ଆଶାୟୀ ପ୍ରାର୍ଥୀ ସୌମ୍ୟରଂଜନ ଓ ଅନୁଭବଙ୍କ ଉପସ୍ଥିତିରେ ଖଣ୍ଡପଡ଼ା ବିଧାନସଭା ବାବଦରେ ଆଲୋଚନା ହୋଇଥିଲେ ହେଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିନାହିଁ ବିଜେଡି।

ଖଣ୍ଡପଡ଼ା ବ୍ଲକ ବିଜେଡିକୁ ସମ୍ପୂର୍ଣ୍ଣ ନିଜ କବଜାରେ ରଖିଥିବା ଅନୁଭବଙ୍କ ପ୍ରତି ସାଧାରଣ ଜନତାଙ୍କର ମଧ୍ୟ ଶ୍ରଦ୍ଧା ରହିଛି। ସୌମ୍ୟରଂଜନଙ୍କ ସମର୍ଥକ ତଥା ଆମ ଓଡ଼ିଶା ଦଳର କର୍ମୀମାନେ ଏଯାବତ ବିଜେଡିରେ ଯୋଗ ଦେଇନଥିବା ବେଳେ ସ୍ଥାନୀୟ ବିଜେଡି ନେତା ଓ କର୍ମୀ ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବକୁ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି। ଏପରିକି ଯଦି ସୌମ୍ୟରଂଜନ ଟିକେଟ ପାଆନ୍ତି, ତେବେ ସ୍ଥାନୀୟ ବିଜେଡି ସଂଗଠନ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରି ଜିତାଇବାକୁ ଅଣ୍ଟା ଭିଡ଼ୁଥିବା ସୂଚନା ରହିଛି।

ସୌମ୍ୟରଂଜନ ଅଥବା ଅନୁଭବ କେହି ବି ଟିକେଟ୍‌ ନ ପାଆନ୍ତୁ ବୋଲି ଉଦ୍ୟମ କରୁଛନ୍ତି ଭାପୁର ବ୍ଲକର ବିଦ୍ରୋହୀ ବିଜେଡି ସଭାପତି ଗୟାଧର ପରିଡ଼ା। ଏକାଧିକ ଅପରାଧ ମାମଲାରେ ଅଭିଯୁକ୍ତ ଗୟାଧର ଭାପୁର ବ୍ଲକ ବିଜେଡି ସଂଗଠନର ଏକ ଗୁରୁ ଭାଗକୁ ନିଜ କବଜାରେ ରଖିଛନ୍ତି। ତାଙ୍କ ପ୍ରତି ସାଧାରଣ ଜନତାଙ୍କ ସମର୍ଥନ ନଥିଲେ ହେଁ ସେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ଠାରୁ ଦଳୀୟ ଟିକେଟ୍‌ ଲାଗି ଅଭୟବାଣୀ ପାଇଥିବା ଚର୍ଚ୍ଚା ହେଉଛି। ବିଧାୟକ ହେବା ଦିନୁ ଜିଲ୍ଲାରେ କୌଣସି ପ୍ରାର୍ଥୀଙ୍କୁ ଦ୍ବିତୀୟ ବାର ବିଧାୟକ କରାଇ ଦେଉନଥିବା ଅରୁଣ ଏଥର ମଧ୍ୟ ଅନୁଭବଙ୍କ ଟିକେଟ୍‌ କାଟିବା ଲାଗି ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି। ତେବେ ଜିଲ୍ଲାରେ ନିଜ ଗୁରୁତ୍ବ କମିଯିବା ଆଶଙ୍କାରେ ସେ ସୌମ୍ୟରଂଜନଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ବିରୋଧ କରୁଥିବା ଆଲୋଚନା ହେଉଛି। ଏଭଳି ଅବସ୍ଥାରେ ପରାଜିତ ହୁଅନ୍ତୁ ପଛକେ, ଗୟାଧରଙ୍କୁ ଟିକେଟ ମିଳିବା ଲାଗି ଅରୁଣଙ୍କ ଲବି ଜାରି ରହିଛି।

ଏହା ଭିନ୍ନ ଭୁବନେଶ୍ବରରେ ଠିକାଦାରୀ କରୁଥିବା ଭାପୁର ବ୍ଲକର ବିପିନ ଷଡ଼ଙ୍ଗୀ ଓ ଖଣ୍ଡପଡ଼ା ଅଞ୍ଚଳର ଯୁବ ଆର୍କିଟେକ୍ଟ ଦୁଷ୍ମନ୍ତ ସ୍ବାଇଁ ମଧ୍ୟ ବିଜେଡି ଟିକେଟ ପାଇଁ ଟାକି ବସିଛନ୍ତି।

ଦଳୀୟ ଟିକେଟ୍‌ ଘୋଷଣାର ପଦ୍ମ ଦିନକୁ ଦିନ ଘୁଞ୍ଚି ଚାଲିଥିବା ବେଳେ ଏହି ରାଜନୈତିକ ଶୂନ୍ୟତାର ସୁଯୋଗ ନେଇ ଖଣ୍ଡପଡ଼ାରେ ପଦ୍ମଦଳିଆ ନେତା ସିଦ୍ଧାର୍ଥ ସିଂହ ନିଜର ପ୍ରଚାର ଯୋରଦାର କରିଛନ୍ତି। ତେଣେ ପ୍ରାର୍ଥୀ ପାଉ ନଥିବା କଂଗ୍ରେସ ଦଳ ବିଜେଡିର ଘୋଷଣାକୁ ଅପେକ୍ଷା କରି ରହିଛି।

Comments are closed.