ସ୍ନାତକରେ ଅନର୍ସ ଡିଗ୍ରୀ ୪ବର୍ଷ ହେବ, ୟୁଜିସିର ପ୍ରସ୍ତାବ
ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବା ପାଇଁ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି

ଓଏଲ୍ ବ୍ୟୁରୋ : ଶିକ୍ଷାରେ ଉନ୍ନତି ଆଣିବା ସହ ଶିକ୍ଷାଗତ ପ୍ରଣାଳୀକୁ ସୁଦୃଢ କରିବା ପାଇଁ ଆସିପାରେ ନୂଆ ନିୟମ। ସ୍ନାତକରେ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବା ପାଇଁ ୟୁଜିସି ପକ୍ଷରୁ ଚିଠା ପ୍ରସ୍ତାବ ରଖାଯାଇଛି। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ଶିକ୍ଷାର ସଂସ୍କାର ପାଇଁ ବିଭିନ୍ନ ପାଠ୍ୟକ୍ରମରେ ପରିବର୍ତ୍ତନ ଅଣାଯାଉଥିବାବେଳେ ୟୁଜିସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ବୋଲି ଶିକ୍ଷାବିତ କହିଛନ୍ତି।
ସ୍ନାତକ ଡିଗ୍ରୀ ସାର୍ଟିଫିକେଟ ପାଇବା ପାଇଁ ପୂର୍ବ ପରି ତିନିବର୍ଷ ପଢିବାକୁ ପଡିବ। ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି, ଛାତ୍ରଛାତ୍ରୀମାନଙ୍କୁ ସ୍ନାତକ ଅନର୍ସ ଡିଗ୍ରୀ ପାଇଁ ୪ବର୍ଷ ପଢିବାକୁ ପଡିବ। ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ୬ଟି ସେମିଷ୍ଟରରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖିବା ସ୍ନାତକ ସ୍ତରରେ ରିସର୍ଚ୍ଚ କରିବାକୁ ଚାହୁଁଥିଲେ, ସେମାନଙ୍କୁ ଚତୁର୍ଥ ବର୍ଷରେ ରିସର୍ଚ୍ଚ ବିଷୟ ବାଛିବା ପାଇଁ ସୁଯୋଗ ଦିଆଯିବ। ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ ରିସର୍ଚ୍ଚ ସହିତ ଅନର୍ସ ଡିଗ୍ରୀ ଦିଆଯିବ।
ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି, ସ୍ନାତକରେ ଏକ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବର୍ଷିକିଆ ସାର୍ଟିଫିକେଟ ମିଳିବାସହ ଦୁଇ ବର୍ଷ ପରେ ଡିପ୍ଲୋମା ଓ ତିନି ବର୍ଷ ପରେ ସ୍ନାତକ ସାର୍ଟିଫିକେଟ ଦିଆଯିବ। ୟୁଜିସି ପକ୍ଷରୁ ପ୍ରସ୍ତାବ ରଖାଯାଇଛି ଯେ ସ୍ନାତକ ସ୍ତରରେ ଯେଉଁ ଛାତ୍ରଛାତ୍ରୀମାନେ ଏବେ ତିନି ବର୍ଷିଆ ସ୍ନାତକ ଡିଗ୍ରୀ କରୁଛନ୍ତି ସେମାନେ ମଧ୍ୟ ଚାରି ବର୍ଷିଆ ସ୍ନାତକ ଡିଗ୍ରୀ ପଢିପାରିବେ ବୋଲି। ଅନ୍ୟପକ୍ଷରେ ୪ବର୍ଷରେ ଅନର୍ସ ଡିଗ୍ରୀ ସାରିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ପିଜି ପାଠ୍ୟକ୍ରମ ଏକ ବର୍ଷ ରହିବ ବୋଲି ପ୍ରସ୍ତାବ ରହିଛି। ତିନି ବର୍ଷିଆ ସ୍ନାତକ ଡିଗ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ବର୍ଷିଆ ପିଜି ପାଠ୍ୟକ୍ରମ ରହିବ।