Odisha Link
Bridging the Missing Links in Odisha

ତଥ୍ୟ ପ୍ରମାଣ ନଷ୍ଟ କରି ଅଭିଯୁକ୍ତକୁ ଖସାଇଦେବା ଚେଷ୍ଟାରେ ଲାଗିଛି ଯାଜପୁର ଜିଲ୍ଲା ପ୍ରଶାସନ : ଲେଖାଶ୍ରୀ

ଭୁବନେଶ୍ୱର : ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରଠାରେ ଯେଉଁ ବେଆଇନ ରଙ୍ଗଶାଳାରେ ପିଇଓ ସ୍ମିତାରାଣୀର ହତ୍ୟା କରାଯାଇଥିଲା ଗତକାଲି ସେହି ଘରକୁ ସରକାର ଭାଙ୍ଗିଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା କି, ଯଦି ୨୦୧୮ମସିହାରେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି ଧର୍ମଶାଳାକୁ ଭଙ୍ଗାଯାଇଥାନ୍ତା ତେବେ ହୁଏତ ଆଜି ସ୍ମିତାରାଣୀ ଜୀବିତ ରହିଥାନ୍ତେ ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ, ରାଜ୍ୟସରକାର କାଗଜରେ ଦେଖାଇଥିଲେ ୨୦୧୮ରେ ସେ ଘର ଭଙ୍ଗାଯାଇଛି କିନ୍ତୁ ସେ ରଙ୍ଗଶାଳାକୁ ଭଙ୍ଗାଯାଇନଥିଲା ।

ଯଦିଓ ରାଜ୍ୟସରକାର କହିଛନ୍ତି ତାକୁ ଭାଙ୍ଗିଛନ୍ତି ବୋଲି ତେବେ ଏହି ଭୂତକୋଠିରେ ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ହଠାତ୍ ରାଜ୍ୟସରକାରଙ୍କର ଜିଲ୍ଲା ପ୍ରଶାସନର ସେହି ବେଆଇନ ନିର୍ମିତ ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢିଗଲା? ସ୍ମିତାରାଣୀ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ବେଆଇନ ଘରକୁ ଜିଲ୍ଲା ପ୍ରଶାସନ ଦ୍ୱାରା ଭଙ୍ଗାଯାଇଛି ।

ସ୍ମିତାରାଣୀ ହତ୍ୟା ସମୟରେ ମୁଖ୍ୟ ଅଭିଯୁକ୍ତ ରୂପେଶ୍ ଭଦ୍ରଙ୍କ ସହ ଆଉ ଚାରି ଜଣ ବିଜୁଜନତା ଦଳର ନିର୍ବାଚିତ ପ୍ରତିନିଧି, ରାମକୋ ଅଧିକାରୀ ଉପସ୍ଥିତ ଥିଲେ । ସେଦିନ ରଙ୍ଗଶାଳାରେ କଣ ଘଟଣା ଘଟିଛି ତାହାର ତଥ୍ୟ ପ୍ରମାଣ ସେହି ଘରେ ରହିଥିଲା ।

ଏବେ ରଙ୍ଗଶାଳାକୁ ଭାଙ୍ଗି ସମସ୍ତ ତଥ୍ୟ ପ୍ରମାଣକୁ ନଷ୍ଟ କରିବା ରଙ୍ଗଶାଳାକୁ ଭାଙ୍ଗିଦିଆଯାଇଛି । ସ୍ମିତାରାଣୀକୁ ହତ୍ୟା କରାଗଲା ପରେ ରଙ୍ଗଶାଳାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଜବରଦସ୍ତି ସେଠାରୁ ଉଚ୍ଛେଦ କରାଯାଇଥିଲା ।

ତେଣୁ ସିସିଟିଭି କ୍ୟାମେରା ପୋଲିସ ପ୍ରଶାସନ ଜବତ କରିପାରିନଥିଲା । ବର୍ତମାନ ସେ ସିସିଟିଭି କ୍ୟାମେରା କେଉଁଠାରେ କାହା ପାଖରେ ରହିଛି? ରଙ୍ଗଶାଳା ଭିତରେ ଥିବା ତଥ୍ୟ ପ୍ରମାଣ ବର୍ତମାନ କାହା ପାଖରେ ? ବିଜେପି ପ୍ରିତିନିଧୀ ଦଳ ଯେଉଁଦିନ ରଙ୍ଗଶାଳାରେ ପହଂଚିଥିଲେ ସେଠାରେ ଗୋଟିଏ ତାଲା ଲାଗିଥିଲା, ରଙ୍ଗଶାଳାକୁ ହୋସପାଇପ୍ ଲଗାଇ ସଫା କରିବାକୁ ଉଦ୍ୟମ କରାଯାଇଥିଲା ବୋଲି ଡ.ସାମନ୍ତସିଂହାର କହିଛନ୍ତି ।

ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ର, ବିଜେଡି ଜନ ପ୍ରତିନିଧୀ ଏବଂ ରାମକୋ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ରାଜ୍ୟସରକାରଙ୍କ ପୋଲିସ ପ୍ରଶାସନ ଓ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରାଯାଇଛି ।

ବେଆଇନ ରଙ୍ଗଶାଳାରେ ୩ମାସ ତଳେ ସ୍ମିତାରାଣୀ ଘଟଣା ଘଟିଲା ପରେ ବି ସେ ରଙ୍ଗଶାଳାକୁ ଭଙ୍ଗାଗଲାନାହିଁ । ରଙ୍ଗଶାଳାକୁ ଭାଙ୍ଗିବା ପାଇଁ ସରକାର ୨ଥର ବିଭିନ୍ନ ନୋଟିସ୍‌ ଦେଇଥିଲେ ଆଉ ଯାଜପୁର ଜିଲ୍ଲାର ଏସ୍‌ପି ଆସି ଅପରାଧୀକୁ ଧରିବା ଜାଗାରେ ମହିଳାଙ୍କର ଚରିତ୍ର ହନନ କଲେ ।

ଏପର୍ଯ୍ୟନ୍ତ ରାଜ୍ୟସରକାରଙ୍କ ନିଦ ଭାଙ୍ଗିଲାନି କି ସେ ଯାଜପୁର ଏସ୍‌ପି ଚରଣ ସିଂ ମୀନାଙ୍କୁ ବହିଷ୍କାର କଲେ ନାହିଁ । ଯାଜପୁର ଜିଲ୍ଲା ପୋଲିସ ରୂପେଶ୍ ଭଦ୍ରକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଲାଗି ପଡିଛି ।

ରୂପେଶ୍‌ ଭଦ୍ରଙ୍କ ପକ୍ଷପାତିତା କରିବା ତାକୁ ଖସାଇ ଦେବା ପାଇଁ ଚେଷ୍ଟା କରିବା, ସିସିଟିଭି କ୍ୟାମେରା ଫୁଟେଜ୍ ସିଜ୍ ନକରିବା ଓ ଯେଉଁ ଗାଡିରେ ସ୍ମିତାରାଣୀଙ୍କ ଗାଡିରେ ଶବ ବୁହା ହେଲା ସେ ଗାଡିକୁ ସିଜ୍ ନକରିବା ଯେଉଁ ଜାଗାରେ ଏହି ଘଟଣା ଘଟିଲା ସେହି ରଙ୍ଗଶାଳାକୁ ପୋଲିସ ସିଜ୍ ନକରିବା ଆଦି ଘଟଣା ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ଡ.
ସାମନ୍ତସିଂହାର କହିଛନ୍ତି ।

ରାଜ୍ୟସରକାର ମୂଳରୁ ଜାଣିଥିଲେ ଯେ, ଏହା ଗୋଟିଏ ବେଆଇନ ନିର୍ମିତ ଘର ଏବଂ କାଗଜପତ୍ରରେ ତାକୁ ଭାଙ୍ଗିଛନ୍ତି ବୋଲି ମଧ୍ୟ ଦର୍ଶାଇଥିଲେ । କାହା ସ୍ୱାର୍ଥରେ ଏହି ବେଆଇନ ରଙ୍ଗଶାଳାକୁ ଭଙ୍ଗା ନଯାଇ ବର୍ତମାନ ପର୍ଯ୍ୟନ୍ତ ରଖାଯାଇଥିଲା? ସେଠାରେ କାହା ନିର୍ଦ୍ଦେଶରେ ବିଜୁଜନତା ଦଳର ପତାକା ଲାଗିଥିଲା ?

କାହିଁକି ବିଜୁ ଜନତା ଦଳର ଗେଷ୍ଟହାଉସ ହିସାବରେ ସେ ଘରକୁ ବ୍ୟବହାର କରାଯାଉଥିଲା ? ରାମ୍‌କୋ ଅଧିକାରୀଙ୍କ ସହ ବିଜୁଜନତା ଦଳର ବଡ ବଡ ଟାଣୁଆ ନେତାଙ୍କୁ ସେଠାକୁ ନିଆଯାଇ ତାଙ୍କୁ ଆପାୟିତ କରାଯାଉଥିଲା କାହିଁକି ? କେଉଁ ଉଦ୍ଦେଶ୍ୟ ରଖି କାହା ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅକ୍ଟୋବର ୧୬ତାରିଖ ଦିନ ସ୍ମିତାରାଣୀଙ୍କୁ ହତ୍ୟା କରାଗଲା? କାହା ଇଙ୍ଗିତରେ ଏଭଳି ବେଆଇନ ଘର ଭିତରେ ବେଆଇନ କାମ ଚାଲିଥିଲା ବୋଲି ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

କେବଳ ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଗଲେ ସମସ୍ତ ତଥ୍ୟ ପଦାକୁ ଆସିପାରିବ ବୋଲି ବିଜେପି ପକ୍ଷରୁ ବାରମ୍ବାର ଦାବି ପରେ ବି ରାଜ୍ୟସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ପୂର୍ବରୁ ରାଜ୍ୟ ମହିଳା କମିସନର ମଧ୍ୟ କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ହେଉ କିନ୍ତୁ ଅନ୍ୟପଟେ ରଙ୍ଗଶାଳାକୁ ଭାଙ୍ଗି ଗତକାଲି ରୂପେଶ୍ ଭଦ୍ରଙ୍କର ପତ୍ନୀଙ୍କୁ ସମସ୍ତ ପ୍ରମାଣ ହସ୍ତାନ୍ତର କରିଛି ।

ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ରାଜ୍ୟସରକାର ଜିଲ୍ଲା ପୋଲିସ ସବୁ ପ୍ରକାରର ତଥ୍ୟ ପ୍ରମାଣ ନଷ୍ଟ କରିଦେବା ପାଇଁ ଆଗଭର ହୋଇଛି ଏବଂ ରୂପେଶ୍ ଭଦ୍ରକୁ କେମିତି ଜଘଂନ୍ୟ ଅପରାଧରୁ ଖସାଇଦେବେ ସେଥିପାଇଁ ପୋଲିସ ଅଂଟା ଭିଡିଛି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ଡ.ସାମନ୍ତସିଂହାର କହିଛନ୍ତି ଯେ, ବେଆଇନ ରଙ୍ଗଶାଳା ସେପରି ଅନେକ ବେଆଇନ ଜମିକୁ ରାମକୋ ଜବରଦଖଲ କରିଛି । ସ୍ମିତାରାଣୀ ମୃତ୍ୟୁର ଘଟଣାରେ ରୂପେଶ୍ ଭଦ୍ର ଓ ଚାରି ଜଣ ନିବନିର୍ବାଚିତ ପ୍ରତିନିଧି, ରାମକୋ ଅଧିକାରୀ ଏଥିରେ ସମ୍ପୃକ୍ତ ଥିଲେ କିନ୍ତୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ ଓ ବର୍ତମାନ ପର୍ଯ୍ୟନ୍ତ ସେମାନଙ୍କ ପରିଚୟ ରାଜ୍ୟସରକାର ସ୍ପଷ୍ଟ କରିନାହାଁନ୍ତି ।

ଯଦି ଗୋଟିଏ ବେଆଇନ ରଙ୍ଗଶାଳା ଭାଙ୍ଗିଲ ତେବେ ରାମକୋ ଦ୍ୱାରା ନିଆଯାଇଥିବା ଶହ ଶହ ଏକର ବେଆଇନ ଜମି, ଅନାବାଦି ଜମି, ଶ୍ମଶାନ ଜମି, ଦେବୋତର ଜମି ଆଉ ଗୋଚର ଜମି ସବୁପ୍ରକାରର ଜମି ରହିଛି ତାହା କେବେ ସିଜ୍ କରିବେ? ରାଜ୍ୟସରକାର ଯେଉଁ ୫-ଟିର ଟ୍ରାନ୍ସଫରେନ୍ସି କଥା କହୁଛନ୍ତି ସେହି ଟ୍ରାନ୍ସପରେନ୍ସି ବଳରେ ଯାଜପୁର ଜିଲ୍ଲାର ପୋଲିସ ସ୍ପଷ୍ଟ କରୁ କି, କେଉଁ ଲୋକମାନେ ସେଦିନ ସେଠାରେ ଉପସ୍ଥିତ ଥିଲେ ? ବିଜେପି ଓଡିଶାର ମହିଳା ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବ ।

ରାଜ୍ୟସରକାର ସ୍ମିତାରାଣୀର ମୃତ୍ୟୁକୁ ଲୁଚାଇବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । ତୁରନ୍ତ ରାଜ୍ୟସରକାର ସ୍ମିତାରାଣୀ ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରନ୍ତୁ ବୋଲି ବୋଲି ଡ. ସାମନ୍ତସିଂହାର ଦାବି କରିଛନ୍ତି ।

Comments are closed.