Odisha Link
Bridging the Missing Links in Odisha

ଆଦିବାସୀ ମେଳାରେ ଜୈବିକ କୃଷି ସାମଗ୍ରୀର ସର୍ବାଧିକ ଚାହିଦା

ଭୁବନେଶ୍ୱର : ଆଦିବାସୀମେଳାକୁ ବୁଲି ଆସୁଥିବା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇଛି ଜୈବିକ କୃଷି ସାମଗ୍ରୀ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜନଜାତି ସମ୍ପ୍ରଦାୟଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରୋତ୍ସାହନରେ ଅଣାଯାଇଥିବା ଜୈବିକ କୃଷି ଉତ୍ପାଦ ଗୁଡିକୁ ଲୋକେ ଆଗ୍ରହର ସହ ଖରିଦ କରୁଛନ୍ତି ।

ଏଥି ମଧ୍ୟରେ ହଳଦୀ ଠାରୁ ଆରମ୍ଭକରି ଗୁଗ, ବିରି, ମାଣ୍ଡିଆ, ବୁଟ, ହରଡ, କୋଳଥ ଆଦି ରହିଛି । ଏଥି ସହିତ ହରିଡା, ବାହାଡା, ଅଦା, ଶୁଣ୍ଠି, ଶୁଖିଲାଲଙ୍କା, ଆମ୍ବଅଦା, ମହୁ ଆଦି ସାମଗ୍ରୀକୁ ଲୋକେ ଅଧିକ ପରିମାଣରେ ଖରିଦ କରୁଛନ୍ତି ।

ଆଦିବାସୀ ମେଳାର ୧୩ତମ ସଂଧ୍ୟାରେ ମେଳାକୁ ପ୍ରାୟ ୮୫ ହଜାର ଲୋକ ବୁଲିବାକୁ ଆସିଥିବାବେଳେ ୬୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର କିଣାବିକା ହୋଇଛି । ଆଦିବାସୀ ହାଟରୁ ଲୋକେ ବିପୁଳ ମାତ୍ରାରେ ସାମଗ୍ରୀ ଖରିଦ କରିଛନ୍ତି ।

ସେହିଭଳି ଜାତୀୟ ଜନଜାତି ଖାଦ୍ୟ ମେଳାରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ ହୋଇଥିବାବେଳେ ହସ୍ତଶିଳ୍ପ ମଣ୍ଡପରେ ୬ଲକ୍ଷ ଟଙ୍କାର କାରବାର ହୋଇଛି । ସେହିଭଳି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ପରିବେଶିତ ସମସ୍ୟା ଭିତ୍ତିକ ନାଟକ “ସବୁ ରାତିର ସକାଳ ଅଛି” କୋହଲା ପାଗକୁ ବେଶ୍‌ ଉଷ୍ମ କରିଥିଲା ।

ଆଜି ପର୍ଯ୍ୟନ୍ତ କେବଳ ଆଦିବାସୀ ନୃତ୍ୟ, ସଂଗୀତ ଓ ବାଦ୍ୟର ତାଳେ ତାଳେ ଝଙ୍କୃତ ହେଉଥିବା ମେଳା ମଣ୍ଡପ ଆଜି ଏକ ଭିନ୍ନ ସ୍ୱାଦର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏଥି ସହିତ ଆଦିବାସୀ ହାଟରୁ ମେଳା ବୁଲିବାକୁ ଆସିଥିବା ଲୋକେ ଆଦିବାସୀ ମାନଙ୍କର ହାତ ତିଆରି ବିରି, ଧଳା ସୋରିଷ, ମକା, ବାଜରା, ଧଣିଆ, ମାଣ୍ଡିଆ ପ୍ରସ୍ତୁତ କେକ୍‌, ସେୟାବିନ୍‌, ଆମ୍ବସଢ଼ା, ନାଲିଲଙ୍କା, କାଜୁ, ଝୁଣା, ମୁଗ, ବିଭିନ୍ନ ପ୍ରକାର ବଡି, ଡାଲଚିନ୍‌, ଗୁଜୁରାତି, ଅଳେଇଚ, ବାସୁମତୀ ଚାଉଳ, କଞ୍ଚା ହଳଦୀ, ଦେଶୀ ଆଳୁ, ଦେଶୀ ଅଦା ଇତ୍ୟାଦି ଖରିଦ କରିଛନ୍ତି । ଦୁଇ ଦିନ ଧରି ରାଜଧାନୀରେ କୋହଲା ପାଗ ଲାଗି ରହିଥିଲେ ମଧ୍ୟ ମେଳାରେ ଲାଗି ରହୁଥିବା ଜନସମାଗମ ଉପରେ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ ।

Comments are closed.