Odisha Link
Bridging the Missing Links in Odisha

ମହାଶିବରାତ୍ରି ପାଳନ ପୂର୍ବରୁ ମନ୍ଦିରର ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଲେ ଚିତ୍ରଶିଳ୍ପୀ

ଭୁବନେଶ୍ୱର : ଶୈବପୀଠରୁ ଶୁଭୁଛି ଓଁକାର ଧ୍ୱନି । ଗହ ଗହ ହୋଇଉଠିଛି ଏକାମ୍ର କ୍ଷେତ୍ର । ଭକ୍ତ, ଶ୍ରଦ୍ଧାଳୁ, ସାଧୁସନ୍ଥମାନଙ୍କ ଆଗମନରେ ରାଜ୍ୟର ଶିବମନ୍ଦିରଗୁଡ଼ିକରେ ସୃଷ୍ଟି ହୋଇଛି ନିଆରା ଆଧ୍ୟାତ୍ମିକ ପରିବେଶ ।

ଏଭଳି ପରିବେଶରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଚେନତାର ବାର୍ତ୍ତା ବାଣ୍ଟିଛି ସହର ଉପକଣ୍ଠ ପୋଖରୀପୁଟ ଇନ୍ଦ୍ରପସ୍ଥ କଲୋନୀ ଫେଜ୍‌-୨ରେ ଥିବା ଚିତ୍ରଶିକ୍ଷା ଅନୁଷ୍ଠାନ ‘ଚିତ୍ରଶାଳା’ । ଚିତ୍ରଶାଳାର ପ୍ରତିଷ୍ଠାତା ଅନସୂୟା ସାହୁ ଓ ଚିତ୍ରଶିଳ୍ପୀ ସୁସ୍ମିତାରାଣୀ ରାଉତଙ୍କ ମାର୍ଗଦର୍ଶନରେ କୁନିଶିଳ୍ପୀମାନେ ମୁରୁଜରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଚିତ୍ର ଆଙ୍କି ମନ୍ଦିରର ପବିତ୍ରତା ଓ ସ୍ୱଚ୍ଛତା ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି ।

କୁନିଚିତ୍ରଶିଳ୍ପୀମାନଙ୍କ ଏଭଳି ପ୍ରୟାସକୁ ସ୍ୱାଗତ କରାଯାଇଛି । ପରିବେଶବିତ୍ ତଥା ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି ଯେ, ମହାଶିବରାତ୍ରି ପରଦିନ ମନ୍ଦିରଗୁଡ଼ିକରେ ଯେଭଳି କୁଢ କୁଢ ବର୍ଜ୍ୟ ଜମା ହୋଇ ରହୁଛି ତାହା ଚିନ୍ତାଜନକ ।

ଭକ୍ତମାନେ ନିଷ୍ଠାପର ଭକ୍ତି ସହିତ ବର୍ଜ୍ୟ ସୃଷ୍ଟି ନହେବା ଦିଗରେ ଉଦ୍ୟମ କରିବାକୁ ନେଇ ଏଭଳି ଚିତ୍ର ସଚେତନତା ସୃଷ୍ଟିରେ ସଫଳ ହୋଇଛି ବୋଲି ସେ କହିଛନ୍ତି । କ୍ଲିନ୍‌ଲିନେସ୍ ଇଜ୍ ଗଡ୍‌ଲିନେସ୍ । ଏହି ବାର୍ତ୍ତା ପାଇଁ ଏଭଳି ଉଦ୍ୟମ କରାଯାଇଥିବା ଚିତ୍ରଶାଳା ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏକାମ୍ରକ୍ଷେତ୍ରର ପ୍ରମୁଖ ଶୈବପୀଠଗୁଡ଼ିକରେ ଗଦା ଗଦା ବର୍ଜ୍ୟ ଶିବରାତ୍ରିର ମହାତ୍ମ୍ୟକୁ ନକରାତ୍ମକ ଭାବନା ସୃଷ୍ଟି କରାଉଛି । ବାସିଫୁଲ, ପ୍ଲାଷ୍ଟିକ୍‌ଜରି, ଭଙ୍ଗା ବୋତଲ, ସଳିତା, କୁଡ଼ୁଆ ଓ ବ୍ୟବହୃତ ଦୀପଗୁଡ଼ିକର ସଠିକ ପରିଚାଳନା ହେବା ଉଚିତ୍ ବୋଲି ସୁଶାନ୍ତ ଅନୁରୋଧ କରିଛନ୍ତି ।

ଭୁବନେଶ୍ୱରସ୍ଥିତ ବି.ଆଇ ପ୍ରୋଫେସନାଲ୍‌ସ ପକ୍ଷରୁ ଚିତ୍ରଶିଳ୍ପୀମାନଙ୍କୁ ଆବଶ୍ୟକୀୟ ଚିତ୍ର ସାମଗ୍ରୀ ଯୋଗାଇ ଦେବା ସହ ମୁରୁଜକଳାରେ ସ୍ୱଚ୍ଛତାର ବାର୍ତ୍ତା ଭୂୟସୀ ପ୍ରଶଂସା କରାଯାଇଛି ।

Comments are closed.