ସେପ୍ଟେମ୍ବର ୧୯ରୁ IPL, ଚୀନ କମ୍ପାନୀ VIVO ମୁଖ୍ୟ ପ୍ରଯୋଜକ

ଓଏଲ୍ ବ୍ୟୁରୋ: ଗୋଟିଏ ପଟେ ଚୀନ୍ ପ୍ରସ୍ତୁତ ଆପ୍କୁ ନିଷିଦ୍ଧ କରୁଥିବା ଭାରତ ଏଇ କରୋନା କାଳରେ ଆଇପିଏଲ୍ କ୍ରିକେଟ୍ ମ୍ୟାଚ୍ ପାଇଁ ଅଣ୍ଟା ଭିଡ଼ିଛି। ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ୟୁନାଇଟେଡ୍ ଆରବ ଏମିରଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ। ସବୁଠୁ ବଡ଼ କଥା ହେଉଛି ପୂର୍ବ ଭଳି ଏଥର ମଧ୍ୟ ଏହି ଖେଳର ମୁଖ୍ୟ ପ୍ରଯୋଜକ ରହିବ ଚୀନ୍ର ପ୍ରମୁଖ ସେଲ୍ଫୋନ୍ ପ୍ରସ୍ତୁତକାରୀ ବିବୋ। ଏ ନେଇ ଆଜି ନଷ୍ପତ୍ତି ନେଇଛି ବିସିସିଆଇ ଗଭର୍ଣିଂ କାଉନ୍ସିଲ ନିଷ୍ପତ୍ତି ନେଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ବର୍ତ୍ତମନ ବିସିସିଆଇର ସଂପାଦକ ଥିବା ବେଳେ ପୂର୍ବତନ କ୍ରିକେଟ୍ ତାରକା ସୌରଭ ଗାଙ୍ଗୁଲି ଏହାର ଅଧ୍ୟକ୍ଷ ଅଛନ୍ତି। ସୀମାନ୍ତରେ ଚୀନ୍ ସେନାର ହାକିମାତି ପାଇଁ କିଛିଦିନ ହେବ ଦେଶରେ ଚୀନ୍-ବିରୋଧୀ ଆନ୍ଦୋଳନ ତେଜିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ଏହାକୁ ପ୍ରୋତ୍ସାହିତ କରୁଛନ୍ତି। ନିକଟରେ ୫୯ଟି ଚୀନ୍ ମୋବାଇଲ୍ ଆପ୍ଲିକେସନ୍କୁ ଦେଶରେ ବନ୍ଦ କରିଛନ୍ତି କେନ୍ଦ୍ର ସରକାର। ଦୁଇଦିନ ତଳେ ଭାରତ ଚୀନ୍ରୁ ରଙ୍ଗୀନ ଟିଭି ଆମଦାନୀ ବନ୍ଦ କରିଥିବା ବେଳେ ଭବିଷ୍ୟତରେ ଅଧିକ ଚୀନ୍ ସାମଗ୍ରୀ ବନ୍ଦ ହେବାନେଇ ଆଶା ସଂଚାର ହୋଇଛି।
ଏଭଳି ସମୟରେ ଚୀନ୍ ମୋବାଇଲ୍ କମ୍ପାନୀକୁ ଆଇପିଏଲ୍ ମୁଖ୍ୟ ପ୍ରଯୋଜକ ଭାବେ ଗ୍ରହଣ କରିବାକୁ ଅନେକେ ସହଜରେ ହଜମ କରିପାରୁନାହାନ୍ତି।
ତେବେ ଏନେଇ ନିଜର ଯୁକ୍ତି ରଖିଛି ବିସିସିଆଇ। ବିବୋ ଭାରତରେ ମୋବାଇଲ୍ ବିକ୍ରି କରିବାକୁ ଅନୁମତି ପାଇଛି। ସେମାନେଯେଉଁ ଲାଭ ନେଉଛନ୍ତି ତାହାର କିଛି ଅଂଶ ଆଇପିଏଳ୍ ପାଇଁ ଆସୁଛି। ଏହା ଉପରେ ଭାରତ ସରକାରଙ୍କୁ ୪୨ ପ୍ରତିଶତ ଟିକସ ବି ମିଳୁଛି। ଏଣୁ ଏଥିରେ ଭାରତର ଲାଭ ହିଁ ହେବ ବୋଲି ବିସିସିଆଇ ପକ୍ଷରୁ ଯୁକ୍ତି କରାଯାଇଛି।