ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ରାମମନ୍ଦିର ଭୂମିପୂଜା ଉତ୍ସବ

ଅଯୋଧ୍ୟା: ବହୁ ପ୍ରତୀକ୍ଷିତ ରାମ ମନ୍ଦିର ଭୂମିପୂଜନ ଶେଷ ହୋଇଛି। ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର ଧର୍ମୀୟ ପାରମ୍ପରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ।
ପଣ୍ଡିତଙ୍କର ମନ୍ତ୍ରୋଚାରଣ ସହ ଅତିଥିମାନେ ତଳେ ବସି ଏହି କାର୍ଯ୍ୟକ୍ରମ ସମାପନ କରିଛନ୍ତି। ରାମଲାଲାଙ୍କ ମୂର୍ତ୍ତି ଆଗରେ ପ୍ରଧାନମନ୍ତ୍ରୀ ପ୍ରଣିପାତ ଜଣାଇଛନ୍ତି। ଜୟ ଶ୍ରୀରାମ ଉଲ୍ଲେଖ ଥିବା ୧୦୦ଟି ଇଟାରେ ଭୂମିପୂଜା କାର୍ଯ୍ୟ କରାଯାଇଛି। ରାମଜନ୍ମଭୂମୀ ସ୍ଥାନରେ ମୂଳଦୁଆରେ ଏକ ରୂପା ଇଟା ଦେଇ ଏ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ଦିନ ଗୋଟାଏ ସୁଦ୍ଧା ଭୂମିପୂଜନ ସମାରୋହ ଶେଷ ହେବା ପରେ ମୋଦୀ ଓ ଅନ୍ୟଅତିଥିମାନେ ମଞ୍ଚାସୀନ ହୋଇ ଉପସ୍ଥିତ ଅତିଥି ଓ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସିଧାପ୍ରସାରଣ ମାଧ୍ୟମରେ ଦେଶବ୍ୟାପୀ ଜନତା ଏହି ଉତ୍ସବକୁ ଦେଖୁଛନ୍ତି।