Odisha Link
Bridging the Missing Links in Odisha

ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତି : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ଚାଲିଛି। ସାଧାରଣ ଲୋକଙ୍କର ଜନ ଜୀବନ ସୁରକ୍ଷା ଯୋଗାଇ ଦେବା ସରକାରଙ୍କର ନୈତିକ ଦାୟୀତ୍ୱ ଥାଏ । କିନ୍ତୁ କ୍ଷମତା ଓପ୍ରଶଂସା ପାଗଳ ସରକାର ରାଜ୍ୟବାସୀଙ୍କ ସହ ପ୍ରତାରଣ କରିଛନ୍ତି।

ଗତ ୨୦୧୯ ମସିହାରେ ୨୭ ଲକ୍ଷ ଗ୍ରାମୀଣ ଲୋକଙ୍କ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ରାଜ୍ୟ ସରକାର ବିଧାନସଭାରେ କହିଥିଲେ। ଏହି ଯୋଜନାରେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଅଯୋଗ୍ୟ ହିତାଧିକାରୀ ଏବଂ ଦଳୀୟ କର୍ମୀଙ୍କୁ ଘର ଦିଆଯାଇଥିଲା ।

ଏହା ବିରୁଦ୍ଧରେ ରାଜ୍ୟ ବିଜେପି କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅବଗତ କରାଇବା ପରେ ରାଜ୍ୟସରକାରଙ୍କୁ ସାଧାରଣ ଜନତା କାଠଗଡାରେ ଛିଡା କରାଇଥିଲେ। ରାଜ୍ୟସରକାର ଫେବୃଆରୀ ୭ ତାରିଖରେ ଆଉ ଥରେ ହିତାଧିକାରୀ ଚୟନ ପାଇଁ ନିର୍ଦ୍ଦେଶ ଦେଲେ ଏବଂ ପ୍ରତି ବ୍ଲକ ଅଫିସରେ ସାନି ଆବେଦନ କରିବା ପାଇଁ ଏକ ବାକ୍ସ ରଖାଗଲା ।

୨୫ ଫେବୃଆରୀ ସୁଦ୍ଧା ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ହିତାଧିକାରୀ ଚୟନ ତାଲିକା ମାରିବା ନେଇ ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ଆବେଦନ ପତ୍ରକୁ ଫେବୃଆରୀ ମାସରୁ ଏଯାବତ୍ ବ୍ଲକ ଗୁଡିକରେ ଥିବା ବାକ୍ସ ଭିତରୁ ବାହାର କରାଯାଇନାହିଁ। ରାଜ୍ୟସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ୫-ଟି ରେ ସାମିଲ କରାଇଛନ୍ତିା

ଏହା କ’ଣ ୫-ଟି ର କାର୍ଯ୍ୟନ୍ୱୟନ? ୧୦ ମାସ ପରେ ହିତାଧିକାରୀ ତାଲିକାକୁ ରାଜ୍ୟସରକାର ଗ୍ରହଣ କରିନଥିବାରୁ ସ୍ପଷ୍ଟ ଜଣାପଡୁଛି କି, ଗରିବ ଲୋକ ଘର ଖଣ୍ଡେ ପାଉ ବୋଲି ରାଜ୍ୟସରକାର ଚାହୁଁ ନାହାଁନ୍ତି । ଏବେ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଆବାସ ସଂପର୍କିତ ଚିଠି ଲେଖି କେବଳ ଡ୍ରାମା କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ହରିଚନ୍ଦନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେନ୍ଦ୍ର ସରକାରଙ୍କର ଏକ ବହୁମୁଖୀ ଯୋଜନା। ଏହି ଯୋଜନାରେ ବ୍ୟାପକ ଅର୍ଥ କେନ୍ଦ୍ରସରକାର ରାଜ୍ୟକୁ ପଠାଉଛନ୍ତି। କିନ୍ତୁ ଏଠି ରାଜ୍ୟସରକାର ଗୁମାସ୍ତା ପରି କେନ୍ଦ୍ରୀୟ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପରିବର୍ତ୍ତେ ମାଲିକ ସାଜି ନେମ୍‌ ପ୍ଲେଟ ଲଗାଇ ବାହା ବାହା ନେବାର ଅପଚେଷ୍ଟା କରୁଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ହେଲେ ୨୦ ହଜାର ଲାଞ୍ଚ ନେଉଥିବା ସରକାରୀ ଅଧିକାରୀ ଏବଂ ଶାସକ ଦଳର ନେତାମାନେ ଏବେ ଚଂଚକତା କରି ୪୨୦ ର କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଧାନମନ୍ତ୍ରୀଙ୍କ ବହୁ ଅଭିଳାଷିତ ଯୋଜନା। ଦେଶର ଜନତାଙ୍କୁ ପକ୍କା ଘର, ଶୌଚାଳୟ, ବିଜୁଳୀ ଯୋଗାଣ, ସ୍ୱଚ୍ଛ ଇନ୍ଧନ, ପାଇପ ଯୋଗେ ପାନୀୟ ଜଳ, ଖାଦ୍ୟ ସୁରକ୍ଷା ଯୋଜନା ଆଦି ସୁବିଧା ଯୋଗାଇବା ନେଇ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ରାଜ୍ୟସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ଷଡଯନ୍ତ୍ର ଚଲାଇଛନ୍ତି।

ପୂର୍ବରୁ ୧୦୮ ଆମ୍ବୁଲାନ୍ସକୁ ନିଜ ଯୋଜନା କହି ବ୍ରାଣ୍ଡିଂ କରିଥିଲେ ରାଜ୍ୟସରକାର। ଆଉ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନାର ଫଳକରେ ପ୍ର.ଆ.ଯୋ ଲେଖି ଷ୍ଟିକର ମାରୁଛନ୍ତି ଏବଂ ତଳେ ବିଜୁ ବାବୁଙ୍କ ଫଟୋ ସହ ବିଜୁ ପକ୍କା ଘର ଯୋଜନା ଲେଖାଯାଉଛି।

୨୦୧୪ ପୂର୍ବରୁ ଥିବା ଇନ୍ଦିରା ଆବାସ ଯୋଜନାକୁ ଇ.ଆ.ଯୋ ଲେଖି ବିଜୁ ବାବୁଙ୍କ ଫଟୋ ଷ୍ଟିକରିଂ କରାଯାଉଛି। ଓଡିଶାର ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିକାଶ ନୁହେଁ ବରଂ କେବଳ ଚିଠି ଲେଖିବାରେ ପିଏଚଡି କରିଛନ୍ତି ବୋଲି ହରିଚନ୍ଦନ ଆକ୍ଷେପ କରି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୭-୧୮ରେ କେନ୍ଦ୍ର ସରକାର ୬୨୧୮ କୋଟି ଟଙ୍କା ଦେଇଥିବାବେଳେ ବିଜୁ ପକ୍କା ଘର ଯୋଜନାରେ ମାତ୍ର ୬୬୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହାକି ମାତ୍ର ୧୦ ପ୍ରତିଶତ ଥିଲା । ୨୦୧୮-୧୯ରେ କେନ୍ଦ୍ର ସରକାର ୪୯୨୫ କୋଟି ଦେଇଥିବାବେଳେ ରାଜ୍ୟ ସରକାର ୮୩୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ଯାହାକି ମାତ୍ର ୧୫ ପ୍ରତିଶତ।

୨୦୧୯-୨୦ରେ କେନ୍ଦ୍ର ସରକାର ୨୭୬୫ କୋଟି ଟଙ୍କା ଅନୁଦାନ ପଠାଇଥିବା ସମୟରେ ରାଜ୍ୟସରକାର ୨୦୮ କୋଟି ଯାହା ମାତ୍ର ୭ ପ୍ରତିଶତ। କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରିବାର ଷଡଯନ୍ତ୍ରକୁ କେବେ ବି ଓଡିଶାର ସାଧାରଣ ଲୋକ ବରଦାସ୍ତ କରିବେ ନାହିଁ ବୋଲି ହରିଚନ୍ଦନ କହିଛନ୍ତି।

ଘର ନିର୍ମାଣ ହୋଇଥିବା ସମସ୍ତ ଗରିବ ଲୋକଙ୍କର ସୂଚନା ସଂଗ୍ରହ କରାଯାଉଛି। ଏହି ଫର୍ମରେ ଘର ଠିକଣା ଠୁ ଆରମ୍ଭ କରି ବ୍ୟାଙ୍କ ଆକାଉଂଟ ନମ୍ବର , ଆଇଏଫଏସସି କୋର୍ଡ ଇତ୍ୟାଦି ତଥ୍ୟ ସଂଗ୍ରହ କରାଯାଇ କୁହାଯାଉଛି ଯେ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୁମ ଘର ମରାମତି ପାଇଁ ନବୀନ ବାବୁ ୧୦ ହଜାର ଟଙ୍କା ପଠାଇବେ।

ଏନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁା ଠକାମୀ, ଚଂଚକତା ଏବଂ ୪୨୦ କାମ ଚାର୍ଲସ ଶୋଭରାଜ କଲେ ଶୋଭାପାଏ । କିନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର ଏହା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ହରିଚନ୍ଦନ କହିଛନ୍ତି।

ରାଜ୍ୟ ସରକାର କ୍ଷମତା ପାଗଳାମି ଓ ଚଂଚକତା ଛାଡି କେମିତି ଗରିବ ଲୋକଟିଏ ପକ୍କା ଘର ଖଣ୍ଡେ ପାଇବ ସେ ନେଇ ବ୍ୟବସ୍ଥା କରନ୍ତୁ। ଏହାର ବ୍ୟତିକ୍ରମ ଦେଖାଦେଲେ ବିଜେପି ପକ୍ଷରୁ ବ୍ୟାପକ ଆନ୍ଦୋଳନ ହେବ। ଗୋଟିଏ ଗରିବ ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ନମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ। ରାଜ୍ୟସରକାର ତୁରନ୍ତ ଯୋଜନା ଚୋରି ଓ ଷ୍ଟିକରିଂ ବନ୍ଦ କରି ନିଜର ବ୍ରାଣ୍ଡିଙ୍ଗ କରିବା ଛାଡନ୍ତୁ।

ଗତ ୧୦ ମାସ ଭିତରେ ଗରିବ ଲୋକଙ୍କୁ ପକ୍କା ଘର ମିଳିବା ପାଇଁ କୌଣସି ବ୍ୟବସ୍ଥା ନହେବା ପ୍ରତିବାଦରେ ଆସନ୍ତା ୨୮ ତାରିଖରେ ରାଜ୍ୟର ସମସ୍ତ ବ୍ଲକ ଅଫିସ ଆଗରେ ବିଜେପି କାର୍ଯ୍ୟକର୍ତାଙ୍କ ସମେତ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କ ଚିଠି ଫାଡିବେ ଏବଂ ପୋଡିବେ। ଆସନ୍ତା ୨୯ ତାରିଖରେ ରାଜ୍ୟର ସମସ୍ତ ଥାନାରେ ସିଆରପିସି ସେକସନ ୪୨୦ ଧାରାରେ ସରକାରଙ୍କ ନାଁରେ ଏତଲା ଦିଆଯିବ।

୨୦୨୨ ସୁଦ୍ଧା ଓଡିଶାର ପ୍ରତିଟି ଯୋଗ୍ୟ ହିତାଧିକାରୀକୁ ପକ୍କା ଘର ଯୋଗାଇବାର ଲକ୍ଷ୍ୟ ଦିଗରେ ବିଜେପି କାର୍ଯ୍ୟ କରିବ। ହିତାଧିକାରୀଙ୍କୁ ଘର ନମିିଳିବା ପର୍ଯ୍ୟନ୍ତ ଷ୍ଟିକର ମରା ବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ବ୍ୟାଙ୍କ ଆକାଉଂଟ ସୂଚନା ସଂଗ୍ରାହକ ଲୋକମାନଙ୍କୁ ଗାଁରେ ପୂରାଇ ନଦେବାକୁ ଦଳ ତରଫରୁ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରକୁ ପଠାଇଥିବା ଆବାସ ଯୋଜନା ସଂପର୍କିତ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ବିଜେପି ନେତୃବୃନ୍ଦ ଚିରିବା ସହ ଷ୍ଟିକରିଂର ପ୍ରାମାଣିକତାକୁ ସର୍ବସମ୍ମୁଖରେ ରଖିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଂଜିତ ଦାସ, ରାଜ୍ୟ ସଂପାଦକ ଶାରଦା ପ୍ରଧାନ ଏବଂ ଅମର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.