Odisha Link
Bridging the Missing Links in Odisha

ଅନୁଗତ ନ ହେଲେ ଉପକୂଳରେ ପୁଲିସକୁ ମିଳୁନି ପୋଷ୍ଟିଂ: ପ୍ରକାଶ ମିଶ୍ର

ଭୁବନେଶ୍ୱର: ମହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ପ୍ରକାଶ ମିଶ୍ର। ପ୍ରକାଶ ମିଶ୍ର କହିଛନ୍ତି “ସମାଜରେ ଦୁର୍ଗତି ହେଲାଣି। କାରଣ ପୁଲିସ୍‌ ଉପରେ ଚାପ ପକାଇ ତାକୁ ନିଷ୍କ୍ରିୟ କରି ଦିଆଯାଇଛି। ପୁଲିସ୍‌ ବିଭାଗରେ ଥିବା ଶୃଙ୍ଖଳା ସମ୍ପୂର୍ଣ୍ଣ କ୍ଷୁର୍ଣ୍ଣ ହୋଇଯାଇଛି। ସମସ୍ତ ପୁଲିସ୍‌ ଅଧିକାରୀ ଜଣଙ୍କ ଅନୁଗତ। ବିଶେଷ କରି ଶାସକ ଦଳ ଲୋକଙ୍କ ଅନୁଗତ ନ ହେଲେ ଉପକୂଳ ଅଞ୍ଚଳ ଥାନାରେ ପୋଷ୍ଟିଂ ହେଉନି। ଏହା ଆଇନଶୃଙ୍ଖଳା ପ୍ରତି ତଥା ଲୋକଙ୍କ ଧନଜୀବନ ପ୍ରତି ଅତ୍ୟନ୍ତ ବିପଦଜନ୍ନକ।ଦିନ ଦିପହରରେ ଲୋକଙ୍କ ହତ୍ୟା ହେଉଛି, ଚୋରି ହେଉଛି, ଛୋଟ ଛୁଆଙ୍କୁ ବିକ୍ରି କରି ଦିଆଯାଉଛି।”

ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ, ଲୋକଙ୍କ ଆଗରେ ଏବେ କାହାଣୀ ପ୍ରସ୍ତୁତ କରାଯାଉଛି। ଦିବ୍ୟସିଂହ ବରାଳ ହସ୍ପିଟାଲ ଯାଇଥିବା ବେଳେ ସେଠାରେ ସେ ମୃତ୍ୟୁ ଜମାନବନ୍ଦୀ ଦେଇଥିଲେ। ସାଧାରଣତଃ ମୃତ୍ୟୁ ପୂର୍ବରୁ ଦିଆଯାଉଥିବା ବୟାନର ତାତ୍ପର୍ଯ୍ୟ ବହୁତ ବେଶି। ଦିବ୍ୟସିଂହ ମୃତୁ୍ୟ ପୂର୍ବରୁ ଅନେକ ଲୋକଙ୍କ ନାମ କହିଥିଲେ। ମାତ୍ର ପୁଲିସ୍‌ ହେଲେ ପୁଲିସ୍‌ ଏହାକୁ ଆଧାର କରି ତଦନ୍ତ କରୁ ନାହିଁ। କିଛି ଲୋକଙ୍କୁ ଗିରଫ କରି ସାଧାରଣ ଲୋକଙ୍କୁ ପୂର୍ବ ଶତ୍ରୁତାର କାହାଣୀ ଶୁଣାଉଛି। ଏହା ଅତ୍ୟନ୍ତ ଉଦବେଗଜନକ ବୋଲି କହିଛନ୍ତି ।

ଯେଉଁମାନେ ଅପରାଧରେ ସମ୍ପୃକ୍ତ ସେମାନେ ଯେ କେବଳ ଦୋଷୀ ତାହା ନୁହେଁ, ସେମାନଙ୍କୁ ଯିଏ ପ୍ରବର୍ତ୍ତାଇଥାନ୍ତି ସେମାନେ ମଧ୍ୟ ଦୋଷୀ। ମାତ୍ର ଏଠାରେ ସେ ବିଷୟରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ପୁଲିସ୍‌ ଲୋକଲୋଚନକୁ ନ ଆଣିଲେ ପୁଣି ଥରେ ରାଜରାସ୍ତାରେ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ପ୍ରକାଶ ମିଶ୍ର।

Comments are closed.