Odisha Link
Bridging the Missing Links in Odisha

‘ମୋ ସରକାର’ ଶୁଣିଲେନି: ବିଦ୍ୟାଳୟକୁ ରାସ୍ତା ଗଢ଼ିଲେ ଛାତ୍ରଛାତ୍ରୀ

ମାଲକାନଗିରି: ‘ମୋ ସରକାର’ ନାମରେ ଜନତାଙ୍କୁ ତ୍ବରିତ ସେବା ଯୋଗାଇବାର ଯାବତୀୟ ସରକାରୀ ବିଜ୍ଞାପନ ସତ୍ତ୍ବେ ତୃଣମୂଳ ସ୍ତରରେ ଏହାର ବିଫଳତାର ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ରାମକୃଷ୍ଣ ନନ୍ଦଙ୍କ ପ୍ରସିଦ୍ଧ କବିତା ‘ତୁମ ପରି ଛୋଟ ପିଲାଟିଏ’ରେ କୁନି ମଧୁସୂଦନଙ୍କ ପନ୍ଥାକୁ ଅନୁରଣ କରି ନିଜ ବିଦ୍ୟାଳୟକୁ ରାସ୍ତାଟିଏ ନିର୍ମାଣ କରିଛନ୍ତି ଜିଲ୍ଲାର ତଳକଟା ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ।

ଛାତ୍ରଛାତ୍ରୀ ମରାମତି କରିଥିବା ରାସ୍ତାର ଦୈର୍ଘ୍ୟ ୨ କିଲୋମିଟର ଯାହା ପଡ଼ାଲପୁଟକୁ ମାଝିଗୁଡ଼ା ଗାଁ ସହ ସଂଯୋଗ କରୁଛି। ନିକଟସ୍ତ ପଡ଼ାଲପୁଟ ଗାଁର ଲୋକମାନେ ବାହ୍ୟ ଗ୍ରାମକୁ ଯିବା ପାଇଁ ବ୍ୟବହାର କରୁଥିବା ବେଳେ ଗ୍ରାମର ଛାତ୍ରଛାତ୍ରୀ ମଧ୍ୟ ଏହି ରାସ୍ତା ଦେଇ ତଳକଟା ସରକାରୀ ବିଦ୍ୟାଳୟକୁ ଯାଇଥାଆନ୍ତି। ରାସ୍ତାଟି ଯିବାଆସିବା ପାଇଁ ଅତ୍ୟନ୍ତ ବିପଦସଂକୁଳ ହୋଇଥିବା ବେଳେ ଏହାର ମରାମତି ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳିନାହିଁ। ପଡ଼ାଲପୁଟରେ ପୂର୍ବରୁ ,କ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ଚଳିତ ବର୍ଷଠାରୁ ଏହାକୁ ଉଠାଇ ନିଆଯାଇ ତଳକଟା ସରକାରୀ ବିଦ୍ୟାଳୟ ସହ ମିଶାଇ ଦିଆଯାଇଛି। ଫଳରେ ଗ୍ରାମର ପିଲାଙ୍କୁ ୫ କିଲୋମିଟର ଚାଲି ଚାଲି ତଳକଟା ସ୍କୁଲକୁ ଯିବାକୁ ପଡ଼ୁଛି। ଏହି ୫ କିଲୋମିଟର ରାସ୍ତା ମଧ୍ୟରେ ରହିଛି ମରାମତି କରାଯାଇଥିବା ୨ କିଲୋମିଟର ରାସ୍ତା।

ନିକଟରେ ଦୁଇଜଣ ପିଲା ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ୨ କିମି ରାସ୍ତା ମରାମତି ପାଇଁ ପିଲାମାନେ ଯୋଜନା କଲେ। ଗଣମାଧ୍ୟମକୁ ସୂଚନା ଦେଇ ଅଷ୍ଟମ ଶ୍ରେଣୀ ଛାତ୍ର ନବୀନ ପଡ଼ାଲ କହିଛନ୍ତି, “ଆମେ ପ୍ରାୟ ୧୦ ଜଣ ପିଲା ସବୁଦିନ ଏହି ରାସ୍ତାରେ ଯାଉ। ଗତ ମଙ୍ଗଳବାର ଦିନ ଆମର ଦୁଇଜଣ ସାଙ୍ଗ ଏ ରାସ୍ତାରେ ଖସିପଡ଼ି ଖଣ୍ଡିଆଖାବରା ହେଲେ। ବର୍ଷା ଦିନେ ଏ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଯାଏ। ଯେହେତୁ ବଡ଼ମାନେ ଏ ରାସ୍ତା ମରାମତି କରିବାରେ ବିଫଳ ହେଲେ, ଆମେ ନିଜେ ସେ କାମ କରିବାକୁ ଚିନ୍ତା କଲୁ। ଆମେ ଗାଁର ସୁବ ଛାତ୍ରଛାତ୍ରୀଙ୍କୁ ଏକାଠି କରି ରାସ୍ତାରେ ଥିବା ଖାଲଖମା ପୋତିବାକୁ ନିଷ୍ପତ୍ତି ନେଲୁ।”

ପିଲାମାନେ ଏକାଠି କାମ କରୁଥିବାର ଦେଖି ସ୍ଥାନୀୟ ମହିଳା ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଟିମ୍‌ ସଂଗଠନ’ର କର୍ମକର୍ତ୍ତା ମଧ୍ୟ ସହଯୋଗର ହାତ ବଢ଼ାଇଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଶ୍ରମଦାନ ମଧ୍ୟ କରିଥିବା ବେଳେ ମାଟି ବୋହିବା ଲାଗି ଟ୍ରାକ୍ଟର ପାଇଁ ୨୦୦୦ ଟଙ୍କା ଦେଇଥିଲେ ଟିମ୍‌ ସଂଗଠନ।

ରାସ୍ତା ମରାମତି ପାଇଁ ସରକାରଙ୍କୁ ବାରମ୍ବାର ଅନୁରୋଦ ହେଉଛି। ତେବେ ରାସ୍ତାଟି ପଞ୍ଚାୟତି ରାଜ ବିଭାଗ ନା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଅଛି ସେ ନେଇ ଦ୍ବିଧା ଥିବାରୁ କୌଣସି କାମ ଆଗେଇ ପାରୁନାହିଁ। ଏ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଏ ନେଇ ସ୍ଥାନୀୟ ବିଡିଓଙ୍କୁ ବାରମ୍ବାର ଅଭିଯୋଗ, ଅନୁରୋଧ ହୋଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ।

ଅନ୍ୟପଟେ ରାସ୍ତା ନିର୍ମାଣ ନେଇ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ଓ୍ବାଇ ବିଜୟ। ଘଟଣା ଦିନ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାମ ହେଉଥିଲା ବୋଲି ସେ କହିଛନ୍ତି। କାମ କରୁଥିବା ଲୋକ ହୁଏତ ସେମାନଙ୍କର ପିଲାଙ୍କୁ କାମରେ ଲଗାଇଥାଇ ପାରନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ଜିଲ୍ଲାପାଳ। ଏଥିପାଇଁ ୯.୫ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା କୋରୁକୋଣ୍ଡା ବିଡିଓ କହିଛନ୍ତି।

ସ୍ଥାନୀୟ ପାତ୍ରେଲ ଗ୍ରାମପଞ୍ଚାୟତର ସରପଞ୍ଚ ଭୀମ ବାରସେ କହିଛନ୍ତି ଯେ ୩ ବର୍ଷ ଧରି ସେ ଦାୟିତ୍ବ ନେବା ଠାରୁ ବାର୍ଷିକ ଯୋଜନାରେ ଏ ରାସ୍ତା କାମ ସାମିଲ କରାଯାଉଛି। କିନ୍ତୁ ପ୍ରଶାସନ କିଛି ବାହାନା ଦେଖାଇ କେବେ ବି ଏହାକୁ ଅନୁମୋଦନ କରିନାହାନ୍ତି ବୋଲି ସରପଞ୍ଚ ଅଭିଯୋଗ କରିଛନ୍ତି।

ଏଭଳି ଘଟଣାକୁ ଉଭୟ ଲଜ୍ଜା ଓ ଗୌରବର କଥା ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ୍‌ ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ। ଗର୍ବର କଥା ହେଲା ମାଲକାନଗିରିର ଏକ ସରକାରୀ ବିଦ୍ୟାଳୟର ପିଲାମାନେ ଦର୍ଶାଇଛନ୍ତି ଯେ, ଓଡ଼ିଶାର ଭବିଷ୍ୟତ ପିଢ଼ି ନିଜ ଭାଗ୍ୟକୁ ନିଜ ହାତରେ ନେବାକୁ ସକ୍ଷମ ଅଟନ୍ତି ଏବଂ ସେମାନେ ଯାହା ଚାହିଁବେ ତାହା କରିପାରିବେ। ଅନ୍ୟ ପକ୍ଷରେ ଏହା ବିଜେଡି ସରକାରଙ୍କ ମୁହଁରେ ଏକ ଶକ୍ତ ଚାପୁଡ଼ା ବୋଲି ଶ୍ରୀ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି।

Comments are closed.