ଦ୍ବାରଶୁଣୀ ଘାଟିରୁ ଅଚିହ୍ନା ମହିଳାଙ୍କ ମୃତଦେହ ଉଦ୍ଧାର

କଳାବାଡିଆ : ଆଜି ଜାତୀୟ ରାଜପଥ ୪୯ ଦ୍ବାରଶୁଣୀ ଘାଟି ମା’ଙ୍କ ପୀଠରୁ ମାତ୍ର ୫୦ ମିଟର ଦୂରରେ ଥିବା ସୁରକ୍ଷା ପାଚେରୀ ବାଡ ତଳରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।
ମୃତଦେହକୁ ପ୍ରଥମେ ଜଣେ ପାଗଳ ଦେଖି ମା’ଙ୍କ ପୀଠରେ ଥିବା ଦୋକାନୀ ବନ୍ଧୁମାନଙ୍କୁ କହିଥିଲେ। ଏ ଘଟଣା ପ୍ରଚାରିତ ହେବା ପରେ ବାଙ୍ଗିରିପୋଷି ଥାନା ଅଧିକାରୀ ଦୟାନିଧି ଦାସ, ଏଏସଆଇ ଅଶୋକ କୁମାର ଦାସଙ୍କ ସହିତ ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତ ମହିଳା ଜଣକ ଦେଖିବାକୁ ଗୋରା, ଉଚ୍ଚତା ପ୍ରାୟ ୫ପୁଟ ୫ ଇଞ୍ଚ ରହିଛି।
ବେକରେ ସୁନାହାର, କାନରେ ସୁନା କାନଫୁଲ, ନାକରେ ସୁନା ଫାସିଆ ପିନ୍ଧିଥିବା ଦେଖାଯାଇଛି। ଦେହରେ କିଛି ଅଂଶରେ ଆଘାତ ମଧ୍ୟ ରହିଛି। ମହିଳାଙ୍କୁ ନିଛାଟିଆ ସ୍ଥାନ ଦେଖି ଦୁର୍ବୃତ୍ତମାନେ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ବାରିପଦାରୁ ସାଇଣ୍ଟିଫିକ୍ ଟିମ ସହିତ ଘଟଣାସ୍ଥଳରେ ଏସଡିପିଓ କେ କେ ହରିପ୍ରସାଦ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ଏପଟେ ବାଙ୍ଗିରିପୋଷି ଜନ ସାଧାରଣଙ୍କ ତରଫରୁ ଆସାମୀମାନଙ୍କୁ ଧରିବା ପାଇଁ ଦାବି ହୋଇଛି।
Comments are closed.